LIVE TV

ରେଲଓ୍ବେ କର୍ମଚାରୀଙ୍କ ପାଇଁ ଖୁସି ଖବର, ମିଳିବ ଦୀପାବଳି ବୋନସ; କେନ୍ଦ୍ର କ୍ୟାବିନେଟ୍ ବୈଠକରେ ନ୍ୟାସନାଲ ସିପ୍ ବିଲ୍ଡିଂ ମିଶନକୁ ବି ମଞ୍ଜୁରୀ

NEWS7
Diwali bonus for railway employees

ନୂଆଦିଲ୍ଲୀ: ରେଲଓ୍ବେ କର୍ମଚାରୀଙ୍କ ପାଇଁ ଖୁସି ଖବର । କେନ୍ଦ୍ର ସରକାର ରେଲଓ୍ବେ କର୍ମଚାରୀଙ୍କ ପାଇଁ ଘୋଷଣା କରିଛନ୍ତି ଦୀପାବଳି ବୋନସ। ବୁଧବାର କ୍ୟାବିନେଟ୍ ବୈଠକରେ ରେଳ କର୍ମଚାରୀଙ୍କୁ ପାଇଁ ୭୮ ଦିନର ପ୍ରଡକ୍ଟିଭ- ଲିଙ୍କ୍‌ଡ ବୋନସ (PLB)କୁ ମଞ୍ଜୁରୀ ମିଳିଛି। ଏଥିପାଇଁ ୧,୮୬୬ କୋଟି ଟଙ୍କାର ବଜେଟ ରଖାଯାଇଥିବାବେଳେ, ପ୍ରାୟ ୧୦.୯୧ ଲକ୍ଷ ରେଳ କର୍ମଚାରୀ ଏହାଦ୍ବାର ଉପକୃତ ହେବେ।

ଏହି ବୋନସ ନନ ଗେଜେଟେଡ ରେଳ କର୍ମଚାରୀଙ୍କୁ ଦିଆଯିବ। ଯେଉଁଥିରେ ଟ୍ରାକ୍ ମେଣ୍ଟେନର, ଲୋକୋମୋଟିଭ ପାଇଲଟ, ଟ୍ରେନ ମ୍ୟାନେଜର (ଗାର୍ଡ), ଷ୍ଟେସନ ମାଷ୍ଟର, ସୁପରଭାଇଜର, ଟେକ୍ନିସିଆନ, ଟେକ୍ସସିଆନ ହେଲପର, ପଏଣ୍ଟ୍ସମ୍ୟାନ ଏବଂ ଅନ୍ୟ ଗ୍ରୁପ୍ ସି କର୍ମଚାରୀ ରହିଛନ୍ତି। ଏହାଦ୍ବାରା ଭାରତୀୟ ରେଲଓ୍ବେର କାର୍ଯ୍ୟଦକ୍ଷତା ଏବଂ ପ୍ରଦର୍ଶନରେ ସେମାନଙ୍କର ଯୋଗଦାନକୁ ସମ୍ମାନ ମିଳିବ। ଗତ ବର୍ଷ ପ୍ରାୟ ୧୧ ଲକ୍ଷ ରେଲଓ୍ବେ କର୍ମଚାରୀଙ୍କୁ ଏହି ବୋନସ ମିଳିଥିଲା। ଏହାଦ୍ବାରା ସେମାନଙ୍କୁ କେବଳ ଉତ୍ସାହ ବଢ଼ିଥିଲା ତାହା ନୁହେଁ ବରଂ ପାର୍ବଣରେ କିଣାକିଣିକୁ ମଧ୍ୟ ପ୍ରୋତ୍ସାହନ ମିଳିଥିଲା।

ତେବେ ଅର୍ଥନୀତି ବିଶେଷଜ୍ଞଙ୍କ ଅନୁସାରେ ପାର୍ବଣରେ ବୋନସ କେବଳ କର୍ମଚାରୀଙ୍କ ପକେଟ ପର୍ଯ୍ୟନ୍ତ ସୀମିତ ନଥାଏ, ବରଂ ଏହା ଅର୍ଥବ୍ୟବସ୍ଥାରେ ଦୁଇଗୁଣା ପ୍ରଭାବ ପକାଏ। ଅର୍ଥାତ୍ ଏହି ଟଙ୍କା ମାର୍କେଟକୁ ଯାଇଥାଏ। ଯାହାଦ୍ବାରା ଚାହିଦା ବଢ଼ିଥାଏ ଏବଂ ଆର୍ଥିକ ଗତିବିଧି ବଢ଼ିଥାଏ।

