LIVE TV

ବୋହୂ ସହ ପୂର୍ବତନ ଡିଜିପିଙ୍କ ଅବୈଧ ସଂପର୍କରେ ଆସିଲା ବଡ଼ ଟୁଇଷ୍ଟ, ସାମ୍ନାକୁ ଆସିଲା ଆଉ ଏକ ଭିଡିଓ

NEWS7
DGP Haryana

ଚଣ୍ଡିଗଡ଼: ପଞ୍ଜାବର ପୂର୍ବତନ ପୋଲିସ ମହାନିର୍ଦ୍ଦେଶକ(ଡିଜିପି) ମହମ୍ମଦ ମୁସ୍ତଫାଙ୍କ ପୁଅଙ୍କ ମୃତ୍ୟୁ ମାମଲାରେ  ଆସିଛି ନୂଆ ଟୁଇଷ୍ଟ। ଡିଜିପି ଓ ତାଙ୍କ ବୋହୂଙ୍କ ମଧ୍ୟରେ ଅବୈଧ୍ୟ ସଂପର୍କର ସଙ୍ଗୀନ ଅଭିଯୋଗ ପରେ ମୃତକ ଓକିଲ ପୁଅ ଅଖତରଙ୍କ ଏକ ନୂଆ ଭିଡିଓ ସାମ୍ନାକୁ ଆସିଛି। ଏଥିରେ ମୃତକ ଓକିଲ ଜଣକ ନିଜର ପୁରୁଣା ଭିଡିଓରେ ଦେଇଥିବା ବୟାନକୁ ଭୁଲ୍ ଦର୍ଶାଉଛନ୍ତି। ଓକିଲ ଅଖତର କହିଛନ୍ତି, ଯେବେ ସେ ପୁରୁଣା ଭିଡିଓ ତିଆରି କରୁଥିଲେ ସେହି ସମୟରେ ତାଙ୍କର ମାନସିକ ସ୍ଥିତି ଠିକ୍ ନ ଥିଲା। ଉକ୍ତ ପୁରୁଣା ଭିଡିଓରେ ଓକିଲ  ନିଜ ଘର ଲୋକ ତାଙ୍କର ହତ୍ୟା ପାଇଁ ଷଡ଼ଯନ୍ତ୍ର ରଚିଥିବା ଅଭିଯୋଗ କରିଥିଲେ।

ଏହା ପୂର୍ବରୁ ଓକିଲ ଅଖତରଙ୍କ ମୃତ୍ୟୁ ମାମଲାରେ ପଞ୍ଜାବର ଡିଜିପି ରହି ସାରିଥିବା ମହମ୍ମଦ ମୁସ୍ତଫାଙ୍କ ବିରୋଧରେ ମୋକଦ୍ଦମା ରୁଜୁ କରାଯାଇଛି। ହରିୟାଣା ପୋଲିସର ପୂର୍ବତନ ଡିଜିପି ସହ ତାଙ୍କ ପତ୍ନୀ ତଥା ପଞ୍ଜାବର ପୂର୍ବତନ ମନ୍ତ୍ରୀ ରଜିଆ ସୁଲତାନ, ଝିଅ ଓ ବୋହୂ ବିରୋଧରେ ମଧ୍ୟ ମାମଲା ରୁଜୁ ହୋଇଛି। ଚାରି ଜଣଙ୍କ ବିରୋଧରେ ହତ୍ୟା ଓ ଅପରାଧିକ ଷଡ଼ଯନ୍ତ୍ର ରଚିବା ଅଭିଯୋଗରେ ଏଫଆଇଆର ରୁଜୁ ହୋଇଛି।

