ନୂଆପଡ଼ା ୧୧: ନୂଆପଡାରେ ଛତିଶଗଡ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ । ନୂଆପଡା ବ୍ଲକ ପଞ୍ଚମପୁର ଠାରେ ଆୟୋଜିତ ଏକ ନିର୍ବାଚନୀ ସଭାରେ ଯୋଗ ଦେଇ ବିଜେପି ପ୍ରାର୍ଥୀ ଜୟ ଢୋଲକିଆଙ୍କ ସପକ୍ଷରେ ଭିତରେ ଦେବାକୁ ନିବେଦନ କରିଛନ୍ତି । ସଭାରେ ଅଂଚଳରୁ  ହଜାର ହଜାର ସଂଖ୍ୟାରେ ସମର୍ଥକ ଯୋଗ ଦେଇଥିବା ବେଳେ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏଙ୍କ ସହ ପ୍ରାର୍ଥୀ ଜୟ ଢୋଲକିଆ, ତାଙ୍କ ମା’ ଓ ଅନେକ ତୁଙ୍ଗ ନେତା ଉପସ୍ଥିତ ଥିଲେ । ପଡୋଶୀ ଛତିଶଗଡ ସହ ଓଡ଼ିଶା ନୂଆପଡାର ସୀମାନ୍ତବର୍ତ୍ତୀ ଅଞ୍ଚଳ ମାନଙ୍କରେ ରହିଛି ରୋଟୀ ବେଟୀର ସମ୍ପର୍କ । କିଏ ବୋହୂ କରି ଆଣିଛି ତ କିଏ କନ୍ୟାଦାନ କରିଛି । ଏହାସହ ଅନେକ ଲୋକ ଛତିଶଗଡ ରାୟପୁରରେ ବିଭିନ୍ନ କାମ କରି ପେଟ ପାଟଣା ମଧ୍ୟ ଚଳାନ୍ତି । ତେଣୁ ସେମାନଙ୍କ ପାଖରୁ କିଛି ଭୋଟ୍ ଆଣିବା ପାଇଁ ଏହି ପ୍ରୟାସ ।

ଅନ୍ୟପଟେ ଛତିଶଗଡି ଭାଷାରେ ଉଦବୋଧନ ଦେଇ ଭୋଟ୍ ଭିକ୍ଷା କରିଛନ୍ତି ଛତିଶଗଡ ମୁଖ୍ୟମନ୍ତ୍ରୀ । ନୂଆପଡ଼ା ସଦର ବ୍ଲକର ପଞ୍ଚମପୁରରେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆଙ୍କ ପାଇଁ ଭୋଟ୍ ଭିକ୍ଷା କରିଛନ୍ତି । କଥା ଛଳରେ ତୀର ମାରିଲେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ । ୨୪ ବର୍ଷ ଶାସନରେ ରହିଲେ, ହେଲେ ମାତୃଭାଷା ଓଡ଼ିଆ ଶିଖି ପାରିଲେନି ରାଇଜ ମୁଖିଆ । କିନ୍ତୁ ହିମାଚଳର ଝିଅ, ଓଡ଼ିଶାର ବୋହୂ ହେବା ପରେ ଘର ଚଳାଇବା ପାଇଁ ଓଡ଼ିଆ ଶିଖିଗଲେ ।

ଭାଷଣ ଆରମ୍ଭରୁ ବିଷ୍ଣୁଦେବ ସାଏ ପଚାରିଥିଲେ, ସମସ୍ତେ ଛତିଶିଗଡ଼ି ବୁଝନ୍ତି ନା । ମୁଁ ଛତିଶଗଡ଼ର ମୁଖ୍ୟମନ୍ତ୍ରୀ, ଛତିଶିଗଡ଼ି ହିଁ କହିବି । ନୂଆପଡ଼ା ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆଙ୍କୁ ପଦ୍ମ ଫୁଲରେ ଭୋଟ୍ ଦେଇ ନିର୍ବାଚିତ କରିବାକୁ ଲୋକଙ୍କୁ ଆହ୍ଵାନ ଦେଇଛନ୍ତି ବିଷ୍ଣୁଦେବ ସାଏ । ଏହି ଅବସରରେ ବିଷ୍ଣୁଦେବ ଉଭୟ କଂଗ୍ରେସ ଓ ବିଜେଡିକୁ ସମାଲୋଚନା କରିଛନ୍ତି ।

କେନ୍ଦ୍ରରେ କଂଗ୍ରେସ ୫୦ ବର୍ଷ ଧରି ସରକାରରେ ଥିଲା । ଆଜି ସେମାନଙ୍କ ସ୍ଥିତି କ'ଣ ଲୋକେ ଦେଖୁଛନ୍ତି । ଭୁଲ ନୀତି, ଜନତାଙ୍କୁ ଧୋକା ଦେବାର ଫଳ ପାଉଛନ୍ତି । କଂଗ୍ରେସ କହେ ଗୋଟେ, କରେ ଆଉ ଗୋଟେ । ତେଣୁ ଜନତାଙ୍କ ବିଶ୍ଵାସ ହରାଇଲେ । ବିଜେଡିକୁ ଟାର୍ଗେଟ୍ କରି ବିଷ୍ଣୁଦେବ କହିଛନ୍ତି, ମୁଁ ପୂର୍ବରୁ ରାଉରକେଲା ଆସିଥିବା ବେଳେ ନବୀନ ୨ରୁ ୩ ଲାଇନ୍ କାଗଜ ଦେଖି ବଡ଼ କଷ୍ଟରେ ପଢ଼ିଥିଲେ । ଯିଏ ପ୍ରଦେଶର ଲୋକଙ୍କ ଭାଷା ବୁଝିପାରନ୍ତି ନାହିଁ, ସେ କ'ଣ କରିବେ ?

ନୂଆପଡ଼ାରେ ଜୟ ଢୋଲକିଆଙ୍କ ପାଇଁ ପ୍ରଚାରରେ ସାମିଲ ହୋଇଛନ୍ତି କଳାହାଣ୍ଡି ସାଂସଦ ମାଳବିକା ଦେବୀ । ମଞ୍ଚରେ ସେ ଓଡ଼ିଆରେ ଭାଷଣ ଦେଇ ଜୟ ଢୋଲକିଆଙ୍କ ପାଇଁ ଭୋଟ୍ ମାଗିଛନ୍ତି । ମାଳବିକା କହିଛନ୍ତି, ୧୧ ତାରିଖରେ ସମସ୍ତେ ପଦ୍ମ ଚିହ୍ନରେ ଭୋଟ୍ ଦେବେ । ଆପଣମାନେ ଜାଣନ୍ତି ପ୍ରଧାନମନ୍ତ୍ରୀ ମୋଦିଙ୍କ ସରକାର ବିକଶିତ ଭାରତ ଗଢ଼ୁଛନ୍ତି । ମୋହନ ଭାଇଙ୍କ ସରକାର ନୂଆପଡ଼ାର ବିକାଶ ପାଇଁ ୧୧୦୦ କୋଟି ଟଙ୍କା ଦେଇଛନ୍ତି ।