LIVE TV

ବିଜେଡି ନେତା ବିକ୍ରମ ପଣ୍ଡାଙ୍କୁ ଜାଣିଶୁଣି ଫସାଇ ଦିଆଯାଇଛି : ଏଭଳି ଅଭିଯୋଗ ଆଣିଲା ବିଜେଡି

NEWS7
BJD

ଭୁବନେଶ୍ବର ୧୦: ବ୍ରହ୍ମପୁରର ଆଇନଜୀବୀ ତଥା ବିଜେପି ନେତା ପୀତବାସ ପଣ୍ଡାଙ୍କ ହତ୍ୟା ମାମଲାରେ ପୂର୍ବତନ ବିଧାୟକ ତଥା ବିଜେଡି ନେତା ବିକ୍ରମ ପଣ୍ଡାଙ୍କୁ ଜାଣିଶୁଣି ଫସାଇ ଦିଆଯାଇଛି । ଶଙ୍ଖ ଭବନରେ ପ୍ରେସମିଟ୍ କରି ଏଭଳି ଅଭିଯୋଗ ଆଣିଛି ବିଜେଡି । ବିକ୍ରମ ପଣ୍ଡା ରାଜନୈତିକ ଷଡ଼ଯନ୍ତ୍ରର ଶିକାର ହୋଇଛନ୍ତି । ବିଜେଡି ଏହା ବିରୋଧରେ ଆଇନଗତ ଲଢ଼େଇ ଲଢ଼ିବ । ବିକ୍ରମଙ୍କ ବିରୋଧରେ କୌଣସି ବଳିଷ୍ଠ ପ୍ରମାଣ ନାହିଁ । ଏହି ପ୍ରସଙ୍ଗକୁ ନେଇ ବିଜେଡି ରାଜରାସ୍ତାକୁ ଓହ୍ଲାଇବ । ଅପରାଧକୁ ରୋକିବାରେ ସରକାର ବିଫଳ ହୋଇଛନ୍ତି ।

ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କୁ ତୁରନ୍ତ ମନ୍ତ୍ରିମଣ୍ଡଳରୁ ବହିଷ୍କାର କରିବାକୁ ହତ୍ୟାକାଣ୍ଡ ପରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ ପୂର୍ବତନ ବିଜେପି ଜିଲ୍ଲା ପରିଷଦ ସଦସ୍ୟ । ମନ୍ତ୍ରୀଙ୍କୁ ସୁରକ୍ଷା ଦେବାକୁ ଯାଇ ବିକ୍ରମଙ୍କୁ ବଳି ପକାଯାଇଛି । ବିକ୍ରମଙ୍କୁ ବଳି ପକାଇ ବିଜେଡିକୁ ବଦନାମ କରିବାକୁ ଚକ୍ରାନ୍ତ ରଚାଯାଇଛି । ତଦନ୍ତକୁ ବାଟବଣା କରିବାକୁ ବିଜେପି ସରକାର ବାଧ୍ୟ କରିଛନ୍ତି ବୋଲି କହିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ।

ସେହିପରି ପୀତବାସ ପଣ୍ଡାଙ୍କୁ ମାରିବା ପାଇଁ ଯେତେବଡ଼ ପ୍ଲଟ୍ ହୋଇନଥିଲା, ସତ୍ୟକୁ ଲୁଚାଇବା ପାଇଁ ତା’ଠାରୁ ବଡ଼ ପ୍ଲଟ ହୋଇଥିବା କହିଛନ୍ତି ବିଜେଡି ନେତା ଭୃଗୁ ବକ୍ସିପାତ୍ର । ପ୍ରକୃତ ଆସାମୀକୁ ବଞ୍ଚାଇବା ପାଇଁ ନୂଆ ଆସାମୀ ତିଆରି କରାଯାଇଛି । ବିକ୍ରମ ପଣ୍ଡାଙ୍କର ଏହି ଘଟଣା ସହ କ’ଣ ସମ୍ପୃକ୍ତି ରହିଛି ତାହା ଏସ୍‌ପି କହିପାରି ନଥିଲେ ।

ଉଲ୍ଲେଖଯୋଗ୍ୟ  ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କ ସମେତ ୧୨ ଜଣ ଗିରଫ ହୋଇଛନ୍ତି । ହତ୍ୟାକାଣ୍ଡ ନେଇ ବଡ଼ ଖୁଲାସା କରିଛନ୍ତି  ଏସ୍‌ପି । ହତ୍ୟା ପୂର୍ବରୁ ପୁରା ଅଞ୍ଚଳର ରେକି କରିଥିଲେ ଅପରାଧୀ । ମର୍ଡର ପାଇଁ ପ୍ରଥମ ଥର କରିଥିବା ପ୍ଲାନରେ ହୋଇଥିଲେ ବିଫଳ । ହେଲେ ପରବର୍ତ୍ତୀ ପ୍ଲାନରେ ସଫଳ ହୋଇଥିଲେ । ଆଉ ପୀତବାସ ପଣ୍ଡାଙ୍କୁ ଗୁଳି କରି ହତ୍ୟା କରିଥିଲେ ଦୁଇ ସାର୍ପ ସୁଟର । ପୁରା ହତ୍ୟାକାଣ୍ଡ ପାଇଁ ୫୦ ଲକ୍ଷ ଟଙ୍କାର ଡିଲ୍‌ ହୋଇଥିଲା । ଆଉ ଅଗ୍ରୀମ ଭାବେ ୧୦ ଲକ୍ଷ ଟଙ୍କା ନେଇଥିଲେ ସାର୍ପ ସୁଟର​​​​​​​