News7 Logo

ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ପାଳିତ, ସଂସ୍କୃତକୁ ରୁଚିକର ଓ ଆକର୍ଷଣୀୟ କରିବାକୁ ଆହ୍ବାନ

NEWS7
Sanskrit Day

​​​​​​​ସମ୍ବଲପୁର: ଓଡ଼ିଶା ସାଂସ୍କୃତିକ ସମାଜ ଭବନର ସ୍ବାଧିନତା ସଂଗ୍ରାମୀ ସଭାଗୃହରେ ଉତ୍କଳ ସଂସ୍କୃତ ଶିକ୍ଷକ ମହାସଂଘ, ସମ୍ବଲପୁର ଜିଲ୍ଲା ଆନୁକୁଲ୍ୟରେ ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ପାଳିତ ହୋଇଯାଇଛି। ଉତ୍କଳ ସଂସ୍କୃତ ଶିକ୍ଷକ ମହାସଂଘର ଜିଲ୍ଲା ସଭାପତି ଶୁଶୀଳ କୁମାର ମହାକୁଳଙ୍କ ସଭାପତିତ୍ବରେ ଆୟୋଜିତ ଏ‌ହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଶିକ୍ଷା ଅଧିକାରୀ ଲକ୍ଷ୍ମଣ ଭୋଇ ଯୋଗଦାନ କରି ବିଦ୍ୟାଳୟ ସ୍ତରରେ ସଂସ୍କୃତକୁ ରୁଚିକର ଓ ଆକର୍ଷଣୀୟ କରିବା ସହିତ ସେ ଦିଗରେ ସଂସ୍କୃତ ଶିକ୍ଷକମାନେ ନିଜକୁ ନିୟୋଜିତ କରିବାକୁ ଆହ୍ବାନ କରିଥିଲେ।

ଅନ୍ୟ ବିଷୟଗତ ଶିକ୍ଷକମାନଙ୍କ ଠାରୁ ନିଜକୁ ନ୍ୟୁନ ମନେ ନକରି ଉତ୍ସାହର ସହିତ ସଂସ୍କୃତ ଭାଷାର ଉନ୍ନତି ପାଇଁ ଚେଷ୍ଟା କରିବା ଉଚିତ ବୋଲି ସେ ଉପସ୍ଥିତ ଶିକ୍ଷକଶିକ୍ଷୟିତ୍ରୀମାନଙ୍କୁ ପ୍ରେରଣା ଦେଇଥିଲେ। ମୁଖ୍ୟବକ୍ତା ଉତ୍କଳ ସଂସ୍କୃତ ଶିକ୍ଷକ ମହାସଂଘର ରାଜ୍ୟ ସାଧାରଣ ସଂପାଦକ ଡଃ କୁମାର ଚନ୍ଦ୍ର ମିଶ୍ର ଯୋଗଦାନ କରି ସଂସ୍କୃତ ଭାଷାର ସୁରକ୍ଷା ଓ ସେହି ଭାଷାର ମହନୀୟତା ଉପରେ ଆଲୋଚନା କରି ଶିକ୍ଷକମାନଙ୍କ ମଧ୍ୟରେ ରହିଥିବା ବୃତ୍ତିଗତ ସଂଶୟଗୁଡ଼ିକ ଦୂର କରିଥିଲେ।

ଏହି ଅବସରରେ ସମ୍ମାନିତ ଅତିଥି ଭାବେ କେନ୍ଦ୍ରୀୟ ବିଦ୍ୟାଳୟର ଅବସରପ୍ରାପ୍ତ ଶିକ୍ଷକ ସୋମଦତ୍ତ ଶାସ୍ତ୍ରୀ, ଅବସରପ୍ରାପ୍ତ ସଂସ୍କୃତ ଶିକ୍ଷକ ହରି ନାରାୟଣ ପଣ୍ଡା ତଥା ଉତ୍କଳ ସଂସ୍କୃତ ଶିକ୍ଷକ ମହାସଂଘର ଯୁଗ୍ମ ସମ୍ପାଦକ ଗୋପବନ୍ଧୁ ପୁରୋହିତ ଯୋଗଦେଇ ସଂସ୍କୃତ ଯେ କେବଳ ଏକ ଭାଷା ନୁହେଁ,ଏହା ଏକ ଭାରତୀୟ ସଂସ୍କୃତିର ଗନ୍ତାଘର ଏବଂ ଏହି ଭାଷା ବିନା ସଂସ୍କୃତି ପଙ୍ଗୁ ବୋଲି ଅଭିହିତ କରିଥିଲେ।

