ନୂଆଦିଲ୍ଲୀ: ପାକିସ୍ତାନ ଓ ଆଫଗାନିସ୍ତାନ ମଧ୍ୟରେ ସୈନ୍ୟ କାର୍ଯ୍ୟାନୁଷ୍ଠାନ ଧୀରେ ଧୀରେ ଚରମ ସ୍ଥିତିରେ ପହଞ୍ଚିଛି। ଶୁକ୍ରବାର ପାକିସ୍ତାନର ଏୟାରଷ୍ଟ୍ରାଇକ୍‌ରେ ୩ ଆଫଗାନିସ୍ତାନ କ୍ରିକେଟରଙ୍କର ମୃତ୍ୟୁ ହୋଇଛି। ଏନେଇ ଆଫଗାନିସ୍ତାନ କ୍ରିକେଟ ବୋର୍ଡ(ଏସିବି) ସୂଚନା ଦେଇଛି। ଏହି ଘଟଣା ପରେ ଆଫଗାନିସ୍ତାନ ପାକିସ୍ତାନ ସହିତ କ୍ରିକେଟ ଖେଳରୁ ଓହରି ଯାଇଛି।

ଶୁକ୍ରବାର ପାକିସ୍ତାନ ଆଫଗାନିସ୍ତାନର ପାକ୍ତିତା ପ୍ରଦେଶରେ ବିଭିନ୍ନ ସ୍ଥାନରେ ଏୟାରଷ୍ଟ୍ରାଇକ୍ କରିଥିଲା। ଏଥିରେ ଘରୋଇ ମ୍ୟାଚ୍ ଖେଳୁଥିବା ୩ ଆଫଗାନୀ କ୍ରିକେଟରଙ୍କ ମୃତ୍ୟୁ ହୋଇଛି। ଏଣୁ ଆଫଗାନିସ୍ତାନ କ୍ରିକେଟ ବୋର୍ଡ ପାକିସ୍ତାନ ଏବଂ ଶ୍ରୀଲଙ୍କାକୁ ନେଇ ଖେଳାଯିବାକୁ ଆଗାମୀ ତ୍ରିରାଷ୍ଟ୍ରୀୟ ଟି-୨୦ ସିରିଜରୁ ଓହରି ଯାଇଛି। ଏନେଇ ବୋର୍ଡ ପକ୍ଷରୁ ସୋସିଆଲ୍ ମିଡିଆରେ ପୋଷ୍ଟ କରି ସୂଚନା ଦିଆଯାଇଛି। ଏଥିସହିତ ପାକିସ୍ତାନର ଏଭଳି ଆକ୍ରମଣକୁ ଏସିବି ନିନ୍ଦା କରିଛି। ପାକିସ୍ତାନ ଭୀରୁ ଭଳି ଆକ୍ରମଣ କରିଛି ବୋଲି ଆପଗାନିସ୍ତାନ କ୍ରିକେଟ ବୋର୍ଡ କହିଛି। 

ନଭେମ୍ବର ୫ ରୁ ୨୯ ପର୍ଯ୍ୟନ୍ତ ଶ୍ରୀଲଙ୍କା, ପାକିସ୍ତାନ ଓ ଆଫଗାନିସ୍ତାନ ମଧ୍ୟରେ ତ୍ରିପାକ୍ଷୀୟ ଟି-୨୦ ସିରିଜ ଖେଳାଯିବାର ଥିଲା। ଏହି ମ୍ୟାଚ୍‌ଗୁଡ଼ିକ ଲାହୋର ଏବଂ ରାୱଲପିଣ୍ଡିରେ ଖେଳାଯାଇ ଥାନ୍ତା। ହେଲେ ଆଫଗାନିସ୍ତାନ ଆଉ ଏହି ସିରିଜ୍‌ରେ ଭାଗ ନେବ ନାହିଁ ବୋଲି ଏହାର କ୍ରିକେଟ ବୋର୍ଡ ଘୋଷଣା କରିଛି।

ଶନିବାର ସୋସିଆଲ୍ ମିଡିଆରେ ପୋଷ୍ଟ କରି ଏସିବି ଲେଖିଛି ହୃଦୟବିଦାରକ ଘଟଣା ସ୍ୱରୂପ ତିନି ଜଣ ଖେଳାଳି (କବୀର, ସିବଘାତୁଲ୍ଲା ଏବଂ ହାରୁନ୍)ଙ୍କ ସହିତ ଉରଗୁନ୍ ଜିଲ୍ଲାର ଅନ୍ୟ ୫ ଜଣ ଦେଶବାସୀ ସହିଦ ହୋଇଛନ୍ତି। ଅନ୍ୟ ୭ ଜଣ ଆହତ ହୋଇଛନ୍ତି।

