LIVE TV

ଜିଲ୍ଲା ସାମ୍ବାଦିକ ସଂଘର ଅନୁଶୀଳନ କାର୍ଯ୍ୟକ୍ରମ ‘କ’ଣ ଖବର’... ? କାର୍ଯ୍ୟକ୍ରମରେ ଯୋଗଦେଇ ଏସ୍‌ପି କହିଲେ- ଭଲ ଖବରକୁ ପ୍ରାଧାନ୍ୟତା ଦିଆଯିବା ଆବଶ୍ୟକ

NEWS7
Jharsuguda

ଝାରସୁଗୁଡ଼ା: ‘ଖବର ଲେଖିବା ଅବଧାରଣାର ଏକ କ୍ରୀଡ଼ା। ପ୍ରତିଟି ସାମ୍ବାଦିକର ଖବରକୁ ପରଖିବାର ଶୈଳୀ ଭିନ୍ନ ଥାଏ। ପ୍ରତି ଟିଭି, ଖବର କାଗଜର ଭିନ୍ନ ଭିନ୍ନ ସମ୍ପାଦକୀୟ ନୀତି ମଧ୍ୟ ରହିଥା‌ଏ। ତେଣୁ କୌଣସି ଖବର ସହ ଆମେ ଏକମତ ଥିଲେ ଅନ୍ୟ କେହି ଦ୍ବିମତ ହେବା ସ୍ବଭାବିକ କଥା।’ ଶୁକ୍ରବାର ଝାରସୁଗୁଡ଼ା ସହରର ଏକ ହୋଟେଲରେ ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ଆୟୋଜିତ ଅନୁଶୀଳନ କାର୍ଯ୍ୟକ୍ରମ ‘ଖବର କ’ଣ’ରେ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ଏହା କହିଛନ୍ତି ଏଏଫ୍‌ପିର କେନ୍ଦ୍ର ଭାରତୀୟ ପ୍ରତିନିଧି ପ୍ରକାଶ ଚନ୍ଦ୍ର ହୋତା।

ସଂଘର ସଭାପତି ପ୍ରଶାନ୍ତ ମହାନ୍ତିଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ‌ଦେଇ ଜିଲ୍ଲାପାଳ କୁନାଲ ମୋତିରାମ ଚହ୍ବାଣ ଗଣମାଧ୍ୟମ ଓ ଖବରର ପ୍ରାସଙ୍ଗିକତା ଉପରେ ଆଲୋକପାତ କରିଥିଲେ। ଗଣମାଧ୍ୟମ ପାଇଁ ହିଁ ଗଣତନ୍ତ୍ରର ବିଶ୍ବସନୀୟତା ବଜାୟ ରହିଥିବା କହିଛନ୍ତି। ସେପଟେ, ଖବର କାଗଜ ହେଉ ବା ବୈଦ୍ୟୁତିକ ଗଣମାଧ୍ୟମ ସବୁଥିରେ ଭଲ ଖବରକୁ ଅଧିକ ପ୍ରାଧାନ୍ୟତା ଦିଆଯିବା ଜରୁରୀ ବୋଲି ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିବା ଏସ୍‌ପି ଗୁଣ୍ଡାଲା ରେଡ୍ଡି ରାଘବେନ୍ଦ୍ର କହିଥିଲେ।

କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟରେ ଅନୁଷ୍ଠିତ ସଭାରେ ଜିଲ୍ଲାପାଳ ମୋତିରାମ ଚହ୍ବାଣ କହିଥିଲେ ଯେ, ‘କ’ଣ ଖବର’ କହିଲେ ଦୁଇଟି ଅର୍ଥକୁ ବୁଝାଇଥାଏ। ପ୍ରଥମଟି ହେଲା ‘ସମ୍ବାଦ କ’ଣ’ ? ଓ ଦ୍ବିତୀୟଟି ହେଲା ‘କେମିତି ଅଛନ୍ତି’ ? ତେବେ ଖବର ପରିବେଷଣ ସମୟରେ ସାମ୍ବାଦିକମାନେ କିଛି ଦିଗ ପ୍ରତି ସଚେତନ ହେଲେ ଖବରର ଗ୍ରହଣୀୟତା ଅଧିକ ହୋଇପାରିବ। ଯାହା ହେଲା କୌଣସି ବିରୋଧାତ୍ମକ ଖବରରେ ପ୍ରତିପକ୍ଷର ମତାମତ ହେଉ ବା ନକରାତ୍ମକ ଖବରର ସତ୍ୟତା ପାଇଁ ଯଥେଷ୍ଟ ଅନୁସନ୍ଧାନ କରାଯିବାର ଆବଶ୍ୟକତା ରହିଛି।

