LIVE TV

ସରିଲା E-KYC ଅବଧି, କଟିଲା ୧୬ ଲକ୍ଷ ହିତାଧିକାରୀଙ୍କ ରାସନ କାର୍ଡ଼

NEWS7
E KYC

ଭୁବନେଶ୍ଵର: ସରିଛି E-KYC ଅବଧି । ଏଥିସହ କଟିଛି ୧୬ ଲକ୍ଷ ହିତାଧିକାରୀଙ୍କ ରାସନ କାର୍ଡ଼ । ଏକ ବର୍ଷରୁ ଅଧିକ ସମୟ ଧରି ରାଜ୍ୟରେ ରାସନ କାର୍ଡ଼ ପାଇଁ ଚାଲିଥିବା E-KYC ପ୍ରକ୍ରିୟା ସେପ୍ଟେମ୍ବର ୩୦ ତାରିଖରେ ଶେଷ ହୋଇଛି । ସରକାରୀ ହିସାବ ମୁତାବକ ଏହି ଅବଧି ଭିତରେ ୩ କୋଟି ୨୬ଲକ୍ଷ ୨୩ ହଜାର ହିତାଧିକାରୀଙ୍କ ମଧ୍ୟରୁ ୩ କୋଟି ୧୦ ଲକ୍ଷ ୨୩ ହଜାର ହିତାଧିକାରୀ E-KYC କରିଛନ୍ତି । ବାକି ୧୬ ଲକ୍ଷ ହିତାଧିକାରୀ E-KYC କରି ନ ଥିବାରୁ ସେମାନଙ୍କ ରାସନ କାର୍ଡ଼ କଟିଛି ବୋଲି କହିଛନ୍ତି ଯୋଗାଣ ମନ୍ତ୍ରୀ । ଆଉ ରାଜ୍ୟ ସରକାର E-KYC ଅବଧି ବଢ଼ାଇବେ ନାହିଁ । ଯଦି କେନ୍ଦ୍ର ବଢ଼ାଇବ ତାହେଲେ ରାଜ୍ୟ ସରକାର ଏନେଇ ଚିନ୍ତା କରିବେ ବୋଲି କହିଛନ୍ତି ମନ୍ତ୍ରୀ । ସେପଟେ ବିଭିନ୍ନ ସମସ୍ୟା ପାଇଁ E-KYC କରି ନ ଥିବା ହିତାଧିକାରୀ ଅବଧି ବଢ଼ାଇବାକୁ ଦାବି କରିଛନ୍ତି ।

ଦୀର୍ଘ ୧ ବର୍ଷରୁ ଅଧିକ ସମୟ ଧରି ରାଜ୍ୟରେ ଯୋଗ୍ୟ ରାସନକାର୍ଡ଼ ହିତାଧିକାରୀ ଚିହ୍ନଟ ପାଇଁ ଚାଲିଥିବା E-KYC ପ୍ରକ୍ରିୟା ଗତ ସେପ୍ଟେମ୍ବର ୩୦ ତାରିଖରେ ଶେଷ ହୋଇଛି । ଏହି ସମୟ ଭିତରେ E-KYC କରିନଥିବା ୧୬ ଲକ୍ଷ ହିତାଧିକାରୀଙ୍କୁ ରାସନକାର୍ଡ଼ ପ୍ରକ୍ରିୟାରୁ ବାଦ୍ ଦେଇଛନ୍ତି ସରକାର ।  ୨୦୨୪ ଅଗଷ୍ଟ ୨ ତାରିଖରୁ ରାସନ କାର୍ଡ଼ ପାଇଁ E-KYC ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଏହି ପ୍ରକ୍ରିୟାରେ ଯେମିତି ଜଣେ ହେଲେ ବି ଯୋଗ୍ୟ ହିତାଧିକାରୀ ବାଦ୍ ନପନ୍ତୁ ତାକୁ ଦୃଷ୍ଟିରେ ରଖି ବାରମ୍ବାର ଡେଡ୍ ଲାଇନ୍ ବଢ଼ାଇଥିଲେ ସରକାର ।

ହେଲେ ଏସବୁ ପରେ ମଧ୍ୟ ଶେଷ ତାରିଖ ସୁଦ୍ଧା ୧୬ ଲକ୍ଷ ହିତାଧିକାରୀ E-KYC କରିନଥିଲେ । ରାଜ୍ୟରେ ଥିବା ମୋଟ ୩ କୋଟି ୨୬ଲକ୍ଷ ୨୩ ହଜାର ହିତାଧିକାରୀଙ୍କ ମଧ୍ୟରୁ ୩ କୋଟି ୧୦ଲକ୍ଷ ୨୩ହଜାର ହିତାଧିକାରୀ E-KYC  କରିଛନ୍ତି । ଏହାକୁ ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର କହିଛନ୍ତି, ରାସନ କାର୍ଡ଼ ପାଇଁ ଆଉ E-KYC ଅବଧି ବଢ଼ାଇବେ ନାହିଁ । ହିତାଧିକାରୀଙ୍କୁ ବହୁତ ସମୟ ଦିଆଯାଇଛି । ଯଦି କେନ୍ଦ୍ର ସରକାର ଅବଧି ବଢ଼ାଇବେ ତା ହେଲେ ଏନେଇ ରାଜ୍ୟ ସରକାର ଚିନ୍ତା କରିବେ ବୋଲି କହିଛନ୍ତି ମନ୍ତ୍ରୀ ।

ରାସନ କାର୍ଡ଼ ପାଇଁ E-KYC ପ୍ରକ୍ରିୟା ଶେଷ ହୋଇଥିବାରୁ ଏଥିରେ ସାମିଲ ହୋଇପାରିନଥିବା ହିତାଧିକାରୀଙ୍କ ଚିନ୍ତା ବଢ଼ିଛି । ପରିବାରର କିଛି ଲୋକ କାମଧନ୍ଦା ପାଇଁ ବାହାର ରାଜ୍ୟକୁ ଯାଇଥିବାରୁ ସେମାନେ E-KYC ଅବଧି ବଢ଼ାଇବାକୁ ଦାବି କରିଛନ୍ତି । ସେହିଭଳି E-KYC କରିବାରେ ଅନେକ ସମସ୍ୟା ହେଉଥିବା ଅଭିଯୋଗ ଆଣିଛି ଡିଲର ଆସୋସିଏସନ୍ । କାହିଁକି ଏତେ ସଂଖ୍ୟକ ହିତାଧିକାରୀ ବାଦ୍ ପଡ଼ିଲେ ସେନେଇ ତର୍ଜମା କରିବା ଉଚିତ୍ ବୋଲି କହିଛି ସଂଘ।

ପୂର୍ବରୁ ବର୍ଷ ବର୍ଷ ଧରି ଅନେକ ଥିଲା ବାଲା ବି ଚଞ୍ଚକତା କରି ରାସନ କାର୍ଡ଼ ହାତଉଥିଲେ । ଏବେ ବିଜେପି ସରକାର ରାସନ କାର୍ଡ଼ ପାଇଁ E-KYC ବ୍ୟବସ୍ଥା କରିବା ଫଳରେ ଅନେକ  ସେମାନଙ୍କ ଚଞ୍ଚକତା ଧରାପଡ଼ିଯିବା ଭୟରେ ପ୍ରକ୍ରିୟାରୁ ଦୂରେଇ  ଯାଇଛନ୍ତି । ଏମିତିରେ ଯଦି କୌଣସି ଯୋଗ୍ୟ ହିତାଧିକାରୀ କୌଣସି ଅସୁବିଧା କାରଣରୁ E-KYC  କରିପାରି ନାହାନ୍ତି ସେମାନଙ୍କ ବିଷୟରେ ସରକାର ଚିନ୍ତା କରିବାର ଆବଶ୍ୟକତା ରହିଛି ।