LIVE TV

ଏସଆଇ ପରୀକ୍ଷା ଘଟଣାରେ OPRBର କୈଫତ: ପୋଲିସ୍ ସବ୍-ଇନ୍ସପେକ୍ଟର ପରୀକ୍ଷା ଘଟଣା ପଛରେ ଷଡ଼ଯନ୍ତ୍ର

NEWS7
Conspiracy behind Police Sub-Inspector exam incident: OPRB

ଭୁବନେଶ୍ବର: ବହୁ ଚର୍ଚ୍ଚିତ ପୋଲିସ ଏସଆଇ ପରୀକ୍ଷାରେ ବିଭ୍ରାଟ ଘଟଣାକୁ ନେଇ ଓପିଆରବି କୈଫତ ରଖିଛି। ଓପିଆରବି ପକ୍ଷରୁ କୁହାଯାଇଛି, ପୂରା ଘଟଣାରେ ଷଡ଼ଯନ୍ତ୍ର କରାଯାଇଛି। ଏଥିରେ ଥର୍ଡ ପାର୍ଟିର ତ୍ରୁଟି ରହିଛି। ଅନ୍ୟ ସଂସ୍ଥା ଚୁକ୍ତି ଭାଙ୍ଗିଛି। ଓଡ଼ିଶାର ଶିକ୍ଷିତ ଯୁବକ-ଯୁବତୀଙ୍କ ବିରୋଧରେ ଏକ ସଚେତନ ଷଡ଼ଯନ୍ତ୍ର ଚାଲିଛି। ଷଡ଼ଯନ୍ତ୍ରକାରୀଙ୍କ ଉଦ୍ଦେଶ୍ୟ, ବିଭିନ୍ନ ଏଜେନ୍ସି ଦ୍ବାରା ଚାଲିଥିବା ଭର୍ତ୍ତି ପ୍ରକ୍ରିୟାକୁ ବାଧା ଦେବା କିମ୍ବା ବିଳମ୍ବ କରାଇବା । ପୂର୍ବରୁ ମଧ୍ୟ ଏପରି କିଛି ଘଟଣା ଘଟିଛି।

ଏସଆଇ ପରୀକ୍ଷାକୁ ନେଇ ଓପିଆରବି ପକ୍ଷରୁ କୁହାଯାଇଛି ଯେ, ସେପ୍ଟେମ୍ବର ୨୯ରେ ଓଡ଼ିଶା ପୋଲିସ ରିକ୍ରୁଟମେଣ୍ଟ ବୋର୍ଡ ପରୀକ୍ଷାରେ ଅନିୟମିତତା ଜାଣିବା ପରେ ସଙ୍ଗେ ସଙ୍ଗେ କ୍ରାଇମବ୍ରାଞ୍ଚକୁ ଜଣାଇଥିଲେ । ଯେମିତି ସମ୍ପୂର୍ଣ୍ଣ ତଦନ୍ତ ହେବ ଏବଂ ଦୋଷୀମାନଙ୍କ ବିରୋଧରେ କଠୋର କାର୍ଯ୍ୟ ନିଆଯାଉ। ଏହାର ପରଦିନ ବ୍ରହ୍ମୁପରରୁ କିଛି ଅଭିଯୁକ୍ତ ଧରାପଡ଼ିଲେ। ଏହା ପରେ OPRB ପରୀକ୍ଷାରେ ସ୍ବଚ୍ଛତା ପାଇଁ ତୁରନ୍ତ ଲିଖିତ ପରୀକ୍ଷାକୁ ରଦ୍ଦ କରାଯାଇଥିଲା।

ବର୍ତ୍ତମାନ କ୍ରାଇମବ୍ରାଞ୍ଚ୍ ଘଟଣାର ତଦନ୍ତ କରୁଛି ଏବଂ ଦୋଷୀମାନଙ୍କ ଉପରେ କଠୋର କାର୍ଯ୍ୟନୁଷ୍ଠାନ ନିଆଯାଉଛି। OPRB ସମସ୍ତ ଆବଶ୍ୟକ ତଥ୍ୟ ଓ ସାକ୍ଷ୍ୟ ପ୍ରଦାନ କରି କ୍ରାଇମବ୍ରାଞ୍ଚକୁ ପୂର୍ଣ୍ଣ ସହଯୋଗ କରୁଛି। ଆଶା କରାଯାଉଛି ଯେ ତଦନ୍ତ ଶେଷ ହେଲେ ITI Ltd, Silicon Ltd, Panchsoft Ltd ଉପରେ କଠୋର କାର୍ଯ୍ୟାନୁଷ୍ଠାନ ହେବ। ଏହା ପରେ ପରୀକ୍ଷା ପ୍ରକ୍ରିୟା ପୁନଃ ଆରମ୍ଭ ହେବ।

ବୋର୍ଡ ତରଫରୁ ଆହୁରି କୁହାଯାଇଛି ଯେ, କିଛି କୁଚକ୍ରିମାନେ ଲୋକଙ୍କ ମଧ୍ୟରେ ଭୁଲ ଧାରଣା ପ୍ରସାର କରୁଛନ୍ତି ଏବଂ ଅନାବଶ୍ୟକ ଭାବେ OPRBକୁ ଏମିତି ଘଟଣାରେ ଯୋଡ଼ିବାକୁ ଚାହୁଛନ୍ତି। ଏହାର ଲକ୍ଷ୍ୟ ହେଉଛି ବ୍ୟବସ୍ଥାକୁ ଅପମାନ କରିବା ଓ ନିଯୁକ୍ତି ପ୍ରକ୍ରିୟାକୁ ବିଳମ୍ବ କରାଇ ଯୋଗ୍ୟ ଆବେଦକଙ୍କୁ ବାଦ୍ ପକାଇବା।