ଏହି ଖେଳାଳିମାନେ ଏକ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ୍ ମ୍ୟାଚରେ ଅଂଶଗ୍ରହଣ କରିବା ପାଇଁ କିଛିଦିନ ପୂର୍ବରୁ ପାକ୍ତିକା ପ୍ରଦେଶର ରାଜଧାନୀ ଶରଣାକୁ ଯାଇଥିଲେ। ମ୍ୟାଚ ଖେଳି ସେମାନେ ନିଜ ଘର ଉର୍ଗୁନ୍‌କୁ ଫେରିଥିଲେ। ତେବେ ଖେଳାଳିମାନେ କ୍ରୀଡ଼ା ସମ୍ପର୍କିତ ମାମଲାରେ ଏକାଠି ହୋଇଥବା ସମୟରେ ସେମାନଙ୍କୁ ଟାର୍ଗେଟ କରାଯାଇଛି। ଏସିବି ଏହାକୁ ଆଫଗାନିସ୍ତାନର କ୍ରୀଡ଼ା ସମ୍ପ୍ରଦାୟ, ଏହାର ଖେଳାଳି ଏବଂ କ୍ରିକେଟ୍ ପରିବାର ପାଇଁ ଏକ ବଡ଼ କ୍ଷତି ବୋଲି ଘୋଷଣା କରିଛି। ଏବଂ ପୀଡ଼ିତ ପରିବାର ପ୍ରତି ସମବେଦନା ଜଣାଇଛି।

ଅନ୍ୟପଟେ ପାକିସ୍ତାନର ଏଭଳି ଆକ୍ରମଣକୁ କଡ଼ା ଶବ୍ଦରେ ନିନ୍ଦା କରିଛନ୍ତି ଆଫଗାନିସ୍ତାନ କ୍ରିକେଟ ଟିମ୍ କ୍ୟାପ୍ଟେନ୍ ରଶିଦ ଖାନ। ଏଥିସହିତ ଟ୍ରାଇ ସିରିଜ୍‌ରୁ ଓହରିଯିବା ନେଇ ଆଫଗାନିସ୍ତାନ କ୍ରିକେଟ ବୋର୍ଡର ନିଷ୍ପତ୍ତିକୁ ସେ ଦୃଢ଼ ସମର୍ଥନ କରିଛନ୍ତି।

​​​​​​​ରଶିଦ ଟ୍ୱିଟ୍ କରି ଲେଖିଛନ୍ତି ଆଫଗାନିସ୍ତାନ ଉପରେ ସମ୍ପ୍ରତି ପାକିସ୍ତାନୀ ବିମାନ ଆକ୍ରମଣରେ ସାଧାରଣ ନାଗରିକଙ୍କ ଜୀବନହାନିରେ ମୁଁ ଗଭୀର ମର୍ମାହତ ହୋଇଛି। ଏହି ଦୁଃଖଦ ଘଟଣା ମହିଳା, ପିଲା ଏବଂ ବିଶ୍ୱ ସ୍ତରରେ ନିଜ ଦେଶକୁ ପ୍ରତିନିଧିତ୍ୱ କରିବାର ସ୍ୱପ୍ନ ଦେଖୁଥିବା କିଛି ଯୁବ କ୍ରିକେଟରଙ୍କ ଜୀବନ ନେଇଛି। ସାଧାରଣ ଲୋକେ ରହୁଥିବା ଅଞ୍ଚଳକୁ ଟାର୍ଗେଟ୍ କରିବା ସମ୍ପୂର୍ଣ୍ଣ ଅନୈତିକ ଏବଂ ବର୍ବରତାପୂର୍ଣ୍ଣ। ଏହି ଅନ୍ୟାୟ ଏବଂ ବେଆଇନ କାର୍ଯ୍ୟଗୁଡ଼ିକ ମାନବାଧିକାରର ଏକ ଗମ୍ଭୀର ଉଲ୍ଲଂଘନକୁ ଦର୍ଶାଉଛି, ତେଣୁ ଏହାକୁ ଅଣଦେଖା କରାଯିବା ଉଚିତ୍ ନୁହେଁ। ପ୍ରାଣ ହରାଇଥିବା ନିର୍ଦ୍ଦୋଷ ଲୋକଙ୍କୁ ଦୃଷ୍ଟିରେ ରଖି, ମୁଁ ପାକିସ୍ତାନ ବିପକ୍ଷରେ ଆଗାମୀ ମ୍ୟାଚ୍ ରୁ ଓହରିଯିବା ପାଇଁଏସିବିର ନିଷ୍ପତ୍ତିକୁ ସ୍ୱାଗତ କରୁଛି। ଏହି କଷ୍ଟକର ସମୟରେ ମୁଁ ଆମ ଲୋକଙ୍କ ସହିତ ଛିଡ଼ା ହୋଇଛି। ସର୍ବୋପରି ଆମର ଜାତୀୟ ମର୍ଯ୍ୟାଦା ଉପରେ ରହିବା ଉଚିତ।

​​​​​​​