ମୁମ୍ବାଇ: ‘ପ୍ୟାର୍ କା ପଞ୍ଚନାମା ୨’, ‘ରାଗିନୀ ଏମ୍ଏମ୍‌ଏସ୍‌: ରିଟର୍ଣ୍ଣ୍ସ’ ଭଳି ଫିଲ୍ମରେ ନିଜର ଭୂମିକା ପାଇଁ ବେଶ୍‌ ଚର୍ଚ୍ଚା ସାଉଁଟିଥିବା ଅଭିନେତ୍ରୀ କରିସ୍ମା ଶର୍ମା ଗୁରୁତର ଆହତ ହୋଇଛନ୍ତି। ରିପୋର୍ଟ ଅନୁସାରେ ବୁଧବାର ମୁମ୍ବାଇ ଲୋକାଲ ଟ୍ରେନ୍‌ରୁ ଡେଇଁପଡ଼ିବାରୁ ସେ ଆହତ ହୋଇଛନ୍ତି। କରିସ୍ମା ଏନେଇ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି।

ଇନଷ୍ଟାଗ୍ରାମ୍‌ରେ ପୋଷ୍ଟରେ କରିସ୍ମା ​ଦେଇଥିବା ସୂଚନା ଅନୁସାରେ, ବୁଧବାର ଚର୍ଚଗେଟ୍‌ରେ ଏକ ଶୋ’କୁ ଯିବା ସମୟରେ ତାଙ୍କ ସହ ଏହି ଦୁର୍ଘଟଣା ଘଟିଛି। ପ୍ରକୃତରେ ସେ ଟ୍ରେନ୍‌ରେ ସେହି ସ୍ଥାନକୁ ଯିବାକୁ ବାହାରିଥିଲେ। ଟ୍ରେନ୍‌ରେ ଚଢ଼ିବା ପରେ ଟ୍ରେନ୍ ଛାଡ଼ିବା ଆରମ୍ଭ ମଧ୍ୟ କରିଦେଇଥିଲେ। ହେଲେ ସେ ଦେଖିଥିଲେ ଯେ, ତାଙ୍କ ବନ୍ଧୁମାନେ ପଛରେ ରହିଯାଇଛନ୍ତି ଏମିତିରେ ସେ ଭୟରେ ତରବରିଆ ଭାବରେ ଟ୍ରେନ୍‌ରୁ ଓହ୍ଲାଇବାକୁ ଯାଇ ଡେଇଁପଡ଼ିଥିଲେ। ଏହାଯୋଗୁ ତାଙ୍କ ଅଣ୍ଟା ଏବଂ ମୁଣ୍ଡରେ ଆଘାତ ଲାଗିଥିଲା। ତାଙ୍କୁ ଡାକ୍ତରଖାନା ଭର୍ତ୍ତିକରାଯାଇଥିଲା। ସେଠାରେ ତାଙ୍କର ଏମଆରଆଇ କରାଯିବା ସହ ଗୋଟିଏ ଦିନ ପାଇଁ ଅବଜରଭେସନରେ ରଖାଯାଇଛି। ତେବେ କରିସ୍ମା ଫ୍ୟାନ୍ସଙ୍କୁ ତାଙ୍କ ପାଇଁ ପ୍ରାର୍ଥନା କରିବା ସହ ଦ୍ରୁତ ଆରୋଗ୍ୟ କାମନା କରିଛନ୍ତି।

କରିସ୍ମା ହରର ଓ୍ବେବ ସିରିଜ୍‌ ‘ରାଗିନୀ ଏମଏମଏସ ରିଟର୍ଣ୍ଣସ’ରେ ନିଜ ଭୂମିକା ପାଇଁ ଖୁବ୍ ପରିଚିତ। ସେହିଭଳି ‘ଫିକ୍ସର’, ‘ସମର ସିଂହ କେସ୍ ଫାଇଲ୍ସ: ଗର୍ଲଫ୍ରେଣ୍ଡ୍ସ’, ‘ହମ୍- ଆଇଆମ୍ ବିକଜ୍ ଅଫ୍ ଅସ୍’, ‘ପବିତ୍ର ରିସ୍ତା’, ‘ଏମଟିଭି ଓ୍ବେବ୍ଡ’, ‘ୟେ ହେ ମୋହବତେଁ’, ‘ଲଭ୍‌ ବାଏ ଚାନ୍ସ’ ଭଳି ଅନେକ ଶୋ’ରେ ନଜର ଆସିଛନ୍ତି। ଏହା ବାଦ୍‌ ସେ ‘ହୋଟେଲ ମିଲାନ୍’, ‘ସୁପର 30’, ‘ଉଜଡା ଚମନ’ ଏବଂ ‘ଏକ୍ ଭିଲେନ୍’ ଭଳି ସିନେମାରେ ଅଭିନୟ କରିସାରିଛନ୍ତି।