LIVE TV

ନୂଆପଡ଼ା ନିର୍ବାଚନମଣ୍ଡଳୀର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ : ମୋଟ୍ ଭୋଟର ସଂଖ୍ୟା ୨ ଲକ୍ଷ ୫୩ ହଜାର ୬୨୪ ଜଣ

NEWS7
Nuapada

ନୂଆପଡ଼ା ୯୧୦: ଆସନ୍ତା ନଭେମ୍ବର ୧୧ ତାରିଖରେ ହେନୂଆପଡ଼ା ଉପ ନିର୍ବାଚନ । ଏହାପୂର୍ବରୁ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇଛି । ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାସ । ତାଙ୍କ ସୂଚନା ଅନୁଯାୟୀ, ଜିଲ୍ଲାରେ ସମୁଦାୟ ଭୋଟର ସଂଖ୍ୟା ୨ ଲକ୍ଷ ୫୩ ହଜାର ୬୨୪ ରହିଛି । ସେଥିମଧ୍ୟରୁ ପୁରୁଷ ଭୋଟର ସଂଖ୍ୟା ୧ ଲକ୍ଷ ୨୪ ହଜାର ୧୦୮ ଓ ମହିଳା ଭୋଟର ସଂଖ୍ୟା ୧ ଲକ୍ଷ ୨୯ ହଜାର ୪୯୫ ରହିଛି । ସେହିଭଳି ତୃତୀୟ ଲିଙ୍ଗ ଭୋଟର ୨୧ ଜଣ ରହିଛନ୍ତି । ବରିଷ୍ଠ ଭୋଟର ୧୭୮୬, ଯୁବ ଭୋଟର ୯୪୨୯ ଓ ଦିବ୍ୟାଙ୍ଗ ଭୋଟର ସଂଖ୍ୟା ୩୯୮୮ ରହିଛି ।

ସେପଟେ ନୂଆପଡ଼ା ଉପନିର୍ବାଚନ ପାଇଁ କସରତ ଆରମ୍ଭ କରିସାରିଲେଣି ପ୍ରମୁଖ ରାଜନୈତିକ ଦଳ । ନୂଆପଡ଼ା ଯୁଦ୍ଧ ପାଇଁ କଂଗ୍ରେସ ତା’ର ଯୋଦ୍ଧା ଘୋଷଣା କରିସାରିଥିବା ବେଳେ ଏବେ ବିଜେପି ଓ ବିଜେଡି କାହାକୁ ମଇଦାନକୁ ଓହ୍ଲାଇବେ ତାକୁ ନେଇ ଚାଲିଛି କସରତ । ନୂଆପଡ଼ା ମଇଦାନରେ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ ଥିବାବେଳେ ଏବେ ବିଜେପି ଓ ବିଜେଡିର ପ୍ରାର୍ଥୀ ଘୋଷଣା ଉପରେ ରହିଛି ନଜର । ଏସବୁ ଭିତରେ ଗୁରୁବାର ବସିବ ବିଜେପି କୋର୍‌ କମିଟି ବୈଠକ । ନୂଆପଡ଼ା ଉପନିର୍ବାଚନ ବିଜେପି ସରକାର ପାଇଁ ପ୍ରଥମ ଉପନିର୍ବାଚନ । ତେଣୁ ଏହି ଉପ ନିର୍ବାଚନ ଜିତିବା ବିଜେପି ପାଇଁ ସମ୍ମାନର ପ୍ରଶ୍ନ ହୋଇଛି । ଏମିତିରେ ଦଳ କାହାକୁ ଟିକେଟ୍‌ ଦେଲେ ନିଶ୍ଚିତ ବିଜୟ ହାସଲ ହେବ ସେନେଇ ବସିବ ବିଜେପି କୋର୍‌ କମିଟି ବୈଠକ । ଏଥିପାଇଁ ଦିଲ୍ଲୀରୁ ଆସିଛନ୍ତି ରାଷ୍ଟ୍ରୀୟ ସଂଗଠନ ମହାମନ୍ତ୍ରୀ ବି.ଏଲ୍‌. ସନ୍ତୋଷ ଏବଂ ରାଷ୍ଟ୍ରୀୟ ସଂଗଠକ ଭି.ସତୀଶ । ପୂର୍ବତନ ସାଂସଦ ବସନ୍ତ ପଣ୍ଡା, ତାଙ୍କ ପୁଅ ଅଭିନନ୍ଦନ ପଣ୍ଡା ଏବଂ ବିଜେପି ନେତା ଯଦୁମଣୀ ପାଣିଗ୍ରାହୀଙ୍କ ନାଁ ଚର୍ଚ୍ଚାରେ ରହିଛି ।         

ସେପଟେ ବିଜେଡି ନୂଆପଡ଼ାରେ ତା’ର ଗଡ଼ ରକ୍ଷା ପାଇଁ ମଧ୍ୟ କସରତ ଚଳାଇଛି । ଦଳୀୟ ବିଧାୟକ ରାଜେନ୍ଦ୍ର ଢ଼ୋଲକିଆଙ୍କ ଦେହାନ୍ତ ପରେ ତାଙ୍କ ପୁଅ ଜୟ ଢ଼ୋଲକିଆଙ୍କୁ ପ୍ରାର୍ଥୀ କରି ଅନୁକମ୍ପା ମୂଳକ ଭୋଟ୍‌ ହାତେଇବା ଲକ୍ଷ୍ୟରେ ରହିଛି ଦଳ । ଜୟ ଢ଼ୋଲକିଆଙ୍କୁ ପ୍ରାର୍ଥୀ କରିବାକୁ ଏକରକମ ସ୍ଥିର ହୋଇଥିଲେ ବି ଏପର୍ଯ୍ୟନ୍ତ ଘୋଷଣା କରିନାହାନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ତେବେ ନୂଆପଡ଼ା ଉପନିର୍ବାଚନକୁ ଦୃଷ୍ଟିରେ ରଖି ଷ୍ଟିୟରିଂ କମିଟି, ଜୋନାଲ କମିଟି ଓ ଲୋକାଲ ଆକ୍ସନ କମିଟି ଗଠନ କରିଛନ୍ତି ବିଜେଡି ସଭାପତି । ଷ୍ଟିୟରିଂ କମିଟିରେ ୬ ବରିଷ୍ଠ ସଦସ୍ୟ ଥିବାବେଳେ ଜୋନାଲ କମିଟିରେ ୧୦ ଜଣ ଓ ଲୋକାଲ ଆକ୍ସନ କମିଟିରେ ୩ ନେତାଙ୍କୁ ସାମିଲ କରାଯାଇଛି ।  ଏମିତିରେ ବିଜେଡି ଉପସଭାପତି ଦେବୀ ମିଶ୍ର କହିଛନ୍ତି, ଦଳ ଗୁରୁବାର ଠାରୁ ନୂଆପଡ଼ାରେ ପଦଯାତ୍ରା କରିବ । ଆଉ ଲୋକଙ୍କ ପାଖକୁ ଯିବ ।   

ଏସବୁ ଭିତରେ କିନ୍ତୁ ଘାସିରାମ ମାଝୀଙ୍କୁ ପ୍ରାର୍ଥୀ ଘୋଷଣା କରି  ଆଦିବାସୀ କାର୍ଡ  ଖେଳିଛି କଂଗ୍ରେସ । ୨୦୧୯ ନିର୍ବାଚନରେ ଘାସିରାମ କଂଗ୍ରେସରୁ ପ୍ରାର୍ଥୀ ହୋଇ ୪୫ ହଜାର ୩୧୭ ଭୋଟ୍ ପାଇ ଦ୍ବିତୀୟ ସ୍ଥାନରେ ରହିଥିଲେ । ୨୦୨୪ ନିର୍ବାଚନରେ ତାଙ୍କୁ କଂଗ୍ରେସ ଟିକେଟ୍ ନଦେବାରୁ ସ୍ବାଧୀନ ପ୍ରାର୍ଥୀ ଭାବେ ଲଢ଼ି  ୫୦ ହଜାର ୯୪୧ ଭୋଟ୍ ପାଇବା ସହ ବିଜେପି ଓ କଂଗ୍ରେସ ପ୍ରାର୍ଥୀଙ୍କୁ ପଛରେ ପକାଇ ଦେଇଥିଲେ ଘାସିରାମ ମାଝୀ । ଏଥର କଂଗ୍ରେସ ପୁଣି ଘାସିରାମଙ୍କ ଉପରେ ଭରସା କରିଛି ।