News7 Logo

ରାଜଧାନୀରେ ଗଣା ହେବେ ବୁଲା କୁକୁର, ୧୮ରୁ ହେବ ଆରମ୍ଭ

NEWS7
Dog

ଭୁବନେଶ୍ୱର ୧୫।୦୯ : ଗଣନା ହେବେ ବୁଲା କୁକୁର । ଭୁବନେଶ୍ୱର ମହାନଗର  ନିଗମ (ବିଏମ୍‌ସି) ପକ୍ଷରୁ ହେବ ବୁଲା କୁକୁର ଗଣନା। ୧୭ ପରିବର୍ତ୍ତେ ୧୮ରୁ ଆରମ୍ଭ ହେବ ବୁଲା କୁକୁର ଗଣନା। 'ଏକ୍‌ ପେଡ୍ ମାଆ କେ ନାମ୍' କାର୍ଯ୍ୟକ୍ରମ ପାଇଁ ଗୋଟିଏ ଦିନ ଘୁଞ୍ଚିଲା । ପୂର୍ବରୁ ୧୭ରେ ବୁଲା କୁକୁର ଗଣିବାକୁ ତାରିଖ ଧାର୍ଯ୍ୟ କରାଯାଇଥିଲା। ଏବେ ବିଏମ୍‌ସି ଏକ ନୋଟିସ୍ ଜାରି କୁକୁର ଗଣନାକୁ ଗୋଟିଏ ଦିନ ଘୁଞ୍ଚାଇଛି ।

ଖବର ଅନୁଯାୟୀ, ୧୭ ତାରିଖ ପରିବର୍ତ୍ତେ ୧୮ରୁ ତାରିଖରୁ ୬୭ଟି ୱାର୍ଡରେ କୁକୁର ଗଣନା କାର୍ଯ୍ୟ ଚାଲିବ। ବୁଲା କୁକୁର ଗଣନା ପାଇଁ ଜୋନ୍‌, ୱାର୍ଡରେ ଥିବା ପ୍ରତ୍ୟେକ ଗଳି ପାଇଁ ଟିମ୍‌ ଗଠନ କରାଯାଇଛି । ପ୍ରତ୍ୟେକ ଗଳିକନ୍ଦିରେ ଦୁଇ ଦୁଇଟି ପର୍ଯ୍ୟାୟରେ ବୁଲା କୁକୁର ଗଣନା କରାଯିବ। ଏଥିପାଇଁ ବିଏମ୍‌ସି ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ତେବେ ପ୍ରଥମ ପର୍ଯ୍ୟାୟ ଗଣନା ସେପ୍ଟେମ୍ବର ୧୮ରୁ ୨୦ ତାରିଖ ଏବଂ ଦ୍ୱିତୀୟ ପର୍ଯ୍ୟାୟ ଗଣନା ୨୧ରୁ ୨୪ ତାରିଖ ପର୍ଯ୍ୟନ୍ତ ଚାଲିବ। ଭୋର ୫ଟାରୁ ସକାଳ ୭ଟା ପର୍ଯ୍ୟନ୍ତ ଏହି କୁକୁର ଗଣନା ଚାଲିବ। ଦକ୍ଷ ପଶୁ ଡାକ୍ତରଙ୍କ ତତ୍ତ୍ୱାବଧାନରେ ସ୍ୱଚ୍ଛସାଥୀ, ସ୍ୱଚ୍ଛ ସୁପରଭାଇଜର, ସାନିଟାରୀ ଇନ୍‌ସପେକ୍ଟର, ଏସ୍‌ଏମଟିଏ, ଡିଇଓ, ସିଓ, ୱାର୍ଡ ଅଫିସର  ପ୍ରମୁଖ ଏହି କାର୍ଯ୍ୟ ସଂପାଦନ କରିବେ। ଏକକାଳୀନ  ୪୧୦ଟି ଟିମ୍‌ ଭୁବନେଶ୍ୱରର ବିଭିନ୍ନ ଗଳିକନ୍ଦିରେ କୁକୁର ଗଣନା ସାରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । କୁକୁର ଗଣନାରେ ବିଏମ୍‌ସି ମୋଟ୍‌ ୧୨ ଲକ୍ଷ ଟଙ୍କା ଖର୍ଚ୍ଚ କରିବ।