LIVE TV

SI ପରୀକ୍ଷା ତ୍ରୁଟିଶୂନ୍ୟ ଏବଂ ଦୁର୍ନୀତି ମୁକ୍ତ କରିବାକୁ ଆମେ ବ୍ୟବସ୍ଥା କରିଥିଲୁ, ବିଭ୍ରାଟ ହେବା ପୂର୍ବରୁ ଠାବ କଲୁ

NEWS7
DGP

ଭୁବନେଶ୍ବର ୧୦: ପୋଲିସ ଏସ୍‌ଆଇ ନିଯୁକ୍ତି ପରୀକ୍ଷା ଦୁର୍ନୀତି ମାମଲାର ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ସୂଚନା ଦେଇଛନ୍ତି ପୋଲିସ ଡିଜି ଯୋଗେଶ ବାହାଦୂର ଖୁରାନିଆ । ସେ ଆହୁରି କହିଛନ୍ତି, ପୂର୍ବରୁ ପରୀକ୍ଷା ତ୍ରୁଟିଶୂନ୍ୟ ଏବଂ ଦୁର୍ନୀତି ମୁକ୍ତ କରିବା ପାଇଁ ଆମେ ବ୍ୟବସ୍ଥା କରିଥିଲୁ । ଏଥିପାଇଁ ଜିଲ୍ଲା ଏସ୍‌ପି ଓ ପୋଲିସ ଅଧିକାରୀ ମାନଙ୍କୁ ସତର୍କ କରାଯାଇଥିଲା । ଫଳସ୍ୱରୂପ ଆମେ ପରୀକ୍ଷାରେ ବିଭ୍ରାଟ ହେବା ପୂର୍ବରୁ ଠାବ କରିପାରିଲୁ । ଏ ଘଟଣାର ତଦନ୍ତ ଚାଲିଛି ଖୁବ୍‌ଶୀଘ୍ର ଅନ୍ୟ ଅଭିଯୁକ୍ତ ଧରାପଡ଼ିବେ ବୋଲି ପୋଲିସ ଡିଜି କହିଛନ୍ତି ।

ଅନ୍ୟପଟେ ପୋଲିସ ଏସ୍‌ଆଇ ନିଯୁକ୍ତି ପରୀକ୍ଷା ଦୁର୍ନୀତି ମାମଲାର ମୁଖ୍ୟ ଅଭିଯୁକ୍ତ ତଥା ମାଷ୍ଟରମାଇଣ୍ଡ କୁହାଯାଉଥିବା ଶଙ୍କର ପୃଷ୍ଟି ଆଗୁଆ ଜାମିନ ଆବେଦନ କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି । କ୍ରାଇମବ୍ରାଞ୍ଚ ପକ୍ଷରୁ ଏହି ଘଟଣାର ତଦନ୍ତ କରାଯାଇ ଶଙ୍କର କେଳେଙ୍କାରୀର ମାଷ୍ଟର ମାଇଣ୍ଡ ବୋଲି ଜଣାପଡ଼ିଥିଲା  କ୍ରାଇମବ୍ରାଞ୍ଚ ତାନାଁରେ ମାମଲା ରୁଜୁ  କରିବା ପରେ ସେ ଏପର୍ଯ୍ୟନ୍ତ ଫେରାର ଅଛି । ସମ୍ଭାବ୍ୟ  ଗିରଫଦାରୀକୁ ଏଡ଼ାଇବା ଲାଗି ସେ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଛି ।

ସୂଚନାଯୋଗ୍ୟ ଯେ, ପୋଲିସ ଏସ୍‌ଆଇ ପରୀକ୍ଷା ଟେଣ୍ଡର ଜରିଆରେ ପିଏସ୍‌ୟୁ ଆଇଟିଆଇ ଲିମିଟେଡ୍‌ ସଂସ୍ଥାକୁ ଦିଆଯାଇଥିଲା । ଏହି ସଂସ୍ଥା ଭୁବନେଶ୍ୱରର ସିଲିକନ୍‌ ଟେକ୍ନୋଲାବ୍‌କୁ ଓ ସିଲିକନ୍‌ ପକ୍ଷରୁ ଏହି କାମ ପଞ୍ଚସଫ୍ଟକୁ ଦିଆଯାଇଥିଲା । ପଞ୍ଚସଫ୍ଟକୁ ପରୀକ୍ଷା ପରିଚାଳନା ଲାଗି ୩୫ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିଲା । ପଞ୍ଚସଫ୍ଟ ଟେକ୍ନୋଲୋଜି ଲିମିଟେଡ୍‌ର ନିର୍ଦ୍ଦେଶକ ଭାବେ ଶଙ୍କର ପୃଷ୍ଟି କାର୍ଯ୍ୟ କରୁଥିଲା ଯେଉଁଠାରେ ଯାବତୀୟ କେଳେଙ୍କାରୀ ହୋଇଥିବା ଜଣାପଡ଼ିଛି । କ୍ରାଇମବ୍ରାଞ୍ଚ ପକ୍ଷରୁ ଏହି ମାମଲାରେ ୧୧୪ ଜଣ ଆଶାୟୀ ପ୍ରାର୍ଥୀ, ୫ ଜଣ ଦଲାଲଙ୍କୁ ଗିରଫ କରାଯାଇଛି । ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟି ଫେରାର ରହିଛି ।