ପାଟନା: ବିହାର ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ରେକର୍ଡ ସଂଖ୍ୟାରେ ମତଦାନ ହୋଇଛି । ମତଦାନ ସକାଳ ୭ଟାରୁ ଆରମ୍ଭ ହୋଇ ସନ୍ଧ୍ୟା ୬ଟାରେ ଶେଷ ହୋଇଥିଲା । ସଂଧ୍ୟା ୬ଟା ସୁଦ୍ଧା ୬୪.୬୬ ପ୍ରତିଶତ ମତଦାନ ରେକର୍ଡ କରାଯାଇଛି । ନିର୍ବାଚନ କମିଶନ ଦାବି କରିଛନ୍ତି ଯେ ଚଳିତ ଥର ପ୍ରଥମ ପର୍ଯ୍ୟାୟରେ ରେକର୍ଡ ଭୋଟିଂ ହୋଇଛି ।

ଏହା ପୂର୍ବରୁ ୨୦୦୦ରେ ବିହାରରେ ୬୨ ପ୍ରତିଶତ ମତଦାନ ହୋଇଥିଲା । ଚଳିତ ବର୍ଷ ଭୋଟିଂ ୬୪ ପ୍ରତିଶତରୁ ଅଧିକ ହୋଇଛି । ଏହା ଇତିହାସରେ ସର୍ବାଧିକ ଭୋଟିଂ । ୨୦୨୦ରେ ହୋଇଥିବା ବିଧାନସଭା ନିର୍ବାଚନରେ ୫୭ ପ୍ରତିଶତରୁ ଅଧିକ ମତଦାନ ହୋଇଥିଲା । ଦ୍ୱିତୀୟ ପର୍ଯ୍ୟାୟରେ ଭୋଟିଂ ପ୍ରତିଶତ ଅଧିକ ରହିଲେ ଏହି ନିର୍ବାଚନ ଇତିହାସରେ ଲିପିବଦ୍ଧ ହୋଇଯିବ ।

ନିର୍ବାଚନ କମିଶନ ପାଟନାରେ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି, ଗଣତନ୍ତ୍ରର ପର୍ବ ବିହାରର ଗର୍ବର ଅବସର, ଅର୍ଥାତ୍ ବିଧାନସଭା ନିର୍ବାଚନ ୨୦୨୫ର ପ୍ରଥମ ପର୍ଯ୍ୟାୟରେ ଐତିହାସିକ ୬୪.୬୬% ମତଦାନ ରେକର୍ଡ କରାଯାଇଛି । ବିହାର ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଆଜି ଶାନ୍ତିପୂର୍ଣ୍ଣ ପରିବେଶରେ ସମାପ୍ତ ହୋଇଛି । ବିହାରର ଇତିହାସରେ ସର୍ବାଧିକ ମତଦାତା ନିଜ ମତାଧିକାର ସାବ୍ୟସ୍ତ କରିଥିଲେ ।

ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର, ନିର୍ବାଚନ କମିଶନର ସୁଖବୀର ସିଂହ ସନ୍ଧୁ ଏବଂ ବିବେକ ଯୋଶୀଙ୍କ ସହିତ, ଲାଇଭ୍ ୱେବକାଷ୍ଟିଂ ମାଧ୍ୟମରେ ମତଦାନକୁ ତଦାରଖ କରିଥିଲେ । ବିହାରରେ ପ୍ରଥମ ଥର ପାଇଁ ଶତ ପ୍ରତିଶତ ମତଦାନ କେନ୍ଦ୍ର ୱେବକାଷ୍ଟ କରାଯାଇଥିଲା । ମୁକ୍ତ, ନିରପେକ୍ଷ, ନିର୍ଭୟ ନିର୍ବାଚନ ଏବଂ ମତଦାନକୁ ସୂଚାରୁ ଭାବେ କରିବା ପାଇଁ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର ବ୍ୟକ୍ତିଗତ ଭାବରେ ଇସିଆଇ ନିୟନ୍ତ୍ରଣ କକ୍ଷରୁ ପ୍ରିଜାଇଡିଂ ଅଧିକାରୀ ଏବଂ ଉପ ନିର୍ବାଚନ ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ ।

ଆଜି ରାଜ୍ୟର ୧୮ଟି ଜିଲ୍ଲାର ୧୨୧ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ମତଦାନ ହୋଇଥିଲା । ଏହି ପର୍ଯ୍ୟାୟରେ ମୋଟ ଭୋଟରଙ୍କ ସଂଖ୍ୟା ୩ କୋଟି ୭୫ ଲକ୍ଷରୁ ଅଧିକ ଥିଲା । ବିହାରରେ ପ୍ରଥମ ଥର ପାଇଁ ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ, ଥାଇଲ୍ୟାଣ୍ଡ, ଫିଲିପାଇନ୍ସ, ବେଲଜିୟମ ଏବଂ କଲମ୍ବିଆରୁ ୧୬ ଜଣ ପ୍ରତିନିଧି ଆନ୍ତର୍ଜାତୀୟ ନିର୍ବାଚନ ପରିଦର୍ଶକ କାର୍ଯ୍ୟକ୍ରମ (IEVP) ଅଧୀନରେ ନିର୍ବାଚନ ପ୍ରକ୍ରିୟା ପର୍ଯ୍ୟବେକ୍ଷଣ କରିଥିଲେ । ପ୍ରତିନିଧିମାନେ ବିହାର ନିର୍ବାଚନକୁ ପ୍ରଶଂସା କରି ଏହାକୁ ଆନ୍ତର୍ଜାତୀୟ ସ୍ତରରେ ସବୁଠାରୁ ସୁସଂଗଠିତ, ସ୍ୱଚ୍ଛ, ଦକ୍ଷ ନିର୍ବାଚନ ମଧ୍ୟରୁ ଗୋଟିଏ ବୋଲି କହିଥିଲେ ।