୩୫ ବର୍ଷ ପରେ ଏକାଠି ହୋଇଥିଲେ ସ୍କୁଲ ଦିନର ୨୪ ବନ୍ଧୁ, ଯାଇଥିଲେ ଉତ୍ତରକାଶୀ, ନିଖୋଜ

Published By : Prameya-News7 Bureau | August 07, 2025 IST

ମୁମ୍ବାଇ  ୭।୮: ଉତ୍ତରାଖଣ୍ଡର ଉତ୍ତରକାଶୀରେ ଭୀଷଣ ବର୍ଷା ଓ ବାଦଲ ଫାଟିବା କାରଣରୁ ବ୍ୟପାକ କ୍ଷୟକ୍ଷତି ହୋଇଛି। ପୁଣେର ୨୪ ପୂର୍ବ ସହପାଠୀ ଯେଉଁମାନେ ୧୯୯୦ ମସିହାରେ ଏକତ୍ର ୧୦ ଶ୍ରେଣୀରେ ପଢିଥିଲେ, ୩୫ ବର୍ଷ ପରେ ଏକାଠି ହୋଇ ଉତ୍ତରକାଶୀ ଟ୍ରିପରେ ଯାଇଥିଲେ।  ସେମାନେ ଏବେ ନିଖୋଜ ଅଛନ୍ତି। ଏମାନେ ସମସ୍ତେ ଧରାଲୀ କ୍ଷେତ୍ରରେ ଥିଲେ ଯେଉଁଠି ନିକଟରେ ବାଦଲଫଟା ବର୍ଷା ପ୍ରଳୟ ରଚିଥିଲା। ଏହି ପ୍ରାକୃତିକ ବିପର୍ଯ୍ୟୟରେ ମହାରାଷ୍ଟ୍ରର ମୋଟ ୧୪୯ ଜଣ ତୀର୍ଥ ଯାତ୍ରୀ ବିଭିନ୍ନ ଜାଗାରେ ଫଶି ରହିଛନ୍ତି। 

ସ୍ଥାନୀୟ ପ୍ରଶାସନ ଓ ଉଦ୍ଧାରକାରୀ ଦଳ ସେମାନଙ୍କୁ ସୁରକ୍ଷିତ ଉଦ୍ଧାର କରିବା ପାଇଁ ଉଦ୍ୟମ ଜାରି ରଖିଛି। ଏଥିରେ ୨୪ ଜଣ ବନ୍ଧୁଙ୍କ ସ୍ମରଣୀୟ ଯାତ୍ରା ଏବେ ସଂକଟ ଓ ଚିନ୍ତାରେ ପରିବର୍ତ୍ତିତ ହୋଇଛି। ପୁଣେ ଅଭସାରୀ ଖୁର୍ଦ୍ଦ ଗାଁର ଏକ ସ୍କୁଲରେ ୧୯୯୦ ମସିହାରେ ଏକତ୍ର ପଢିତିବା  ଅଶୋକ ଭୋର ଓ ତାଙ୍କର ୨୩ ଜଣ ସାଙ୍ଗ ୩୫ ବର୍ଷ ପରେ ଚାରିଧାମ ଯାତ୍ରା ପାଇଁ ଏକତ୍ର ହୋଇଥିଲେ। ସେମାନେ ମୁମ୍ବାଇ ସମେତ ମହାରାଷ୍ଟ୍ର ଅନ୍ୟାନ୍ୟ ସ୍ଥାନରେ ରହନ୍ତି। ସମସ୍ତ ୨୪ ଜଣ ୧ ଅଗଷ୍ଟରେ ଚାରିଧାମ ଯାତ୍ରା ଉଦ୍ଦେଶ୍ୟରେ ବାହାରିଥିଲେ। 

ନିର୍ଦ୍ଧାରିତ ଯୋଜନା ଅନୁସାରେ ସେମାନେ ଅଗଷ୍ଟ ୧୦ ତାରିଖ ଦିନ ଦିଲ୍ଲୀ ଫେରିଥାନ୍ତେ। ଅଶୋକ ଭୋରଙ୍କ ପୁଅ ଆଦିତ୍ୟ କହିଛନ୍ତି ଯେ ତାଙ୍କ ପିତାଙ୍କ ସହ ସେ ଶେଷଥର ଅଗଷ୍ଟ ୪ ତାରିଖରେ କଥା ହୋଇଥିଲେ। ସେତେବେଳେ ତାଙ୍କ ପିତା କହିଥିଲେ ଯେ ସେମାନେ ଗଙ୍ଗୋତ୍ରୀରୁ ୧୦ କିଲୋମିଟର ଦୂରରେ ଅଛନ୍ତି। ସେତେବେଳେ ସେ କହିଥିଲେ ଯେ ରାସ୍ତାରେ ଗଛ ପଡିବା ଓ ଛୋଟମୋଟ ଭୂ-ସ୍ଖଳନ ଯୋଗୁ ସେମାନେ ଫଶି ଯାଇଛନ୍ତି। ଆଦିତ୍ୟ କହିଛନ୍ତି ଯେ ତା ପରଠାରୁ ପିତା କି ତାଙ୍କ ଗ୍ରୁପର ଅନ୍ୟମାନଙ୍କ ସହ ଯୋଗାଯୋଗ ହୋଇ ପାରୁ ନାହିଁ। 