ଉଲ୍ଲେଖଯୋଗ୍ୟ, ମୂଳ ଟେଣ୍ଡର ଓ ଚୁକ୍ତି ଅନୁସାରେ, ପ୍ରଶ୍ନପତ୍ର ପ୍ରସ୍ତୁତି, ଛପା ଓ ଏହା ସହ ଜଡ଼ିତ ସବୁ କାମ ITI Ltd.କୁ ଦିଆଯାଇଥିଲା । ଯଦି ITI ସେହି କାମର କିଛି ଅଂଶ Silicon Ltdକୁ ଦେଇଥାଏ, ତେବେ ସେଥିରେ ଦାୟିତ୍ଵ ITIର ଥାଏ। ସେହିପରି Silicon ଯଦି Panchsoft Ltdକୁ କିଛି କାମ ଦେଇଥାଏ, ତେବେ ସେଥିପାଇଁ ITIର ନିୟନ୍ତ୍ରଣ ଓ ନିରୀକ୍ଷଣ ଆବଶ୍ୟକ ଥିଲା। ଏହି କାରଣରୁ OPRB, ITI Ltdକୁ ଚୁକ୍ତି ଉଲଂଘନ ପାଇଁ ଶୋ-କଜ୍ ନୋଟିସ୍ ଜାରି କରିଛି।

OPRB ନିଜେ ଏକ ଛୋଟ ସଂଗଠନ, ଯେଉଁଠି କେବଳ ତିନିଜଣ ସଦସ୍ୟ, ତିନିଜଣ ଅଧିକାରୀ ଏବଂ କିଛି କନଷ୍ଟେବଲ ରହିଛନ୍ତି । ସେମାନଙ୍କ ଦାୟିତ୍ବ ହେଉଛି, ବିଜ୍ଞପ୍ତି ପ୍ରକାଶ ଓ ଆବେଦନ ପ୍ରକ୍ରିୟା, ଜିଲ୍ଲା ପୋଲିସ୍ ସହ ସମନ୍ବୟ, ପରୀକ୍ଷା କେନ୍ଦ୍ର ଓ ସୁରକ୍ଷା ବ୍ୟବସ୍ଥା, ଶାରୀରିକ ପରୀକ୍ଷା ପରିଚାଳନା, ଏବଂ ଫଳାଫଳ ପ୍ରକାଶ ପର୍ଯ୍ୟନ୍ତ ସମଗ୍ର ପ୍ରକ୍ରିୟା ନିରୀକ୍ଷଣ କରିବା।

ପରୀକ୍ଷାର ପାରଦର୍ଶିତା ନିଶ୍ଚିତ କରିବା ପାଇଁ ପ୍ରଶ୍ନପତ୍ରର ରକ୍ଷଣ ଶୃଖଳା, ପରୀକ୍ଷା ପରିଚାଳନା, ପର୍ୟବେକ୍ଷକ, ପରୀକ୍ଷକ ଓ ନୋଡାଲ ଅଫିସରଙ୍କ ଦାୟିତ୍ବ ଆଦି ସଂପର୍କରେ OPRB ପୂର୍ବରୁ ମଧ୍ୟ ବିସ୍ତୃତ ନିୟମାବଳୀ ଜାରି କରିଥିଲା। ଏବେ ମଧ୍ୟ OPRB ସମସ୍ତ ପ୍ରାର୍ଥୀଙ୍କୁ ନିଶ୍ଚିତ କରିଛି ଯେ, କ୍ରାଇମ୍ ବ୍ରାଞ୍ଚ୍ ତଦନ୍ତ ଶେଷ ହେବାପରେ, ଭର୍ତ୍ତି ପ୍ରକ୍ରିୟା ପୁନଃ ଆରମ୍ଭହେବ ଏବଂ ଶୀଘ୍ର ସମାପ୍ତ ହେବ।

ଏହା ସହ ଘଟଣା ପଛରେ ଥ‌ିବା ଷଡ଼ଯନ୍ତ୍ରକାରୀମାନଙ୍କୁ ଚିହ୍ନଟ କରିବା ଅତ୍ୟାବଶ୍ୟକ। ସେମାନେ କେବଳ ପରୀକ୍ଷା ପ୍ରକ୍ରିୟାରେ ବିଭ୍ରାଟ କରିନାହାଁନ୍ତି  ବରଂ ସମଗ୍ର ନିଯୁକ୍ତି ପ୍ରକ୍ରିୟାକୁ ବାଧା ଦେବାକୁ ଚେଷ୍ଟା କରୁଛନ୍ତି। ସେମାନଙ୍କ କାର୍ଯ୍ୟ ଓଡ଼ିଶାର ଶିକ୍ଷିତ ଯୁବବର୍ଗଙ୍କ ଆଶା ଓ ଆକାଂକ୍ଷାଙ୍କୁ କଷ୍ଟ ଦେଇଛି। ସେମାନଙ୍କୁ ଚିହ୍ନଟ କରି ଯଥୋଚିତ ଶାସ୍ତି ଦିଆଯିବା ଦରକାର।