ସମ୍ମାନିତ ଅତିଥି ଏସ୍‌ପି ଶ୍ରୀ ରାଘବେନ୍ଦ୍ର ମଧ୍ୟ ଖବର ପରିବେଷଣ ସମୟରେ ଅନୁରୂପ ଦିଗ ପ୍ରତି ସଚେତନ ହେବାକୁ ପରାମର୍ଶ ଦେଇଥିଲେ। ଖବର ଲେଖିବାର ଶୈଳୀ, କେଉଁ ଖବରକୁ ସ୍ଥାନିତ କରାଯିବ, କାହାକୁ ଗୁରୁତ୍ବ ଦିଆଯିବନି ସେନେଇ ଅବଧାରଣାରେ ପରିବର୍ତ୍ତନ ହେଉଛି। ଭାଇରାଲ୍‌ ନିଉଜ୍‌ ଜାଲରେ ପଡ଼ି ସାମ୍ବାଦିକତା ଏବେ ଚଟପଟା ଖବର ମୁହାଁ ହୋଇଛି। ବିନା‌ ଅନୁସନ୍ଧାନରେ ‌ହେଉଥିବା ଗୋଟିଏ ଖବର ଜଣେ ବ୍ୟକ୍ତିଙ୍କ ଚରିତ୍ର ସଂହାର କରିଦେଉଛି। ସେସବୁ ଦିଗ ପ୍ରତି ସ‌ଚେତନ ହେବାର ଆବଶ୍ୟକତା ରହିଥିବା ଶ୍ରୀ ରାଘବେନ୍ଦ୍ର କହିଛନ୍ତି। ଏହି ପର୍ଯ୍ୟାୟରେ ସଂଘର ଉପ ସଭାପତି ଉମାକାନ୍ତ ପଣ୍ଡା ମଞ୍ଚ ପରିଚାଳନା କରିଥିଲେ।ସାମ୍ବାଦିକତା କ୍ଷେତ୍ରରେ ଦୀର୍ଘ ବର୍ଷର ସେବା ଯୋଗୁ ବରିଷ୍ଠ ସାମ୍ବାଦିକ ସନ୍ତୋଷ ମହାପାତ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

ଦ୍ବିତୀୟ ପର୍ଯ୍ୟାୟ ଅନୁଶୀଳନ କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଶ୍ରୀ ହୋତା ସାମିଲ୍‌ ହୋଇ ଗଣମାଧ୍ୟମର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ। କିଭଳି ଗୋଟିଏ ଖବର ଜଣେ ମନ୍ତ୍ରୀଙ୍କୁ ଶପଥ ନେବାରୁ ବଞ୍ଚିତ କରିପାରେ ସେନେଇ ତତ୍କାଳୀନ ସୂଚନା ଓ ପ୍ରସାରଣ ମନ୍ତ୍ରୀ ନନ୍ଦିନୀ ଶତପଥୀଙ୍କ ଉଦାହରଣ ଦେଇଥିଲେ। ଅଲତାଫ ହୁ‌ସୈନଙ୍କ ବିବିସି ସାକ୍ଷାତକାରରେ କିଭଳି ସମଗ୍ର କରାଚି ବନ୍ଦ ହୋଇଯାଉଥିଲା ଉକ୍ତ ଉଦାହରଣ ଦେଇ ଗଣମାଧ୍ୟମର ଶକ୍ତି ଉପରେ ବର୍ଣ୍ଣନା କରିଥିଲେ ଶ୍ରୀ ହୋତା। ସଂଘର ଉପଦେଷ୍ଟା ବସନ୍ତ ଜେନା ଓ ତେଜସ୍କର ମହାପାତ୍ର ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ବୁଦ୍ଧିଜୀବୀ, ବରିଷ୍ଠ ନାଗରିକ, ଆଇନ୍‌ଜୀବୀ, ବ୍ୟବସାୟୀ ସେମାନଙ୍କର ମତାମତ ରଖିଥିଲେ। ସଂଘର ସାଧାରଣ ସମ୍ପାଦକ ଭରତ ପାତ୍ର ସ୍ବାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। ଶେଷରେ ଉପଦେଷ୍ଟା ପ୍ୟାରେଲାଲ୍‌ ଶ୍ରୀବାସ୍ତବ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ସୁରେନ୍ଦ୍ର ବାରିକ, ରବି ସାହୁ, ପ୍ରୀତମ ପଣ୍ଡା, ବିକ୍ରମ ମହାପାତ୍ର, ଦେବୁନ ବକ୍ସ, ଜିତେନ୍ଦ୍ର ସାହୁ, ଅନିଲ ମହାରଣା, ସନତ ମିଶ୍ର, ଅଶାନ୍ତ ଜେନା, ରାଜୀବ ସିଂ, କୁଞ୍ଜ ପଟେଲ, ଚିରଞ୍ଜୀଲାଲ୍ ଅଗ୍ରୱାଲ, ମହେନ୍ଦ୍ର ସାଏ, ଦେବେନ୍ଦ୍ର ବେହେରା, ସୁମନ୍ତ ବହିଦାର, ଡିଲେଶ୍ବର ବାଗଙ୍‌କ ସମେତ ଜିଲ୍ଲା ସାମ୍ବାଦିକ ସଂଘର ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ।