ଶ୍ରୀନଗର ୩।୮: ଜମ୍ମୁ-କାଶ୍ମୀର ପହଲଗାମରେ ୨୨ ଏପ୍ରିଲରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରଠାରୁ ଏ ପର୍ଯ୍ୟନ୍ତ ୬ଟି ଅଲଗା ଅଲଗା ଏନକାଉଣ୍ଟରରେ ସୁରକ୍ଷା ବଳ ୨୧ ଆତଙ୍କବାଦୀଙ୍କୁ ନିପାତ କରିଛନ୍ତି। ଏହି ସବୁ ଅପରେସନକୁ ଭାରତୀୟ ସେନା, ସିଆରପିଏଫ, ବିଏସଏଫ ଓ ଜମ୍ମୁ-କାଶ୍ମୀର ପୋଲିସ ମିଳିତ ସଫଳ କରିଛନ୍ତି। ଏହି ସବୁ ଏନକାଉଣ୍ଟରରେ ପ୍ରାଣ ହରାଇଥିବା ଆତଙ୍କବାଦୀଙ୍କ ମଧ୍ୟରେ ୧୨ ଜଣ ପାକିସ୍ତାନୀ ହୋଇଥିବା ବେଳେ ୯ ଜଣ ସ୍ଥାନୀୟ ଆତଙ୍କବାଦୀ ।
ଶ୍ରୀନଗରରୁ ୭୦ କିଲୋମିଟର ଦୂର କୂଲଗାମରେ ନିକଟରେ ଚଳାଯାଇଥିବା ଅପରେସନ ‘ଅକାଲ’ ରେ ସୁରକ୍ଷା ବଳ ଲସ୍କର-ଏ-ତୈୟବାର ୩ ଜଣ ଆତଙ୍କବାଦୀଙ୍କୁ ନିପାତ କରିଥିଲେ। ପ୍ରାଣ ହରାଇଥିବା ଆତଙ୍କବାଦୀଙ୍କ ମଧ୍ୟରେ କୁଲଗାମର ଜାକିର ଅହମଦ ଗନୀ, ସୋପରର ଆଦିଲ ରହେମାନ ଡେଣ୍ଟୁ ଓ ପୁଲବାମାର ହରିଶ ଡାର ଥିଲେ। ଏଥିରୁ ଡେଣ୍ଟୁ କ୍ୟାଟଗରୀ-ଏ ଆତଙ୍କବାଦୀ ଥିଲା। ସୁରକ୍ଷାବଳଙ୍କ ଅନୁସାରେ ଏହି ସମୂହକୁ ସ୍ଥାନୀୟ ଆତଙ୍କବାଦୀ ନିଯୁକ୍ତି, ସୀମା ସେପାଖରୁ ଅନୁପ୍ରବେଶ କରୁଥିବା ଅତଙ୍କବାଦୀଙ୍କୁ ଲଜିଷ୍ଟିକ୍ ସପୋର୍ଟ ଯୋଗାଇବା ପାଇଁ ସକ୍ରିୟ କରାଯାଇଥିଲା।
ସେହିପରି ଜମ୍ମୁ-କାଶ୍ମୀରର ସାମ୍ବା ଜିଲ୍ଲାରେ ବିଏସଏଫ ଜୈସ-ଏ-ମହମ୍ମଦର ୭ ଆତଙ୍କବାଦୀଙ୍କୁ ନିପାତ କରିଛି। ଏହି ସମସ୍ତ ୭ ଜଣ ପାକିସ୍ତାନୀ ନାଗରିକ ଥିଲେ ଓ ସୀମା ପାରକରି କାଶ୍ମୀରକୁ ଅନୁପ୍ରବେଶ କରିଥିଲେ। ତେବେ ଏମାନଙ୍କର ଫରେନସିକ୍ ଓ ବାୟୋମେଟ୍ରିକ ଯାଞ୍ଚ ସରି ନଥିବାରୁ ସେମାନଙ୍କ ପରିଚୟ ପୁଷ୍ଟି କରାଯାଇ ନାହିଁ। ସୋପିୟାଁ ଜିଲ୍ଲାର କେଲର ଜଙ୍ଗଲରେ ହୋଇଥିବା ଏନକାଉଣ୍ଟରରେ ସୁରକ୍ଷା ବଳ ଲସ୍କରର ୩ ଆତଙ୍କବାଦୀଙ୍କ ସଫେଇ କରିଛନ୍ତି। ଏହି ୩ ଆତଙ୍କବାଦୀ ହେଉଛନ୍ତି ସାହିଦ କୁଟ୍ଟେ, ଅଦନାନ ସାଫି ଡାର ଓ ଅମୀର ବଶିର।
ସେହିପରି ତ୍ରାଲ ବନାଞ୍ଚଳରେ ହୋଇଥିବା ଏନକାଉଣ୍ଟରରେ ସୁରକ୍ଷା ବଳ ଜୈସ-ଏ-ମହମ୍ମଦର ୩ ଆତଙ୍କବାଦୀଙ୍କୁ ନିପାତ କରିଛନ୍ତି। ମୃତ ୩ ଜଣ ତ୍ରାଲର ବାସିନ୍ଦା। ପ୍ରାଣ ହରାଇଥିବା ଆତଙ୍କବାଦୀଙ୍କ ମଧ୍ୟରେ ଆସିଫ ଅହମ୍ମଦ ଶେଖ, ଆମୀର ନଜିର ବାନୀ ଓ ୟାବର ଅହମ୍ମଦ ଭଟ୍ଟ ବୋଲି ଜଣାପଡିଛି। ଜମ୍ମୁ-କାଶ୍ମୀର ମୁଲନାର ଗାଁରେ ଅପରେସନ ‘ମହାଦେବ’ରେ ୩ ପାକିସ୍ତାନୀ ଆତଙ୍କବାଦୀ ସୁଲେମାନ, ଆଫଗାନ ଓ ଜିବ୍ରାନ ପ୍ରାଣ ହରାଇଛନ୍ତି।
ଏମାନେ ପହଲଗାମରେ ପର୍ଯ୍ୟଟକଙ୍କ ଉପରେ ଆକ୍ରମଣ କରିଥିଲେ ବୋଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ରାଜ୍ୟସଭାରେ ସୂଚିତ କରିଛନ୍ତି। ସେହିପରି ପୁଞ୍ଛ କ୍ଷେତ୍ରରେ ଅପରେସନ ‘ଶିବ ଶକ୍ତି’ ରେ ସୁରକ୍ଷା ବଳ ଲସ୍କରର ୨ ପାକିସ୍ତାନୀ ଆତଙ୍କବାଦୀଙ୍କୁ ନିପାତ କରିଛନ୍ତି। ସେମାନଙ୍କ ନାମ ପୁଷ୍ଟି କରାଯାଇନି। ତେବେ ସେମାନେ ପାକ୍ ଅଧିକୃତ କାଶ୍ମୀର (ପିଓକେ)ରୁ ଅନୁପ୍ରବେଶ କରିଥିଲେ ବୋଲି ଜଣାପଡିଛି।