News7 Logo

ନିବେଶ ନାଁରେ ୯୮ ଲକ୍ଷ ଟଙ୍କା ଠକେଇ ମାମଲା, ଧରାପଡ଼ିଲା ସାଇବର ଠକ

NEWS7
Bhubaneswar DCP

ଭୁବନେଶ୍ବର: ହ୍ବାଟ୍ସଆପ୍ ଜରିଆରେ ଇନଭେଷ୍ଟମେଣ୍ଟକୁ ନେଇ ବଡ଼ ଲୋଭ ଦେଖାଇ ୯୮ ଲକ୍ଷ ଟଙ୍କାର ଚୂନ ଲଗାଇଥିଲା ସାଇବର ଠକ। ହେଲେ ଏହି ଠକକୁ ଗିରଫ କରିବାରେ ସଫଳ ହୋଇଛି ପୋଲିସ। ୪ ଜୁଲାଇରେ ସାଇବର ପୋଲିସ ଷ୍ଟେସନରେ କେସ ହେବା ପରେ ସାଇବର ପୋଲିସ ଏହାର ତଦନ୍ତ ଆରମ୍ଭ କରିଥିଲା। ଏକ ଟିମ୍‌ ଉତ୍ତରପ୍ରଦେଶ ଯାଇ ଛାନଭିନ କରିବା ପରେ ଉତ୍ତରପ୍ରଦେଶ ବିଜନୌରରୁ ମହମ୍ମଦ ସାଦାର ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରିବା ସହ ଅଭିଯୁକ୍ତ କୋର୍ଟ ଚାଲାଣ କରିଛି ।

ସାମ୍ବାଦିକ ସମ୍ମିଳନୀରେ ଭୁବନେଶ୍ୱର ଡିସିପି ଦେଇଥିବା ସୂଚନା ଅନୁସାରେ ମହମ୍ମଦ ସାଦାରଙ୍କ ଆକାଉଣ୍ଟକୁ ଫ୍ରଡ୍ ଟଙ୍କାର ୩୦ ଲକ୍ଷ ଟଙ୍କା ଯାଇଥିଲା। ସେହି ୩୦ ଲକ୍ଷ ଟଙ୍କା ଜବତ କରିବା ସହ ୩ ଟି ଫୋନ ୪ଟି ସିମ୍ ଜବତ କରାଯାଇଛି। ଉକ୍ତ ଅଭିଯୁକ୍ତ କମ୍ପ୍ୟୁଟର ଆପ୍ଲିକେସନରେ ବ୍ୟାଚେଲର ଡିଗ୍ରୀ କରିଥିବା ପୋଲିସ ସୂଚନା ଦେଇଛି।

ଏଥିସହ ଅଭିଯୁକ୍ତ ବ୍ୟବହାର କରୁଥିବା ୨ଟି ଫେକ ୱେବସାଇଟକୁ ବନ୍ଦ କରିଛି ସାଇବର ପୋଲିସ। ସେପଟେ ଅଭିଯୁକ୍ତ ଜଣକ ଓଡ଼ିଶା ତଥା ଅଧିକାଂଶ ରାଜ୍ୟରେ ସାଇବର ଫ୍ରଡ୍ କରିଥିବା ପୋଲିସ ରେକର୍ଡରେ ରହିଛି। ଚଳିତ ସେପ୍ଟେମ୍ବର ମାସରେ ୮ଜଣ ସାଇବର ଫର୍ଡ କରିଥିବା ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି।