ଭୁବନେଶ୍ବର ୧୦: ନୂଆପଡ଼ା ଉପନିର୍ବାଚନ ପାଇଁ ଚାଲିଛି ପ୍ରାର୍ଥୀଙ୍କ ଅଙ୍କକଷା । କିଏ ଜିତିବ ନୂଆପଡ଼ା ବାଜି ? ଚାଲିଛି ପ୍ରାର୍ଥୀଙ୍କ ମଧ୍ୟରେ ପ୍ରତିଯୋଗିତା । ନୂଆପଡ଼ା ଉପନିର୍ବାଚନ ପାଇଁ ବିଜେଡି, ବିଜେପି ଏବଂ କଂଗ୍ରେସ  ତିନି ପ୍ରମୁଖ ରାଜନୈତିକ ଦଳ ପକ୍ଷରୁ ସଜବାଜ ଆରମ୍ଭ ହୋଇଗଲାଣି । ମୈଦାନରେ ପ୍ରଚାର ଜୋରଦାର କରିଛନ୍ତି ପ୍ରାର୍ଥୀ ।

ତେବେ ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ନୂଆପଡ଼ା ଉପନିର୍ବାଚନ ପାଇଁ ପ୍ରଚାରକୁ ନେଇ କଂଗ୍ରେସ ବିଧାୟକ ପବିତ୍ର ସାଉଁନ୍ତା ପ୍ରତିକ୍ରିୟା ରଖି କହିଛନ୍ତି, ୨୦୨୪ରେ ଏହି ଅଞ୍ଚଳରେ କଣ୍ଟାବାଞ୍ଜିରୁ ନିର୍ବାଚନ ଲଢ଼ିଥିଲେ ଆଉ ହାରିଥିଲେ । ସେ ଯିଏ ଆସିଲେ ମଧ୍ୟ ଏହାର ପ୍ରଭାବ ପଡିବ ନାହିଁ । ବିଜେଡିର ଅସଲ ଚିତ୍ର ନୂଆପଡ଼ାବାସୀ ଜାଣିଛନ୍ତି । ସେପଟେ ବିଜେପିକୁ ଲୋକ ଏଠାରେ ଗ୍ରହଣ କରିବେ ନାହିଁ । କଂଗ୍ରେସର ବିଜୟ ସୁନିଶ୍ଚିତ ବୋଲି କଂଗ୍ରେସ ବିଧାୟକ କହିଛନ୍ତି ।​​​​​​​​​​​​​​

ସୂଚନାଯୋଗ୍ୟ ଯେ, ନୂଆପଡ଼ାରେ ବିଜେଡି ପ୍ରଚାରର ମଙ୍ଗ ଧରିବେ ନବୀନ । ସାଧାରଣ ସଭା ସହ କରିବେ ରୋଡ୍‌ ଶୋ’ । ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କ ପାଇଁ  ମାଗିବେ ଭୋଟ୍‌ । ନୂଆପଡ଼ା ଉପ ନିର୍ବାଚନ ପାଇଁ ଜମିଲାଣି ପ୍ରଚାର । ଆଗକୁ ମଇଦାନକୁ ଓହ୍ଲାଇବେ ସବୁ ଦଳର ହେଭିଓ୍ବେଟ୍‌ । ଏହାରି ଭିତରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ମଧ୍ୟ ନୂଆପଡ଼ାରେ ବିଜେଡି ପ୍ରାର୍ଥୀଙ୍କ ଲାଗି ପ୍ରଚାର ମଇଦାନକୁ ଓହ୍ଲାଇବେ ବୋଲି ଜଣାପଡ଼ିଛି । ନଭେମ୍ବର ୩ ତାରିଖରେ କୋମନା ଠାରେ ଏକ ସାଧାରଣ ସଭାରେ ଯୋଗ ଦେବେ ନବୀନ । କୋମନା ବିଜେଡିର ଏକ ବଡ଼ ଭୋଟ୍‌ ବ୍ୟାଙ୍କ ହୋଇଥିବାରୁ ଏଠାରେ ଭୋଟ୍‌ ଯେମିତି ଭାଗ ନହୁଏ ସେଥିପାଇଁ  ବଡ଼ ପ୍ଲାନ୍‌ କରିଛି ବିଜେଡି । ଆଉ ନବୀନଙ୍କ କୋମନା ଗସ୍ତ ବଡ଼ ପ୍ରଭାବ ପକାଇବ ବୋଲି ଆଶା ରଖିଛି ଦଳ ।