ଅକ୍ଟୋବର ୧୬ରେ ମିଳିଲା ମୃତଦେହ

ସୂଚନାଯୋଗ୍ୟ, ମୁସ୍ତଫା ଓ ପଞ୍ଜାବର ପୂର୍ବତନ ସୁଲତାନାଙ୍କ ୩୫ ବର୍ଷୀୟ ପୁଅ ଓକିଲ ଅଖତରଙ୍କ ଗୁରୁବାର ହରିୟାଣାର ପଞ୍ଚକୁଲାରେ ମୃତ୍ୟୁ ଘଟିଥିଲା। ଡିଜିପିଙ୍କ ପଡ଼ୋଶୀ ଶମସୁଦ୍ଦୀନ ନାମକ ଜଣେ ବ୍ୟକ୍ତିଙ୍କ ଦ୍ଵାରା ରୁଜୁ ଏଫଆଇଆର ଅନୁସାରେ ଅଖତରଙ୍କ ମୃତ୍ୟୁ ସନ୍ଦିଗ୍ଧ ଅବସ୍ଥାରେ ହୋଇଥିଲା। ପଞ୍ଚକୁଲାର ପୋଲିସ ଡିସିପିଙ୍କ ଅନୁସାରେ, ଅକ୍ଟୋବର ୧୬ରେ ପଞ୍ଚକୁଲାର ସେକ୍ଟର-୪ ଏମଡିସି ନିବାସୀ ଅଖତରଙ୍କ ମୃତ ଦେହ ନିଜ ଘରେ ମିଳିଥିଲା। ପରିବାର ଲୋକେ  ହିଁ ପୁଅର ମୃତ୍ୟୁର ଖବର ପୋଲିସକୁ ଦେଇଥିଲେ। ପ୍ରାରମ୍ଭରେ କୌଣସି ପ୍ରକାରର ଷଡ଼ଯନ୍ତ୍ରର ସନ୍ଦେହ ନ ଥିଲା। ଶବ ବ୍ୟବଚ୍ଛେଦ ପରେ ମୃତଦେହ ଅନ୍ତିମ ସଂସ୍କାର ପାଇଁ ପ୍ରଦାନ କରାଯାଇଥିଲା।

ଭିଡିଓ ପାଲଟିଲା ପ୍ରମାଣ

ଏହି ପୂରା ମାମଲାରେ ଗୋଟିଏ ଭିଡିଓ ପୂରା ପରିବାର ବିରୋଧରେ ପ୍ରମାଣ ଭାବେ ସାମ୍ନାକୁ ଆସିଛି। ହରିୟାଣା ପୋଲିସ ଅନୁଯାୟୀ, କିଛି ସୋସିଆଲ ମିଡିଆ ପୋଷ୍ଟ ଓ ଭିଡିଓ ମିଳିଛି। ଏସବୁ ଅଖତର ମୃତ୍ୟୁ ପୂର୍ବରୁ ତିଆରି କରିଥିଲେ। ଏହି ଭିଡିଓରେ ଅଖତର ବ୍ୟକ୍ତିଗତ ବିବାଦ ଓ ନିଜ ଜୀବନ ପ୍ରତି ବିପଦ ଥିବା କହିଥିଲେ। ଅଗଷ୍ଟ ୨୭ ତାରିଖର ଭିଡିଓରେ ଓକିଲ ଅଖତର କହୁଛନ୍ତି ଯେ, ପରିବାର ଲୋକେ ତାଙ୍କୁ ଜୀବନରେ ମାରି ଦେବାକୁ ଷଡ଼ଯନ୍ତ୍ର ଚରୁଛନ୍ତି। ଭିଡିଓରେ ସେ ବାପା ଓ ନିଜ ପତ୍ନୀଙ୍କ ମଧ୍ୟରେ ଅବୈଧ ସଂପର୍କ ବିଷୟରେ ଉଲ୍ଲେଖ କରିଛନ୍ତି। ତାଙ୍କ ମାଆ ଓ ଭଉଣୀ ମଧ୍ୟ ଷଡ଼ଯନ୍ତ୍ରରେ ସାମିଲ୍ ଥିବା ସେ କହିଥିଲେ।

ନୂଆ ଭିଡିଓରେ କଣ ରହିଛି ?

ଏବେ ଓକିଲଙ୍କ ନୂଆ ଭିଡିଓ ମାମଲାକୁ ଆହୁରି ଜଟିଳ କରିଛି। ପ୍ରାୟ ୩ ମିନିଟର ଏହି ଭିଡିଓରେ ଓକିଲ ଅଖତର ନିଜ ପରିବାର ବିରୋଧରେ ଲଗାଇଥିବା ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ସେ କହୁଛନ୍ତି ଯେତେବେଳେ ମୁଁ ମୋ ପରିବାର ଲୋକଙ୍କ ବିରୋଧରେ ଅଭିଯୋଗ କରୁଥିଲି ସେହି ସମୟରେ ମୋର ମାନସିକ ସ୍ଥିତି ଠିକ୍ ନ ଥିଲା। ଏହି ଭିଡିଓରେ ସେ ନିଜର ପୂରା ପରିବାର,  ବିଶେଷ କରି ଭଉଣୀର ପ୍ରଶଂସା କରୁଥିବା ଦେଖିବାକୁ ମିଳିଛି। ଅସୁସ୍ଥ ଥିବା ସମୟରେ ତାଙ୍କ ପରିବାର ତାଙ୍କ ବହୁତ ଯତ୍ନ ନେଇଛନ୍ତି। କିନ୍ତୁ ଭିଡିଓର ଶେଷରେ ଓକିଲ କହୁଛନ୍ତି ଯେ, ଦେଖିବା ଏହି ସବୁ ଲୋକେ ମୋତେ ଜୀବନରେ ମାରିବେ କି ନାହିଁ।