ବରଗଡ଼ ସିମେଣ୍ଟ ନଗର ଉଚ୍ଚ ବିଦ୍ୟାଳୟର ଅବସରପ୍ରାପ୍ତ ସଂସ୍କୃତ ଶିକ୍ଷକ କପିଳେଶ୍ୱର ବାଗ୍ ଉପସ୍ଥିତ ରହି ମହାକବି କାଳିଦାସଙ୍କ ମେଘଦୂତ ମହାକାବ୍ୟର ସ୍ବରଚିତ ସମ୍ବଲପୁରୀ ଭାଷାନ୍ତର କରି ଗାନ କରିଥିଲେ। ଜିଲ୍ଲାସ୍ତରୀୟ ଏହି ଉତ୍ସବରେ ଚଳିତବର୍ଷ ଅବସର ଗ୍ରହଣ କରିଥିବା ସଂସ୍କୃତ ଶିକ୍ଷକ ଚିନ୍ତାମଣି ଭୋଇ, କିଶୋର କୁମାର ପାଣିଗ୍ରାହୀ, ପ୍ରମୋଦ କୁମାର ସାହୁ, ସିଦ୍ଧାର୍ଥ କୁମାର ବିଶ୍ବାଳ ତଥା ଶିକ୍ଷୟିତ୍ରୀ ବାସନ୍ତୀ ତ୍ରିପାଠୀ ତଥା କିଶୋରୀମଣି ମିଶ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।ତତ୍ ସଂଗେସଂଗେ ପ୍ରତ୍ୟେକ ବ୍ଲକରେ ସଂସ୍କୃତ ଭାଷାରେ ସର୍ବୋଚ୍ଚ ନମ୍ବର ଛାତ୍ରଛାତ୍ରୀଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା।ସଂସ୍କୃତ ଶିକ୍ଷକ ଅସିତ କୁମାର ପଣ୍ଡାଙ୍କ ସଂଯୋଜନାରେ ଆୟୋଜିତ ଏ‌ହି କାର୍ଯ୍ୟକ୍ରମରେ ଜିଲ୍ଲା ସଂପାଦକ ଦେବରାଜ ରଥ ବାର୍ଷିକ ବିବରଣୀ ଉପସ୍ଥାପନ କରିଥିଲେ।

ଏହି ଅବସରରେ ଆମ୍ବସଢ଼ା କଟାପାଲିର ଛାତ୍ରୀମାନେ ନୃତ୍ୟ ପରିବେଷଣ କରିଥିଲେ। ସମ୍ବଲପୁର ଜିଲ୍ଲାର ସମସ୍ତ ବ୍ଲକରୁ ପ୍ରାୟ ଦୁଇଶହ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗଦାନ କରିଥିଲେ। ପରିଶେଷରେ ବରିଷ୍ଠ ସଂସ୍କୃତ ଶିକ୍ଷୟିତ୍ରୀ ନାରାୟଣୀ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମର ପରିଚାଳନାରେ ସଂସ୍କୃତ ଶିକ୍ଷକ ପ୍ରଶାନ୍ତ କୁମାର ଦାଶ, ଦୁର୍ଗା ଶଙ୍କର ପାଣିଗ୍ରାହୀ, ଶିକ୍ଷୟିତ୍ରୀ ସୁଶ୍ରୀ ସଂଗୀତା ବେହେରା, ଦେବଶ୍ରୀ ପ୍ରଧାନ, ଦୀପ୍ତୀବାଳା ମିଶ୍ର ତଥା ଅନ୍ୟମାନେ ସହଯୋଗ କରିଥିଲେ।