ନୂଆଦିଲ୍ଲୀ: ବିହାର ବିଧାନସଭା ନିର୍ବାଚନରେ ବିଜେପି ନେତୃତ୍ୱାଧୀନ ଏନଡିଏକୁ ଅପ୍ରତ୍ୟାଶିତ ବିଜୟ ମିଳିଛି । ଏହି ପରିଣାମ ପରେ ଟାର୍ଗେଟରେ ଏବେ ବିରୋଧୀ ଦଳ ନେତା । ଏନଡିଏ ଦୁଇ-ତୃତୀୟାଂଶ ବହୁତମରୁ ଅଧିକ ସିଟ୍ ହାସଲ କରୁଥିବା ବେଳେ କଂଗ୍ରେସ ଓ ଆରଜେଡି ଶୋଚନୀୟ ପରାଜୟ ଦେଖିଛି । ବିଜେପି ଏହି ବିଜୟ ପାଇଁ ଏନଡିଏର ଏକତାକୁ ପ୍ରଶଂସା କରୁଥିବା ବେଳେ ବିରୋଧୀଙ୍କ ଫାଟ ଓ ବିଶେଷ କରି କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ନିଶାଣ କରିଛି ।

ବିଜେପି ନେତା ଅମିତ୍ ମାଲଭୀୟ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ କଟାକ୍ଷ କରି କହିଛନ୍ତି, 'ରାହୁଲ ଗାନ୍ଧୀ ! ଆଉ ଏକ ନିର୍ବାଚନ, ଆଉ ଏକ ପରାଜୟ ! ଯଦି ନିର୍ବାଚନରେ ନିରନ୍ତର ପରାଜୟର କୌଣସି ପୁରସ୍କାର ଥାଏ, ତେବେ ସେ ସବୁଗୁଡ଼ିକୁ ଜିତି ନେଇଥାନ୍ତେ । ପରାଜୟ ବି ଚିନ୍ତା କରୁଥିବ ଯେ ସେ ତାଙ୍କୁ ସବୁବେଳେ କିପରି ଖୋଜି ପାଉଛି ।'

ବିଜେପି ନେତା କେଶବ ପ୍ରସାଦ ମୌର୍ଯ୍ୟ କହିଛନ୍ତି, 'ମତଗଣନା ଟ୍ରେଣ୍ଡ ସ୍ପଷ୍ଟ ରୂପେ ଦର୍ଶାଉଛି ଯେ ବିହାର ଜନତାଙ୍କ ଆଭିମୁଖ୍ୟ ସ୍ପଷ୍ଟ । ଜଙ୍ଗଲ ରାଜ, କଟ୍ଟର ରାଜ, ଗୁଣ୍ଡାରାଜ, ପରିବାରବାଦ, ଦୁର୍ନୀତି, ଭ୍ରଷ୍ଟାଚାର, ଅହଂକାର ଓ ଜାତିବାଦକୁ ପ୍ରତ୍ୟାଖାନ କରିଛନ୍ତି । ବିହାର କେବଳ ସୁଶାସନ, ବିକାଶ ଓ ପାରଦର୍ଶୀ ନେତୃତ୍ୱକୁ ସ୍ୱୀକାର କରୁଛି ।

ବିଜେପି ମୁଖପାତ୍ର ପ୍ରଦୀପ ଭଣ୍ଡାରୀ ମଧ୍ୟ ରାହୁଲ ଗାନ୍ଧୀଙ୍କୁ କଟାକ୍ଷ କରିଛନ୍ତି । ସେ କହିଛନ୍ତି, 'ରାହୁଲ ଗାନ୍ଧୀ ନମ୍ୱର ୱାନ୍ ଅଟନ୍ତି-ନିର୍ବିବାଦ, ଅପ୍ରତିଦ୍ୱନ୍ଦ୍ୱୀ ଓ ଅପରାଜେୟ । ୯୫ ନିର୍ବାଚନରେ ପରାଜିତ ଓ ଗଣତି ଜାରି ରହିଛି । ଏହା କୌଣସି ସଂଯୋଗ ନୁହେଁ ଯେ ଏହା ଜବାହରଲାଲ୍ ନେହରୁଙ୍କ ଜନ୍ମଦିନରେ ଏହା ଘଟୁଛି ।'