ନୂଆଦିଲ୍ଲୀ: ପୃଥିବୀର ସବୁଠାରୁ ଧନଶାଳୀ ବ୍ୟକ୍ତି ହେଉଛନ୍ତି ଟେସ୍‌ଲା ସିଇଓ ଏଲନ ମସ୍କ। ତାଙ୍କ ଆଖାପାଖରେ ବି କୌଣସି କୋଟିପତି ନାହାନ୍ତି। ଏଲନ ମସ୍କ ୫୦୦ ବିଲିଅନ ଡଲାର ସମ୍ପତ୍ତି ଅର୍ଜନ କରିବାରେ ବିଶ୍ୱର ପ୍ରଥମ ଧନୀ ବ୍ୟକ୍ତି ହୋଇଛନ୍ତି। ଫୋବର୍ସ ରିଅଲ୍ ଟାଇମ୍ ବିଲିୟନେୟର୍ସ ତାଲିକା ଅନୁଯାୟୀ, ବୁଧବାର (ଅକ୍ଟୋବର ୧) ଯେତେବେଳେ ଆମେରିକାର ବଜାର ବନ୍ଦ ହେଲା ସେତେବେଳେ ଏଲୋନ୍ ମସ୍କଙ୍କ ସମ୍ପତ୍ତି ୫୦୦ ବିଲିୟନ ଡଲାର (୪୪.୩୩ ଲକ୍ଷ କୋଟି ଟଙ୍କା) ପହଞ୍ଚିଥିଲା।

ଗତକାଲି ଟେସଲାର ଷ୍ଟକ୍ ୩.୩୧% ବୃଦ୍ଧି ପାଇବାରୁ ମସ୍କଙ୍କ ନେଟ୍ ସମ୍ପତ୍ତିରେ ବୃଦ୍ଧି ଦେଖିବାକୁ ମିଳିଛି।  ତଥାପି, ମସ୍କଙ୍କ ବର୍ତ୍ତମାନର ନେଟ୍ ସମ୍ପତ୍ତି $୪୯୯.୧ ବିଲିୟନ (୪୩.୯୯ ଲକ୍ଷ କୋଟି ଟଙ୍କା) ରହିଛି। ଗତ ୧୦ ବର୍ଷ ମଧ୍ୟରେ ମସ୍କଙ୍କ ସମ୍ପତ୍ତି ୩୪ ଗୁଣ ବୃଦ୍ଧି ପାଇଛି।

୧୨ ବର୍ଷ ବୟସରେ ଏକ ଭିଡିଓ ଗେମ୍ ତିଆରି ଏବଂ ବିକ୍ରୟ କରିଥିବା ଏଲୋନ୍ ମସ୍କ ଆଜି ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି। ବର୍ତ୍ତମାନ ସେ ଟେସଲା ଏବଂ ସ୍ପେସଏକ୍ସ ଭଳି ଲୋକପ୍ରିୟ କମ୍ପାନୀର ସିଇଓ। ମସ୍କ ୧୦ ବର୍ଷ ବୟସରେ କମ୍ପ୍ୟୁଟର ପ୍ରୋଗ୍ରାମିଂ ଶିଖିଥିଲେ ଏବଂ ୧୨ ବର୍ଷ ବୟସରେ "ବ୍ଲାଷ୍ଟର" ନାମକ ଏକ ଭିଡିଓ ଗେମ୍ ତିଆରି କରିଥିଲେ। ଏକ ସ୍ଥାନୀୟ ପତ୍ରିକା ତାଙ୍କଠାରୁ ପାଞ୍ଚଶହ ଆମେରିକୀୟ ଡଲାରରେ ଏହାକୁ କିଣିଥିଲା। ଏହାକୁ ମସ୍କଙ୍କ ପ୍ରଥମ ବ୍ୟବସାୟିକ ସଫଳତା ବୋଲି ବିବେଚନା କରାଯାଇପାରେ।

