ଭୁବନେଶ୍ୱର ୦୪/୧୦: ପୋଲିସ ଏସ୍‌ଆଇ ପରୀକ୍ଷା ଜାଲିଆତିର ନେଟୱର୍କ ରାଜ୍ୟସାରା ବ୍ୟାପିଛି । ପଛରେ ଅଛି ବଡ଼ ରାକେଟ । ସବୁ ଷଡ଼ଯନ୍ତ୍ର ପରିଚାଳିତ ହେଉଥିଲା କିଛି ବଡ଼ମୁଣ୍ଡଙ୍କ ଦ୍ୱାରା । ଏହାକୁ ଏବେ ଖୋଜୁଛି କ୍ରାଇମବ୍ରାଞ୍ଚ । ଗିରଫ ହୋଇଥିବା ପରୀକ୍ଷାର୍ଥୀ ଓ ଦଲାଲଙ୍କ ଘର ୧୮ ଜିଲ୍ଲାରେ ରହିଛି । ଏହାର ଅର୍ଥ ସମସ୍ତ ଜିଲ୍ଲାରେ ଏହି ନେଟୱର୍କର ଦଲାଲ ସକ୍ରିୟ ରହିଛନ୍ତି । ଏବେ ଗିରଫ ହୋଇଛନ୍ତି ମାତ୍ର ୩ ଦଲାଲ । ଅନ୍ୟମାନଙ୍କୁ ଠାବ କରିବାକୁ କ୍ରାଇମବ୍ରାଞ୍ଚ ସବୁ ଜିଲ୍ଲାକୁ ଟାର୍ଗେଟ କରିଛି । ଅପରପକ୍ଷରେ, ଦଲାଲ ଓ ପରୀକ୍ଷାର୍ଥୀଙ୍କ ଭିତରେ କିଛି କୋଚିଂ ସେଣ୍ଟର ମଧ୍ୟସ୍ଥି ଭୂମିକା ନେଇଥିବା ପୋଲିସ ଅନୁମାନ କରୁଛି । 

ସେପଟେ କ୍ରାଇମବ୍ରାଞ୍ଚ ଡିଏସ୍‌ପି ରତ୍ନପ୍ରଭା ଶତପଥୀଙ୍କୁ ଏସଆଇ ପରୀକ୍ଷାର ତଦନ୍ତ ଦାୟିତ୍ବ ମିଳିଛି । ଗୋଳନ୍ଥରା ଥାନାରେ ରୁଜୁ ହୋଇଥିବା ସମସ୍ତ ମାମଲାର ସେ ତଦନ୍ତ କରିବେ। ସୁପରଭାଇଜିଂ ଅଫିସର ଭାବେ ରହିବେ କ୍ରାଇମବ୍ରାଞ୍ଚ ଏସପି ଅନୀଲ ବେଉରିଆ ସହଯୋଗ କରିବେ। ଏହି କେଳେଙ୍କାରୀରେ ରାଜନେତାଙ୍କ ଠାରୁ ଆରମ୍ଭ କରି ବରିଷ୍ଠ ପୋଲିସ ଅଧିକାରୀଙ୍କ ସମ୍ପୃକ୍ତି ରହିଥିବା ସନ୍ଦେହ ବଢ଼ିଲାଣି । କେବଳ ସେତିକି ନୁହେଁ, ଯେଉଁ ସବୁ ସଂସ୍ଥାରେ ପୂର୍ବରୁ କଳାଦାଗ ଲାଗିଛି, ପ୍ରଶ୍ନପତ୍ର ପ୍ରସ୍ତୁତି ଓ ପରୀକ୍ଷା ପରିଚାଳନା ପାଇଁ ସେହି ସବୁ ସଂସ୍ଥାକୁ ଦାୟିତ୍ବ ନ୍ୟସ୍ତ କରାଯାଇଛି । 

କ୍ରାଇମ୍‌ବ୍ରାଞ୍ଚ ଏବେ ଏସବୁ ଦିଗକୁ ନେଇ ତନାଘନା କଲାଣି। ଅନ୍ୟପକ୍ଷରେ ଏହି ଘଟଣାରେ ପୁଲିସ ୧୧୪ ଜଣ ପରୀକ୍ଷାର୍ଥୀ ଓ ୩ଜଣ ଦଲାଲଙ୍କୁ ଗିରଫ କରିଥିବା ବେଳେ ରୢାକେଟ୍‌ ପଛର ମାଷ୍ଟରମାଇଣ୍ଡ ଏବେ ବି ଫେରାର ଅଛନ୍ତି।  କ୍ରାଇମ୍‌ବ୍ରାଞ୍ଚ ଟିମ୍‌ ସିଲିକନ୍‌ ଟେକ୍‌ ଲ୍ୟାବ୍‌ର ମାଲିକଙ୍କ ସମେତ ୫ରୁ ଅଧିକଙ୍କୁ ମାରାଥନ ଜେରା କରି ଅନେକ ତଥ୍ୟ ହାତେଇଛି। ସେହିପରି ଭୁବନେଶ୍ବର ଓ ବ୍ରହ୍ମପୁରସ୍ଥିତ ପଞ୍ଚସଫ୍‌ଟ ଏବଂ ଅନ୍ୟ ୩ଟି ଅଫିସରେ ଚଢ଼ଉ କରି ଅନେକ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ କରିବା ସହ ଅଫିସ୍‌କୁ ସିଲ୍‌ କରିଛି ।