ନୂଆଦିଲ୍ଲୀ: ନବରାତ୍ରୀ ଏବଂ ଦଶହରାରେ କଞ୍ଜ୍ୟୁମର ମାର୍କେଟରେ ଦେଖିବାକୁ ମିଳିଛି ଉତ୍ସାହ। ଅନେକ ଉତ୍ପାଦ ଉପରେ ଜିଏସଟି ହ୍ରାସ କାରଣରୁ ଲୋକମାନେ ବେଶ୍ କିଣାକିଣି କରୁଛନ୍ତି। ବିଶେଷ କରି ପାର୍ବଣରେ ଗାଡ଼ି କିଣିବାରେ ଦେଖିବାକୁ ମିଳିଛି ଲୋକଙ୍କ ଆଗ୍ରହ। କାରଣ ବିଭିନ୍ନ କମ୍ପାନିମାନେ ଦେଇଥିବା ତଥ୍ୟ ଅନୁସାରେ ନବରାତ୍ରି ଆରମ୍ଭରୁ ଅର୍ଥାତ୍ ସେପ୍ଟେମ୍ବର ୨୨ରୁ ନେଇ ୨୮ ମଧ୍ୟରେ କାର୍‌ ବିକ୍ରି ୧୩୩% ପର୍ଯ୍ୟନ୍ତ ବଢ଼ିଛି।

ଖାଲି ସେତିକି ନୁହେଁ କାର୍‌କୁ ଛାଡ଼ିଦେଲେ ଗତ ୧ ସପ୍ତାହରେ ମୋଟରସାଇକେଲ, ଟିଭି, ବ୍ୟୁଟି ପ୍ରୋଡକ୍ଟ୍ସ ଏବଂ ପ୍ରିମିୟମ ଘଣ୍ଟାର ବିକ୍ରି ଦୁଇଗୁଣା ହୋଇଛି। ସାବୁନ, ପେଷ୍ଟ, ବିସ୍କୁଟ ଭଳି ଦୈନନ୍ଦିନ ସାମଗ୍ରୀ ମଧ୍ୟ ୨୦% ପର୍ଯ୍ୟନ୍ତ ଅଧିକ ବିକ୍ରି ହୋଇଛି। ଗ୍ରାମାଞ୍ଚଳରେ ମଧ୍ୟ ଅଧିକ ଉତ୍ସାହ ଦେଖିବାକୁ ମିଳିଛି।

ମାରୁତି ସୁଜୁକି, ହ୍ୟୁଣ୍ଡାଇ ଏବଂ ଟାଟା ମୋଟର୍ସର କହିବା ଅନୁସାରେ ନବରାତ୍ରୀରେ ଏପର୍ଯ୍ୟନ୍ତ ବ୍ରକ୍ରି ୧୦୦-୧୩୩% ବଢ଼ିଛି। ମାରୁତି ସୁଜୁକିର ସିନିୟର ଏକ୍ସିକ୍ୟୁଟିଭ ଅଫିସର (ସେଲ୍ସ-ମାର୍କେଟିଂ) ପାର୍ଥୋ ବାନାଜୀ କହିଛନ୍ତି ଟପ୍-୧୦୦ ସହରରେ କମ୍ପାନିର ବୁକିଂ ପ୍ରାୟ ୧୦୦% ବଢ଼ିଛି। ହ୍ୟୁଣ୍ଡାଇ ମୋଟର ଇଣ୍ଡିଆର ନିର୍ଦ୍ଦେଶକ ଏବଂ ସିଓଓ ତରୁଣ ଗର୍ଗ କହିଛନ୍ତି ସେପ୍ଟେମ୍ବର ୨୨-୨୫ ମଧ୍ୟରେ ଗ୍ରାମାଞ୍ଚଳ ବଜାରରେ ୧୩୩% ଅଧିକ ବୁକିଂ ହୋଇଛି।

ସୂଚନାଯୋଗ୍ୟ, ସେପ୍ଟେମ୍ବର ୨୨ରୁ ଛୋଟ କାର୍‌ ଉପରେ GST ୨୯-୩୧%ରୁ ୧୮%କୁ ହ୍ରାସ କରାଯାଇଛି। ଏହା ଗ୍ରାହକଙ୍କୁ ୮.୫-୯.୯% ଲାଭ ଦେଇଥିବାବଳେ ଅଟୋମେକର ଏବଂ ଡିଲରମାନଙ୍କ ପକ୍ଷରୁ ମିଳୁଥିବା ପାର୍ବଣ ଅଫର ଫଳରେ ମୂଲ୍ୟ ୧୨-୧୫%କୁ ଖସିଛି।