ମସ୍କ ଟେସଲା, ସ୍ପେସଏକ୍ସ ଏବଂ ନ୍ୟୁରାଲିଙ୍କ ଭଳି କମ୍ପାନୀ ପ୍ରତିଷ୍ଠା କରିଛନ୍ତି। ଟେସଲା ୨୦୦୩ ମସିହାରେ ମାର୍ଟିନ୍ ଏବରହାର୍ଡ ଏବଂ ମାର୍କ ଟର୍ପେନିଂଙ୍କ ଦ୍ୱାରା ପ୍ରତିଷ୍ଠିତ ହୋଇଥିଲା। ଏଲୋନ୍ ମସ୍କ କମ୍ପାନୀର ପ୍ରାରମ୍ଭିକ ନିବେଶକମାନଙ୍କ ମଧ୍ୟରୁ ଜଣେ ଥିଲେ ଏବଂ ଫେବୃଆରୀ ୨୦୦୪ରେ ଟେସଲାରେ ଏକ ଗୁରୁତ୍ୱପୂର୍ଣ୍ଣ ନିବେଶ କରିଥିଲେ। ପରବର୍ତ୍ତୀ ସମୟରେ ମସ୍କ ଟେସଲାର ଅଧ୍ୟକ୍ଷ ଏବଂ ତତ୍କାଳୀନ ସିଇଓ ହୋଇଥିଲେ। ଟେସଲାର ଲକ୍ଷ୍ୟ ଥିଲା ସାଧାରଣ ଲୋକଙ୍କ ପାଇଁ ବୈଦ୍ୟୁତିକ ଯାନବାହନ ଉପଲବ୍ଧ କରାଇବା ଏବଂ ସ୍ଥାୟୀ ଶକ୍ତିକୁ ପ୍ରୋତ୍ସାହିତ କରିବା।

ସେହିପରି ସ୍ପେସଏକ୍ସକୁ ଏଲୋନ ମସ୍କ ମାର୍ଚ୍ଚ ୨୦୦୨ ରେ ପ୍ରତିଷ୍ଠା କରିଥିଲେ। ତାଙ୍କର ସ୍ୱପ୍ନ ଥିଲା ମହାକାଶ ପ୍ରକ୍ଷେପଣର ଖର୍ଚ୍ଚ ହ୍ରାସ କରିବା ଏବଂ ମଙ୍ଗଳ ଗ୍ରହରେ ମାନବ ବସତି ସ୍ଥାପନ କରିବା। ସ୍ପେସଏକ୍ସ ୨୦୦୮ରେ ଏହାର ପ୍ରଥମ ସଫଳ ରକେଟ୍ (ଫାଲକନ୍ 1) ଲଞ୍ଚ କରିଥିଲା ​​ଏବଂ ଏହାର ଡ୍ରାଗନ୍ କ୍ୟାପସୁଲ୍ ୨୦୧୨ ରେ ଆନ୍ତର୍ଜାତୀୟ ମହାକାଶ ଷ୍ଟେସନ ସହିତ ଯୋଡ଼ି ହୋଇଥିଲ।

୨୦୧୬  ମସିହାରେ ମସ୍କ ନ୍ୟୁରାଲିଙ୍କ୍ ପ୍ରତିଷ୍ଠା ମଧ୍ୟ କରିଥିଲେ। ଏହି କମ୍ପାନୀ ମାନବ ମସ୍ତିଷ୍କ ଏବଂ କମ୍ପ୍ୟୁଟରକୁ ସଂଯୋଗ କରୁଥିବା ମସ୍ତିଷ୍କ-ଯନ୍ତ୍ର ଇଣ୍ଟରଫେସ୍ ଟେକ୍ନୋଲୋଜୀ ବିକଶିତ କରିବାକୁ ଲକ୍ଷ୍ୟ ରଖିଛି। ନ୍ୟୁରାଲିଙ୍କ୍ ସ୍ନାୟୁ ରୋଗର ଚିକିତ୍ସା କରିବା ଏବଂ ଭବିଷ୍ୟତରେ, ମଣିଷକୁ କୃତ୍ରିମ ବୁଦ୍ଧିମତ୍ତା ସହିତ ଭଲ ଭାବରେ ଯୋଡ଼ିବା କମ୍ପନୀର ଲକ୍ଷ୍ୟ।