News7 Logo

କେନ୍ଦ୍ର କ୍ୟାବିନେଟ୍‌ରେ ୧୫୦୦ କୋଟି ଟଙ୍କାର ଯୋଜନାକୁ ମଞ୍ଜୁରି, ବର୍ଜ୍ୟରୁ ବାହାର କରାଯିବ ମୂଲ୍ୟବାନ ଖଣିଜ

NEWS7
modi

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ଯକ୍ଷତାରେ ବୁଧବାର ବସିଥିବା କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଉପରେ ମୋହର ମରାଯାଇଛି । ଦେଶରେ ଗୁରୁତ୍ୱପୂର୍ଣ୍ଣ ଖଣିଜର ପୁନଃପ୍ରକ୍ରିୟାକରଣକୁ ପ୍ରୋତ୍ସାହନ ଦେବା ପାଇଁ ୧୫୦୦ କୋଟି ଟଙ୍କାର ପ୍ରୋତ୍ସାହନ ଯୋଜନାକୁ ମଞ୍ଜୁରି ମିଳିଛି । ଏହି ଯୋଜନା ଆର୍ଥିକ ବର୍ଷ ୨୦୨୫-୨୬ରୁ ଆର୍ଥିକ ବର୍ଷ ୨୦୩୦-୩୧ ଯାଏ ଛଅ ବର୍ଷ ପାଇଁ ଲାଗୁ ହେବ ।

ଏହି ଯୋଜନା ଗୁରୁତ୍ୱପୂର୍ଣ୍ଣ ଖଣିଜ ଓ ଇ-ୱେଷ୍ଟର ପୁନଃପ୍ରକ୍ରିୟାକରଣ କ୍ଷମତାକୁ ବଢାଇବା ପାଇଁ ପ୍ରୋତ୍ସାହନ କରିବ । ଏହି ଯୋଜନା ନୂଆ ୟୁନିଟରେ ନିବେଶ କରିବା ସହ ବର୍ତ୍ତମାନରେ ଥିବା ୟୁନିଟର ବିସ୍ତାର, ଆଧୁନିକୀକରଣ ଓ ବିବିଧିକରଣ ଉପରେ ବି ଲାଗୁ ହେବ । ପ୍ରତି ୟୁନିଟ୍ ମୋଟ ପ୍ରୋତ୍ସାହନ (କ୍ୟାପେକ୍ସ ପ୍ଲସ୍ ଓପେକ୍ସ ସବସିଡି) ବଡ଼ ୟୁନିଟ ପାଇଁ ୫୦ କୋଟି ଟଙ୍କା ଓ ଛୋଟ ୟୁନିଟ୍ ପାଇଁ  କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି । ଏହି ଯୋଜନା ଜରିଆରେ ପ୍ରାୟ ୮ ହଜାର କୋଟି ଟଙ୍କାର ନିବେଶ ଓ ୭୦ ହଜାର ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସୃଷ୍ଟି ହେବାର ଆଶା ରହିଛି ।

ଏହି ଯୋଜନା ନ୍ୟାସନାଲ୍ କ୍ରିଟିକଲ୍ ମିନେରାଲ୍ ମିଶନ (ଏନସିଏମଏମ)ର ଅଂଶ ଅଟେ । ଏହାର ଉଦ୍ଦେଶ୍ୟ ଇଲେକ୍ଟ୍ରୋନିକ୍ସ, ଇଲେକ୍ଟ୍ରିକ୍ ଗାଡ଼ି, ବ୍ୟାଟେରି ଓ ଅନ୍ୟ ହାଇଟେକ୍ ଉଦ୍ୟୋଗରେ ବ୍ୟବହାର ହେଉଥିବା ଖଣିଜଗୁଡ଼ିକର ଘରୋଇ ଯୋଗାଣକୁ ବଢାଇବା ଓ ଯୋଗାଣ ଶୃଙ୍ଖଳାକୁ ମଜଭୁତ କରିବା । ଏହି ଖଣିଜଗୁଡ଼ିକର ଖଣି ପ୍ରସ୍ତୁତ ଓ ଉତ୍ପାଦନ ଆରମ୍ଭ ହେବାରେ ଅନେକ ବର୍ଷ ସମୟ ଲାଗିପାରେ । ଏପରି ସ୍ଥିତିରେ ଇ-ୱେଷ୍ଟ ଓ ବ୍ୟାଟେରି ବର୍ଜ୍ୟର ପୁନଃପ୍ରକ୍ରିୟାକରଣ ଜରିଆରେ ଏହାକୁ ହାସଲ କରିବା ବର୍ତ୍ତମାନ ସମୟରେ ସବୁଠୁ ଭଲ ରାସ୍ତା ଅଟେ ।

ରି-ସାଇକ୍ଲିଂ ପାଇଁ ବ୍ୟବହୃତ କଞ୍ଚାମାଲରେ ଇ-ଆବର୍ଜନା (ଇଲେକ୍ଟ୍ରୋନିକ୍ ଅପଚୟ), ଲିଥିୟମ ଆୟନ ବ୍ୟାଟେରୀ (LIB) ସ୍କ୍ରାପ୍, ପୁରୁଣା ଯାନବାହନର କାଟାଲିଟିକ୍ କନଭର୍ଟର ଏବଂ ଅନ୍ୟାନ୍ୟ ସ୍କ୍ରାପ୍ ସାମିଲ ହେବ। ଏହାଦ୍ୱାରା ବଡ଼ ଶିଳ୍ପପତିଙ୍କଠାରୁ ଆରମ୍ଭ କରି ଛୋଟ ଉଦ୍ୟୋଗୀ ଏବଂ ଷ୍ଟାର୍ଟଅପ୍ ପର୍ଯ୍ୟନ୍ତ ଲାଭବାନ ହେବ । ମୋଟ ୧୫୦୦ କୋଟି ମଧ୍ୟରୁ, ଏକ ତୃତୀୟାଂଶ ପରିମାଣ ଛୋଟ ଏବଂ ନୂତନ ୟୁନିଟ ପାଇଁ ସଂରକ୍ଷିତ ରଖାଯାଇଛି ।