ଏମିତିରେ ବି ବର୍ତ୍ତମନା ଦରବୃଦ୍ଧି ନିୟନ୍ତ୍ରଣ ରହିଛି। ତେଣୁ ସରକାର ଗ୍ରାହକଙ୍କୁ ଖର୍ଚ୍ଚ କରିବାକୁ ସୁଯୋଗ ଦେବାକୁ ଚାହୁଛନ୍ତି। ତେଣୁ ଏହି ବୋନସ ବର୍ଷର ଶେଷ ତିନି ମାସରେ ଚାହିଦା ବଜାୟ ରଖିବାରେ ସାହାଯ୍ୟ କରିବ ବୋଲି ବିଶେଷଜ୍ଞ ଅନୁମାନ କରୁଛନ୍ତି। ଅବଶ୍ୟ ସରକାର ଏହି ଖର୍ଚ୍ଚ ଏବଂ ଆର୍ଥିକ ସନ୍ତୁଳନକୁ ମଧ୍ୟ ଧ୍ୟାନରେ ରଖିଛନ୍ତି।

ନ୍ୟାସନାଲ ସିପ୍ ବିଲ୍ଡିଂ ମିଶନକୁ ବି ମଞ୍ଜୁରୀ

ସେହିଭଳି କେନ୍ଦ୍ର ମନ୍ତ୍ରିମଣ୍ଡଳ ବୁଧବାର ଭାରତର ଜାହାଜ ନିର୍ମାଣ ଏବଂ ସାମୁଦ୍ରିକ ବ୍ୟବସ୍ଥାକୁ ମଜଭୁତ କରିବା ପାଇଁ ୬୯, ୭୨୫ କୋଟି ଟଙ୍କାର ବ୍ୟାପକ ପ୍ୟାକେଜକୁ ମଧ୍ୟ ମଞ୍ଜୁରୀ ଦେଇଛନ୍ତି। ନ୍ୟାସନାଲ ସିପ୍ ବିଲ୍ଡିଂ ମିଶନ ଦ୍ବାରା ଘରୋଇ କ୍ଷମତାକୁ ମଜଭୁତ କରିବା, ଦୀର୍ଘକାଳୀନ ଆର୍ଥିକ ସୁଧାର କରିବା, ଗ୍ରୀନଫିଲ୍ଡ ଏବଂ ବ୍ରାଉନଫିଲ୍ଡ ସିପୟାର୍ଡ ବିକାଶକୁ ପ୍ରୋତ୍ସାହିତ କରିବା, ପ୍ରଯୁକ୍ତି କ୍ଷମତା ଏବଂ ଦକ୍ଷତାକୁ ବଢ଼ାଇବା ତଥା ମଜଭୁତ ସାମୁଦ୍ରିକ ଭିତ୍ତିଭୂମି ଢାଞ୍ଚାର ନିର୍ମା ପାଇଁ ଆଇନଗତ, ନୀତିଗତ ସୁଧାରକୁ ଲାଗୁ କରିବା ପାଇଁ ତିଆରି କରାଯାଇଛି।

ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ମନ୍ତ୍ରିମଣ୍ଡଳ ଦ୍ବାରା ନିଆଯାଇଥିବା ନିଷ୍ପତ୍ତିର ସୂଚନା ଦେଇ ଏହା କହିଛନ୍ତି। ଏହି ପ୍ୟାକେଜ ଅନୁସାରେ, ଜାହାଜ ନିର୍ମାଣ ପାଇଁ ଆର୍ଥିକ ସହାୟତା ଯୋଜନା (SBFAS)କୁ ୨୪, ୭୩୬ କୋଟି ଟଙ୍କାର ମୋଟ ରାଶି ସହ ୨୦୩୬ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବଢ଼ାଯିବ।

ଏହି ଯୋଜନାର ଉଦ୍ଦେଶ୍ୟ ଭାରତରେ ଜାହାଜ ନିର୍ମାଣକୁ ପ୍ରୋତ୍ସାହିତ କରିବା ଏବଂ ଏଥିରେ ୪,୦୦୧ କୋଟି ଟଙ୍କାର ବ୍ୟୟ ଅଟକଳ ସହ ଏକ ସିପବ୍ରେକିଂ କ୍ରେଡିଟ୍ ନୋଟ ମଧ୍ୟ ସାମିଲ ଅଛି। ସବୁ ପଦକ୍ଷେପର କାର୍ଯ୍ୟକାରିତାର ନିରୀକ୍ଷଣ ପାଇଁ ଏକ ରାଷ୍ଟ୍ରୀୟ ଜାହାଜ ନିର୍ମାଣ ମିଶନ ମଧ୍ୟ ସ୍ଥାପନ ହେବ। ଏହା ବାଦ ଏହି କ୍ଷେତ୍ର ପାଇଁ ଦୀର୍ଘକାଳୀନ ଆର୍ଥିକ ସହାୟତା ଉପଲବ୍ଦ କରିବା ପାଇଁ ୨୫ ହଜାର କୋଟି ଟଙ୍କା ସହ ସମୁଦ୍ର ବିକାଶ କୋଷ (ଏମଡିଏଫ)କୁ ମଞ୍ଜୁରୀ ଦିଆଯାଇଛି। ଜାହାଜ ନିର୍ମାଣ ବିକାଶ ଯୋଜନାର ବଜେଟ ଆକଳନ ୧୯,୯୮୯ କୋଟି ଟଙ୍କା ରହିଛି।