ସେହିଭଳି ନଭେମ୍ବର ୭ ତାରିଖରେ  ଖରିଆର ରୋଡ୍‌ ଠାରୁ ନୂଆପଡ଼ା ପର୍ଯ୍ୟନ୍ତ ପ୍ରାୟ ୧୨ କିଲୋମିଟର ରୋଡ୍‌ ଶୋ' କରିବେ ନବୀନ । ନୂଆପଡ଼ା ଉପ ନିର୍ବାଚନରେ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କୁ ଭୋଟ୍‌ ଦେବାକୁ ନୂଆପଡ଼ା ବାସୀଙ୍କୁ ଅପି କରିବେ ବିରୋଧୀ ଦଳ ନେତା । ତେବେ ନୂଆପଡ଼ା ପ୍ରଚାରରେ ନବୀନଙ୍କ ଏଣ୍ଟ୍ରିକୁ ନେଇ ଉତ୍ସାହିତ ଅଛି ବିଜେଡି କ୍ୟାମ୍ପ୍‌ । ନୂଆପଡ଼ାରେ ବିଜେଡିର ନିଶ୍ଚିତ ବିଜୟକୁ ନେଇ ଦମ୍ଭୋକ୍ତି କରିଛନ୍ତି ଦଳୀୟ ନେତା ।

ସେପଟେ ଘାସିରାମ ମାଝୀ କହିଛନ୍ତି, ମୁଁ ହେଉଛି ନୂଆପଡ଼ାର କିଙ୍ଗ୍ ମେକର୍ । ମୋର ୪୧ ବର୍ଷଅଭିଜ୍ଞତା ରହିଛି । ମୋ ସମୟର ନେତା ରାଜେନ୍ଦ୍ର ଢୋଲକିଆ ଓ ବସନ୍ତ ପଣ୍ଡା । ସେମାନେ ଜିତିଛନ୍ତି । ଅନ୍ୟ ପ୍ରାର୍ଥୀଙ୍କ ଅଭିଜ୍ଞତା ନାହିଁ । ଦୁଇ ଦଳର ପ୍ରାର୍ଥୀ ଆମଦାନୀ । ମୁଁ ଜଣେ ଶିକ୍ଷିତ ପ୍ରାର୍ଥୀ । ମୁଁ ସବୁଠାରୁ ଶ୍ରେଷ୍ଠ ପ୍ରାର୍ଥୀ । ମୁଁ ସବୁ ପରୀକ୍ଷାରେ ତାଙ୍କଠାରୁ ଆଗରେ । କିଙ୍ଗ୍ ମେକର୍‌ର ଅଧିକ ବୁଦ୍ଧି ଥାଏ ।

ସ୍ଵର୍ଗତ ଘାସିରାମ ମାଝୀ ମୋର ଗୁରୁ । ତାଙ୍କ ପୁଅ ଟିକେ ହୁସିଆର ନ ଥିଲେ। ତେଣୁ ସେ ମୋତେ ତାଙ୍କ ଦାୟାଦ କୁହନ୍ତି । ମୁଁ ହିଁ ଅରିଜିନାଲ ଘାସିରାମ । ମୁଁ ରାଜେନ୍ଦ୍ର ଢୋଲକିଆଙ୍କୁ ତିଆରି କରିଥିଲି । ବିହାରରୁ ଆସି ପ୍ରଶାନ୍ତ କିଶୋରଙ୍କ ଟିମ୍ ଆମ ପାଇଁ କାମ କରୁଛି । ଶାସକ ଦଳ ଉପନିର୍ବାଚନ ଜିତେ, ଏହା ଏଥର ଭୁଲ୍ ପ୍ରାମାଣିତ ହେବ ବୋଲି ଘସିରାମ ମାଝୀ କହିଛନ୍ତି ।