ମହାରାଷ୍ଟ୍ରର ଜନୈକ ବିପର୍ଯ୍ୟୟ ପ୍ରବନ୍ଧନ ଅଧିକାରୀ କହିଛନ୍ତି ଯେ ପ୍ରାପ୍ତ ସୂଚନା ଅନୁସାରେ ଏ ପର୍ଯ୍ୟନ୍ତ ଉତ୍ତରାଖଣ୍ଡ ଧରାଲୀରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୪୯ ଜଣ ପର୍ଯ୍ୟଟକ ଫଶି ରହିଛନ୍ତି। ବର୍ତ୍ତମାନ ପରିସ୍ଥିତିରେ ଟୁରିଷ୍ଟଙ୍କ ସହିତ ସମ୍ପର୍କ କରିବା ଅସମ୍ଭବ ହେଉଛି, ତେବେ ଆମେ ଉତ୍ତରାଖଣ୍ଡ ପ୍ରଶାସନ ସହ ସମ୍ପର୍କରେ ଅଛୁ। ତେବେ ମୁମ୍ବାଇର ୬୧ ଟୁରିଷ୍ଟ ସୁରକ୍ଷିତ ଅଛନ୍ତି ଓ ସେମାନେ ହନୁମାନ ଆଶ୍ରମରେ ସୁରକ୍ଷିତ ଅଛନ୍ତି। ୧୪୯ ପର୍ଯ୍ୟଟକଙ୍କ ମଧ୍ୟରୁ ୭୫ ଜଣଙ୍କ ଫୋନ ଏବେବି ବନ୍ଦ ଅଛି ଓ ସେମାନେ ନେଟୱାର୍କ ବାହାରେ ଅଛନ୍ତି।

ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର କହିଛନ୍ତି ଯେ ରାଜ୍ୟ ସରକାର ଉତ୍ତରାଖଣ୍ଡ ପ୍ରଶାସନ ସହ ଲଗାତାର ସମ୍ପର୍କରେ ଅଛନ୍ତି ଓ ସେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀଙ୍କୁ ତୀର୍ଥ ଯାତ୍ରୀଙ୍କ ସୁରକ୍ଷିତ ପ୍ରତ୍ୟାବର୍ତ୍ତନ ନିମନ୍ତେ ନିବେଦନ କରିଛନ୍ତି। ଅଜିତ ପାୱାର କହିଛନ୍ତି ଯେ ଫଶି ରହିଥିବା ପର୍ଯ୍ୟଟକଙ୍କୁ ସୁରକ୍ଷିତ ଉଦ୍ଧାର କରିବା ଓ ସେମାନଙ୍କ ସୁରକ୍ଷିତ ପ୍ରତ୍ୟାବର୍ତ୍ତନ ସୁନିଶ୍ଚିତ କରିବା ପାଇଁ ପ୍ରୟାସ ଜାରି ରହିଛି। 

ମହାରାଷ୍ଟ୍ରର ଫଶି ରହିଥିବା ପର୍ଯ୍ୟଟକଙ୍କ ମଧ୍ୟରୁ ୭୬ ଜଣ ମୁ୍ମ୍ବାଇର ହୋଇଥିବା ବେଳେ ୧୭ ଜଣ ଛତ୍ରପତି ସମ୍ଭାଜୀ ନଗରରୁ, ୧୫ ପୁଣେରୁ, ୧୩ ଜଲଗାଓଁରୁ, ୧୧ ଜଣ ନାନ୍ଦେଡରୁ, ୫ ଜଣ ଠାଣେରୁ, ନାସିକ ଓ ସୋଲାପୁରରୁ ୪ ଜଣ ଲେଖାଏଁ ଥିବା ବେଳେ ମାଲାଗାଁବରୁ ୩ ଓ ଅହିଲ୍ୟାନଗରରୁ ଜଣେ ପର୍ଯ୍ୟଟକ ଅଛନ୍ତି। ସେପଟେ ନିଖୋଜ ୨୪ ସାଙ୍ଗଙ୍କ ବ୍ୟାଚମେଣ୍ଟ ମଲହାରୀ ଅଭଙ୍ଗ କହିଛନ୍ତି ଯେ ମୁଁ ସେମାନଙ୍କ ସହିତ ଶେଷ ଥର ସୋମବାର ମଧ୍ୟାହ୍ନରେ ଏକ ଭିଡିଓ କଲରେ କଥା ହୋଇଥିