ରେମୁଣା ୦୬/୦୬: ଅଧାଗଢା ଆମ ତିନିଠାକୁର । ସବୁଠି ପୂଜା ପାଉଛନ୍ତି ହାତ ଗୋଡ ନଥିବା ଦାରୁ ଦେବତା । ସେ ଶ୍ରୀକ୍ଷେତ୍ର ହେଉ ବା ଅନ୍ୟ କେଉଁଠି । ତ୍ରିବିଗ୍ରହକୁ ପୂଜିବାକୁ ଦୂର ଦୂରାନ୍ତରୁ ଧାଇଁ ଆସନ୍ତି ଭକ୍ତ । ବରଷକୁ ଥରେ ହୁଏ ତାଙ୍କର ଘୋଷଯାତ । ଆଉ ସେ ଯାତରା ବି ବେଶ୍ ବିଶ୍ୱପ୍ରସିଦ୍ଧ ।
ଯାତ୍ରାରେ ଭଗବାନଙ୍କୁ ଟେକି ଟେକି ନେବାର ଥାଏ ପରମ୍ପରା । କାରଣ ସେ ପରା ହାତ ଗୋଡ ନଥିବା ଠାକୁର । ହେଲେ ଜାଣିଛନ୍ତି କି ଏବେ ବି ପୂଜା ପାଉଛନ୍ତି ହାତଗୋଡଥିବା ଜଗନ୍ନାଥ । ଯଦିଓ କଥାଟି ଅବିଶ୍ୱସନୀୟ । କିନ୍ତୁ ବାସ୍ତବରେ ହେଉଛି ଏମିତି । କଥାଟି ତାଜବୁ ଲାଗିଲେ ବି ବାଲେଶ୍ବର ରେମୁଣାରେ ନଜର ଆସିଛି ଏମିତି ଘଟଣା ।
ବାଲେଶ୍ୱର ରେମୁଣା କୁଟ ପୋଖରୀ କୂଳରେ ଅବସ୍ଥିତି ଜଗନ୍ନାଥ ମନ୍ଦିର । ଏହି ମନ୍ଦିରରେ ପୂଜା ପାଉଛନ୍ତି ହାତ ଗୋଡ ଥିବା ଚତୁର୍ଦ୍ଧା ବିଗ୍ରହ। ଏଠାରେ ନବକଳେବର ବି ହୁଏ ନାହିଁ। ୧୫ ବର୍ଷ ହେବ ଗାଁ କମିଟି ଛୋଟ ବିଗ୍ରହଙ୍କୁ ନେଇ ରଥଯାତ୍ରା ପାଳନ କରି ଆସୁଛନ୍ତି। ହାତ ଗୋଡ ଥିବା ବଡ଼ଠାକୁର ବଳଭଦ୍ର, ଜଗତର ନାଥ ଜଗନ୍ନାଥ, ହଳଦୀମୁଖି ସୁଭଦ୍ରା ଓ ଚକ୍ରରାଜ ସୁଦର୍ଶନ ରଥଯାତ୍ରାରେ ଗୁଣ୍ଡିଚା ମନ୍ଦିରକୁ ନଯାଇ ସେହି ମନ୍ଦିରରେ ପୂଜା ପାଇଥାନ୍ତି। ତେବେ ଏହି ପରମ୍ପରା କୁଆଡେ ଏଠାକାର ପୌରାଣିକ ତଥ୍ୟ ମାଳିକାରେ ବର୍ଣ୍ଣିତ । ଲୋକେ ବି ବିଶ୍ୱାସ କରନ୍ତି ଏହି ପରମ୍ପରାକୁ ।
ପ୍ରାୟ ୨୦୦ ବର୍ଷ ପୂର୍ବେ ସନ୍ୟାସୀ ବାବା ହରିଗୁଲାମ ଦାସଙ୍କୁ ହୋଇଥିଲା ସ୍ୱପ୍ନାଦେଶ । ସ୍ୱପ୍ନାଦେଶ ପାଇ ଛତିଆ ମଠରୁ ଉତ୍ତର ଦିଗରେ ଗମନ କଲେ। ଉତ୍ତର ଦିଗରେ ଆସିବା ବେଳେ ଛୋଟ ବାଳିକାକୁ ଦେଖି ଅଟକି ଯାଇଥିଲେ ବାବା । ହେଲେ କିଛି କ୍ଷଣରେ ବଦଳିଯାଇଥିଲା ସବୁକିଛି ।
ହଠାତ୍ ବାବାଙ୍କ ସମ୍ମୁଖରେ ନଜର ଆସିଥିଲେ ୧୮ ଭୁଜା ଥିବା ଏକ ବିଶାଳ ନାରୀ। ଛୋଟିଆ ମୂର୍ତ୍ତିଟିକୁ ଉଠାଇ ଆଣି ମଠରେ ସ୍ଥାପନ କରି ଅଷ୍ଟଦଶଭୁଜା କନକ ଦୁର୍ଗା ରୂପେ କରିଥିଲେ ପୂଜା । କେବଳ ମାଆ ଦୁର୍ଗା ନୁହେଁ, ଗୋଡ଼ ହାତ ଥିବା ୬ଫୁଟ ଉଚ୍ଚର ଚତୁର୍ଦ୍ଧା ମୂର୍ତ୍ତି ବିଗ୍ରହଙ୍କୁ ବି ମାଟି ଘରେ କରିଥିଲେ ପୂଜାର୍ଚନା । ସମୟକ୍ରମେ ବାବାଙ୍କ ଦେହାନ୍ତ ପରେ ଭକ୍ତଙ୍କ ଅନୁଦାନରେ ନିର୍ମାଣ ହୋଇଛି ଜଗନ୍ନାଥ ମନ୍ଦିର ଓ କନକଦୁର୍ଗା ମନ୍ଦିର।
ପ୍ରତିଦିନ ମନ୍ଦିରରେ ପାଉଛନ୍ତି ଅଷ୍ଟାଦଶଭୂଜା ଦୁର୍ଗା। ଯିଏ ଯାହା ମାନସିକ କରନ୍ତି ଭକ୍ତଙ୍କ ମାନସିକ ପୂରଣ ହୁଏ ବୋଲି ବିଶ୍ବାସ ରହିଛି। ମା'ଙ୍କୁ ଚଳନ୍ତି ଠାକୁରାଣୀ ବୋଲି କହନ୍ତି ଭକ୍ତ। ବିଶେଷ କରି ଏଠି ପୂଜା ପାଉଥିବା ଜଗନ୍ନାଥଙ୍କ ମହିମା ବି ଢେର । ବିଶ୍ୱାସ ଅଛି ଡାକିଲେ ଓ କରନ୍ତି ଭଗବାନ ।