News7 Logo

ଶତାବ୍ଦୀ ଶେଷ ବେଳକୁ ସମୁଦ୍ର ଗିଳି ସାରିଥିବ ଭାରତର ଏହି ୮ ଉପକୂଳ ସହର, ଆପଣଙ୍କ ସହର ନାହିଁ ତ?

NEWS7
under sea city

ନୂଆଦିଲ୍ଲୀ ୩।୯: ଜଳବାୟୁ ପରିବର୍ତ୍ତନ ଏବେ ଆଉ ଆଲୋଚନାର ବିଷୟ ହୋଇ ନାହିଁ, ଏହେ ଏବେ ବିଶ୍ୱର ଅସ୍ତିତ୍ୱ ପ୍ରତି ବିପଦ ପାଲଟିଛି। ଇଣ୍ଟର ଗଭର୍ଣ୍ଣମେଣ୍ଟାଲ ପ୍ୟାନେଲ ଅନ କ୍ଲାଇମେଟ୍ ଚେଞ୍ଜ (ଆଇପିସିସି) ଓ ନାସାଙ୍କ ସଦ୍ୟତମ ରିପୋର୍ଟରେ ସମୁଦ୍ରର ବଢୁଥିବା ଜଳସ୍ତର ଓ ଗ୍ଲୋବାଲ ୱାର୍ମିଂକୁ ନେଇ ସମୟ ପୂର୍ବରୁ ପଦକ୍ଷେପ ନିଆନଗଲେ ୨୧୦୦ ମସିହା ବେଳକୁ ବିଶ୍ୱର ଅନେକ ବଡ଼ ସହର ପାଣିରେ ଭାସୁଥିବେ। ଏଥିରେ ଭାରତର ଗୁରୁତ୍ୱପୂର୍ଣ୍ଣ ସହରାଞ୍ଚଳ ମଧ୍ୟ ରହିଛି। ଆସନ୍ତୁ ଜାଣିବା କେଉଁ ସବୁ ସହର?

ଚେନ୍ନାଇ
ତାମିଲନାଡୁର ଚେନ୍ନାଇ ସହରକୁ କଳା ଓ ସଂସ୍କୃତିର ପ୍ରମୁଖ କେନ୍ଦ୍ର ମନେ କରାଯାଏ। ତେବେ ନାସାଙ୍କ ରିପୋର୍ଟ ଅନୁସାରେ ୨୧୦୦ ବେଳକୁ ସହରର ଏକ ବିଶାଳ ଭୂଭାଗ ୧.୮୭ ଫୁଟ ପାଣିରେ ବୁଡି ଯିବ। ଯଦି ଏପରି କିଛି ହୁଏ ତେବେ ସହରର ଭୌଗଳିକ ଓ ସାମାଜିକ ସଂରଚନାରେ ବଡ଼ ଧାରଣର ପରିବର୍ତ୍ତନ ଦେଖିବାକୁ ମିଳିବ।

ମୁମ୍ବାଇ
ଦେଶର ଆର୍ଥିକ ରାଜଧାନୀ କୁହାଯାଉଥିବା ମୁମ୍ବାଇର ଭବିଷ୍ୟତ ସବୁଠୁ ଅଧିକ ଚିନ୍ତାର କାରଣ ପାଲଟିଛି। ନାସା ରିପୋର୍ଟରେ ଦାବି କରାଯାଇଛି ଯେ ସହରର ଏକ ବିଶାଳ ଭୂ-ଭାଗ ପାଣିରେ ଡୁବିପାରେ। ଆରବ ସାଗର କୂଳରେ ବସିଥିବା ଏହି ସହର ସମୁଦ୍ରର ଜଳସ୍ତର ବୃଦ୍ଧି ଯୋଗୁ ସବୁଠୁ ଅଧିକ ବିପଦରେ ଅଛି।

ବିଶାଖା ପାଟଣା
ଆନ୍ଧ୍ରପ୍ରଦେଶର ବନ୍ଦର ସହର ବିଶାଖାପାଟଣା ମଧ୍ୟ ବିପଦ ମୁକ୍ତ ନୁହେଁ। ଏହାର ଭାଇଜାଗ ସହର ଏବେ ବୁଡିବା ପରିସ୍ଥିତିରେ ରହିଛି। ରିପୋର୍ଟ ଅନୁସାରେ ଏହାର ଏକ ବିଶାଳ ଅଞ୍ଚଳ ୧.୭୭ ଫୁଟ ପାଣିରେ ବୁଡିପାରେ। ଏଣୁ ବନ୍ଦର ଓ ପର୍ଯ୍ୟଟନ ସ୍ଥଳ ରୂପେ ବିକଶିତ ହୋଇଥିବା ଏହି ସରର ପରିଚୟ ବିପଦରେ ପଡିପାରେ।

ଭାବନଗର
ଗୁଜରାଟର ଐତିହାସିକ ସହର ଭାବନଗର, ଯାହାକୁ ୧୭୨୪ ମସିହାରେ ରାଜଧାନୀ ରୂପେ ସ୍ଥାପନା କରାଯାଇଥିଲା ଏହାର ଅସ୍ତିତ୍ୱ ମଧ୍ୟ ଏବେ ବିପଦରେ। ଅନୁମାନ କରାଯାଉଛି ୨୧୦୦ ବେଳକୁ ସହର ୨.୭୦ ଫୁଟ ପର୍ଯ୍ୟନ୍ତ ସମୁଦ୍ରରେ ବୁଡିଯାଇପାରେ। ଏହାର ଅର୍ଥ ହେଉଛି ଏହି ସହରର ଐତିହ୍ୟ ଓ ସାଂସ୍କୃତି ମଧ୍ୟ ବିପଦରେ ପଡିପାରେ।

କୋଚ୍ଚିନ
କେରଳର ପ୍ରମୁଖ ସହର କୋଚ୍ଚିନ ଯାହାକୁ କ୍ୱିନ ଅଫ ଆରବିୟାନ ସି ବୋଲି କୁହାଯାଏ ମଧ୍ୟ ବିପଦରେ ରହିଛି। ନାସା ରିପୋର୍ଟ ଅନୁସାରେ ୨୧୦୦ ବେଳକୁ ଏହି ସହରରେ ୨.୩୨ ଫୁଟ ପାଣିରେ ବୁଡି ସାରିଥିବ। ହିମାଳୟରୁ ତରଳୁଥିବା ବରଫ ଓ ସମୁଦ୍ରର ବଢୁଥିବା ଜଳସ୍ତର ଏଥି ପାଇଁ ସବୁଠୁ ବଡ଼ କାରଣ ବୋଲି କୁହାଯାଉଛି।

ମଙ୍ଗଲୁର
କର୍ଣ୍ଣାଟକର ଉପକୂଳ ସହର ମଙ୍ଗଲୁର ତାର ଶରଳ ଜୀବନ ଶୈଳୀ ଓ ଖାସ ସଂସ୍କୃତି ଲାଗି ଦେଶବିଦେଶରେ ବେଶ୍ ପରିଚିତ। କିନ୍ତୁ ଆଗାମୀ ସମୟରେ ଏହା ମଧ୍ୟ ବୁଡିପାରେ। ରିପୋର୍ଟ ଅନୁସାରେ ୨୧୦୦ ବେଳକୁ ମଙ୍ଗଲୁରର ଏକ ବଡ଼ ଅଂଶ ୧.୮୭ ଫୁଟ ପାଣିରେ ବୁଡି ଯାଇପାରେ।

ପାରାଦ୍ୱୀପ
ଓଡିଶାର ପାରାଦ୍ୱୀପ ଏକମାତ୍ର ମୁଖ୍ୟ ବନ୍ଦର। କୋଲକାତାରୁ ୨୧୦ ନଟିକାଲ ମାଇଲ ଓ ବିଶାଖା ପାଟଣାରୁ ୨୬୦ ନଟିକାଲ ମାଇଲ ଦୂରରେ ଅବସ୍ଥିତ ଏହି ବନ୍ଦର ନଗରୀ ବାଣିଜ୍ୟ ଓ ନୌବହନ ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ତେବେ ଜଳବାୟୁ ପରିବର୍ତ୍ତନ କାରଣରୁ ୨୧୦୦ ମସିହା ବେଳକୁ ଏହା ୧.୯୩ ଫୁଟ ପାଣିରେ ବୁଡିଯିବାର ଆଶଙ୍କା କରାଯାଉଛି। ଯଦି ଏପରି ହୁଏ ତେବେ ଏହି ସହରରେ ରହୁଥିବା ଲୋକଙ୍କ ଜୀବିକା ଓ ଜୀବନ ଏବେ ଉଭୟ ବିପଦରେ ଥିବାର ଆଶଙ୍କା କରାଯାଉଛି।

ଟୁଟିକୋରିନ
ଦକ୍ଷିଣ ଭାରତର ବନ୍ଦର ନଗରୀ ଟୁଟିକୋରିନ ବିପଦପୂର୍ଣ୍ଣ ସହର ତାଲିକାରେ ରହିଛି। ୨୧୦୦ ବେଳକୁ ଏହି ସହର ପାଖାପାଖି ୧.୯ଫୁଟ ପାଣିରେ ବୁଡିଯିବାର ଆଶଙ୍କା କରାଯାଉଛି। ଏହି ବନ୍ଦର ସହରଟି ନା କେବଳ ବ୍ୟବସାୟୀକ ପେଣ୍ଠସ୍ଥଳ ବରଂ ଏହାର ଉଚ୍ଚ ସାଂସ୍କୃତିକ ପରମ୍ପରା ମଧ୍ୟ ରହିଛି। ସହରରେ ପାଣି ଭରିଗଲେ ଏହା ଲୋକଙ୍କ ଜୀବନ ଓ ଜୀବିକା ପାଇଁ ବିପଦର କାରଣ ପାଲଟିବ।

ତେବେ ବିଶେଷଜ୍ଞଙ୍କ କହିବା କଥା ହେଉଛି ସମୟ ପୂର୍ବରୁ ଯଦି ସଷ୍ଟେନେବଲ ଡେଭଲପମେଣ୍ଟ, କାର୍ବନ ଉତ୍ସର୍ଜନ ହ୍ରାସ ଓ ରିନୁଏବଲ ଏନର୍ଜୀର ବ୍ୟବହାର ବଢା ନଗଲା ତେବେ ସମୁଦ୍ର କୂଳରେ ଗଢି ଉଠିଥିବା ଏହି ସବୁ ସହର ସବୁଦିନ ଲାଗି ପୃଥିବୀ ମାନଚିତ୍ରରୁ ଉଭେଇଯିବେ। ଏଣୁ ସରକାର ଓ ନାଗରିକ ମିଳିତ ଜଳବାୟୁ ପରିବର୍ତ୍ତନ ମୁକାବିଲା ନିମନ୍ତେ ଏବେଠୁ ମଜଭୁତ ପଦକ୍ଷେପ ନେବା ଜରୁରି।