News7 Logo

ଆଫଗାନିସ୍ତାନ, ଶ୍ରୀଲଙ୍କା, ବାଂଲାଦେଶ ଆଉ ଏବେ ନେପାଳ...ଚାରି ବର୍ଷରେ ଭାରତର ୪ ପଡ଼ୋଶୀ ଦେଶରେ ଶାସନର ପତନ

NEWS7

ନୂଆଦିଲ୍ଲୀ: ଭାରତର ପଡ଼ୋଶୀ ଦେଶଗୁଡ଼ିକରେ ଗତ ଚାରି-ପାଞ୍ଚ ବର୍ଷ ହେଲା ଅସ୍ଥିରତା ରହିଛି । ପ୍ରଥମେ ଆଫଗାନିସ୍ତାନ, ଶ୍ରୀଲଙ୍କା, ପରେ ବାଂଲାଦେଶ ଆଉ ଏବେ ନେପାଳରେ କ୍ଷମତା ପରିବର୍ତ୍ତନ ହୋଇଛି । ନେପାଳରେ ସୋସିଆଲ୍ ମିଡିଆ ବ୍ୟାନ୍ ବିରୁଦ୍ଧରେ ଆରମ୍ଭ ହୋଇଥିବା ଜେନ୍-ଜି ଆନ୍ଦୋଳନ ପରେ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ନିଜ ପଦରୁ ଇସ୍ତଫା ଦେଇଛନ୍ତି । ପ୍ରଦର୍ଶନକାରୀ ନେପାଳ ସଂସଦଠାରୁ ଆରମ୍ଭ କରି ସୁପ୍ରିମକୋର୍ଟ ଓ ଅନେକ ମନ୍ତ୍ରୀଙ୍କ ଘରେ ପୋଡ଼ାଜଳା କରିଛନ୍ତି । ପିଏମ୍ ଓଲି ଶର୍ମାଙ୍କ ଇସ୍ତଫା ପରେ ବି ଲୋକଙ୍କ ରାଗ ଶାନ୍ତ ହେବାର ନାଁ ଧରୁ ନାହିଁ । ବିକ୍ଷୋଭକାରୀ କାଠମାଣ୍ଡୁ ଉପରେ କବଜା କରିଛନ୍ତି ।

ନେପାଳରେ ବର୍ତ୍ତମାନ ସୁଦ୍ଧା ପ୍ରଧାନମନ୍ତ୍ରୀଙ୍କ ସମେତ ୫ ମନ୍ତ୍ରୀ ଓ ବିରୋଧୀ ଦଳର ୨୦ରୁ ଅଧିକ ସାଂସଦ ସାମୂହିକ ଇସ୍ତଫା ଦେଇସାରିଛନ୍ତି । ଏପରି ସ୍ଥିତିରେ ସଂସଦ ଭଙ୍ଗ କରି ପୁଣି ଥରେ ନିର୍ବାଚନ କରାଇବା ପାଇଁ ବିରୋଧୀ ଦଳଗୁଡିକ ଦାବି କରିଛନ୍ତି । ନେପାଳରେ ସୋସିଆଲ୍ ମିଡିଆ ବ୍ୟାନ, ଦୁର୍ନୀତି ଓ ପରିବାରବାଦ ବିରୋଧରେ ସୋମବାର ଆରମ୍ଭ ହୋଇଥିବା ପ୍ରଦର୍ଶନର ୩୦ ଘଣ୍ଟା ଭିତରେ ହିଁ ପ୍ରଧାନମନ୍ତ୍ରୀ ଓଲିଙ୍କୁ ଇସ୍ତଫା ଦେବାକୁ ପଡ଼ିଥିଲା । ଗତ କିଛି ବର୍ଷରେ ଭାରତର ଅନ୍ୟ ପଡ଼ୋଶୀ ଦେଶରେ ବି ଏପରି ସ୍ଥିତି ଉତ୍ପନ୍ନ ହୋଇଥିଲା, ଯେଉଁଥିରେ କ୍ଷମତାରେ ବସିଥିଲା ଲୋକେ ଜନଆକ୍ରୋଶ ସାମନାରେ ଆତ୍ମସମର୍ପଣ କରିଥିଲେ ।

