ବ୍ରହ୍ମପୁର: ବ୍ରହ୍ମପୁରରେ ଚାଞ୍ଚଲ୍ୟ । ଜଣାଶୁଣା ଆଇନଜୀବୀ ତଥା ବିଜେପି ନେତା ପୀତବାସ ପଣ୍ଡାଙ୍କ ଉପରକୁ ଗୁଳିମାଡ଼। ଗୁରୁତର ଅବସ୍ଥାରେ ତାଙ୍କୁ ବ୍ରହ୍ମପୁର ଏମକେସିଜିରେ ଭର୍ତ୍ତି କରାଯାଇଥିଲେବି, ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ତେବେ ଗୁଳିକାଣ୍ଡର କାରଣ ଜଣାପଡ଼ିନଥିବାବେଳେ, ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

ସୂଚନା ଅନୁଯାୟୀ, ରାଜ୍ୟ ଆଇନଜୀବୀ ପରିଷଦର ସଦସ୍ୟ ତଥା ବରିଷ୍ଠ ବିଜେପି ନେତା ପୀତବାସ ପଣ୍ଡା ସୋମବାର ରାତି ପ୍ରାୟ ୧୦ଟାରେ ବୈଦ୍ୟନାଥପୁର ଥାନା ଅଧୀନ ବ୍ରହ୍ମାନଗରସ୍ଥିତ ନିଜ ଘର ପାଖରେ ଛିଡ଼ା ହୋଇଥିଲେ। ଏହି ସମୟରେ ୨ ଅଜଣା ଦୁର୍ବୃତ୍ତ ବାଇକରେ ଆସି ତାଙ୍କ ଉପରକୁ ଅତର୍କିତ ଭାବରେ ଗୁଳି ଚଳାଇ ଫେରାର ହୋଇଯାଇଥିଲେ।

ତେବେ ଗୁଳି ପୀତବାସଙ୍କ ଛାତିରେ ବାଜିବାରୁ ସେ ବେହୋସ ହୋଇପଡ଼ିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଏମକେସିଜି ଡାକ୍ତରଖାନା ନିଆଯାଇଥିଲା। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।

ତେବେ କିଏ ଓ କାହିଁକି ତାଙ୍କ ଉପରକୁ ଆକ୍ରମଣ କରିଛି ତାହା ଜଡ଼ିପଡ଼ିନଥିବାବେଳେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ସେପଟେ ପୀତବାସଙ୍କ ମୃତ୍ୟୁ ଖବର ପାଇ ପରିବହନ ମନ୍ତ୍ରୀ ବିଭୂତି ଜେନାଙ୍କ ସମେତ ବିଜେପିର ବହୁ କର୍ମକର୍ତ୍ତା ଘାଟଣାସ୍ଥଳରେ ପହଞ୍ଚିଛନ୍ତି।  ​​​​​​​