୨୦୨୧ରେ ଆଫଗାନିସ୍ତାନରେ ମଧ୍ୟ ନେପାଳ ପରି ପରିସ୍ଥିତି ସୃଷ୍ଟି ହୋଇଥିଲା । ସେତେବେଳେ ତାଲିବାନ କାବୁଲରେ କ୍ଷମତା ଦଖଲ କରିଥିଲା । ଆଫଗାନିସ୍ତାନରେ ଆମେରିକା ସମର୍ଥିତ ସରକାରର ପତନ ଘଟିଥିଲା ଏବଂ ତାଲିବାନ ଶାସନ ସ୍ଥାପନ ହୋଇଥିଲା । ୨୦୦୧ରେ ଆମେରିକାର ନେତୃତ୍ୱରେ ତାଲିବାନକୁ କ୍ଷମତାରୁ ହଟାଇ ଦିଆଯାଇଥିଲା ଏବଂ ଆସରଫ ଘନି ସରକାର ଗଠନ ହୋଇଥିଲା । କିନ୍ତୁ ୨୦ ବର୍ଷର ସଂଘର୍ଷ ପରେ, ଆମେରିକା-ତାଲିବାନ ଚୁକ୍ତିନାମା ଅନୁଯାୟୀ ୨୦୨୦ରେ ବିଦେଶୀ ସେନା ପ୍ରତ୍ୟାହାର ନିଷ୍ପତ୍ତି ନିଆଯାଇଥିଲା । ଅନ୍ୟପଟେ ତାଲିବାନ ତାର ସାମରିକ ଶକ୍ତି ବୃଦ୍ଧି କରିଥିଲା ଏବଂ ଏପ୍ରିଲ ୨୦୨୧ ସୁଦ୍ଧା ଆଫଗାନିସ୍ତାନରେ ଆକ୍ରମଣକୁ ତୀବ୍ର କରିଥିଲା । ୨୦୨୧ ଅଗଷ୍ଟରେ ତାଲିବାନ ଆଫଗାନିସ୍ତାନର ପ୍ରମୁଖ ସହର ଉପରେ କବଜା କରିଥିଲା । ଏହାପରେ ୨୦୨୧ ଅଗଷ୍ଟ ୧୫ରେ ତାଲିବାନ ଦ୍ୱାରା କାବୁଲ ଉପରେ କବଜା କରାଯାଇଥିଲା । ଜୀବନ ବଞ୍ଚାଇବା ପାଇଁ ତତ୍କାଳୀନ ରାଷ୍ଟ୍ରପତି ଅସରଫ ଘାନି ଦେଶ ଛାଡ଼ି ପଳାୟନ କରିଥିଲେ । ଏହାପରେ ଆଫଗାନିସ୍ତାନରେ ତାଲିବାନ ଶାସନ ସ୍ଥାପନ ହୋଇଥିଲା ।  

ଆଫଗାନିସ୍ତାନରେ ବିଦ୍ରୋହର ଗୋଟିଏ ବର୍ଷ ପରେ, ଅର୍ଥାତ୍ ୨୦୨୨ରେ ଆର୍ଥିକ ସଂକଟ ମଧ୍ୟକୁ ଠେଲି ହୋଇଥିଲା ଶ୍ରୀଲଙ୍କା । ଏହାର ପ୍ରତିବାଦରେ ବଡ଼ ଧରଣର ବିକ୍ଷୋଭ ଆରମ୍ଭ ହୋଇଥିଲା । ଯାହା ଧୀରେ ଧୀରେ ଏକ ଗଣ ଆନ୍ଦୋଳନର ରୂପ ନେଲା । ରାସ୍ତାରେ ପୋଡ଼ାଜଳା, ରାଷ୍ଟ୍ରପତିଙ୍କ ବାସଭବନ, ସଂସଦ, ସବୁ ସ୍ଥାନକୁ କବଜା କରିଥିଲେ ବିକ୍ଷୋଭକାରୀ । ରାଷ୍ଟ୍ରପତି ଭବନର ପୁଲରେ ବିକ୍ଷୋଭକାରୀ ପହଁରୁଥିବାର ଭିଡିଓ ମଧ୍ୟ ସାମ୍ନାକୁ ଆସିଥିଲା । ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେ ରାତି ଅଧରେ ଦେଶ ଛାଡି ମାଳଦ୍ୱୀପ ପଳାଇଥିଲେ ।

ବାଂଲାଦେଶରେ ଗତ ବର୍ଷ ଅର୍ଥାତ୍ ୨୦୨୪ରେ ଛାତ୍ର ଆନ୍ଦୋଳନ ଯୋଗୁ ଶେଖ ହସିନା ସରକାରର ପତନ ହୋଇଥିଲା । ବାଂଲାଦେଶରେ ୨୦୨୪ରେ ଛାତ୍ର ଆନ୍ଦୋଳନକୁ ଦ୍ୱିତୀୟ ସ୍ୱାଧୀନତା ସଂଗ୍ରାମ ବି କୁହାଗଲା । ଏଥିରେ ସେନା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା ଓ ହସିନା ସରକାରର ପତନ ହୋଇଥିଲା । ଶେଖ ହସିନାଙ୍କ ଆୱାମ ଲିଗ୍ ସରକାର ୨୦୦୯ରୁ କ୍ଷମତାରେ ଥିଲା, କିନ୍ତୁ ଦୁର୍ନୀତି, ମାନବାଧିକାର ଉଲ୍ଲଂଘନ ଓ ସଂରକ୍ଷଣ ନୀତିକୁ ନେଇ ଛାତ୍ରମାନଙ୍କ ଆକ୍ରୋଶ ବଢିଥିଲା । ଜୁଲାଇ-ଅଗଷ୍ଟରେ ପ୍ରଦର୍ଶନ ଅଧିକ ହିଂସାତ୍ମକ ହୋଇଥିଲା । ପ୍ରଦର୍ଶନକାରୀଙ୍କ ଉପରେ ଗୁଳି ମାଡ଼ କରିବା ପାଇଁ ସରକାର ନିର୍ଦ୍ଦେଶ ଦେଇଥିଲେ । ଏହି ଗୁଳିମାଡ଼ରେ ୩୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା । ୨୦୨୪ ଅଗଷ୍ଟ ୫ରେ ଶେଖ ହସିନା ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇ ଭାରତରେ ଶରଣ ନେଇଥିଲେ । ସେନା ମୁଖ୍ୟ ଜେନେରାଲ୍ ୱାକର-ଉଜ-ଜମାନ ଅନ୍ତରୀଣ ସରକାରର ଘୋଷଣା କରିଥିଲେ ।

ସେହିପରି, ମିଆଁମାରରେ ଗଣତନ୍ତ୍ର ସମର୍ଥକ ନେତ୍ରୀ ଅଙ୍ଗ ସାନ ସୁ କିଙ୍କୁ ୨୦୨୧ରେ ସେନା ବଳପୂର୍ବକ କ୍ଷମତାରୁ ହଟାଇଥିଲା । ତେବେ ସାମରିକ ବିପ୍ଳବ ବିରୁଦ୍ଧରେ ବହୁ ସଂଖ୍ୟାରେ ଜନସାଧାରଣ ରାସ୍ତାକୁ ଓହ୍ଲାଇବେ ବୋଲି ସେନାର ଧାରଣା ନଥିଲା । ଯେତେବେଳେ ମିଆଁମାରରେ ଲକ୍ଷ ଲକ୍ଷ ଗଣତନ୍ତ୍ର ସମର୍ଥକ ଲୋକ ପ୍ରଦର୍ଶନ କରିଥିଲେ, ସେତେବେଳେ ସେନା ନରସଂହାର ଆରମ୍ଭ କରିଥିଲା । ଯେଉଁମାନେ ପ୍ରତିବାଦ କଲେ ସେମାନଙ୍କୁ ଗୁଳି କରି ହତ୍ୟା କରାଗଲା । ଯେଉଁଥି ପାଇଁ ବାଧ୍ୟ ହୋଇ ସାଧାରଣ ଜନତା ମଧ୍ୟ ସେନା ବିରୁଦ୍ଧରେ ଉଠାଇଲେ ଏବଂ ସଂଘର୍ଷ କଲେ । ଆଜି ମିଆଁମାରରେ ଅନେକ ଛୋଟ ବଡ଼ ଗୋଷ୍ଠୀ ଅଛନ୍ତି ଯେଉଁମାନେ ଜଙ୍ଗଲରେ ରହି ସେନା ବିରୁଦ୍ଧରେ ଲଢ଼ୁଛନ୍ତି ।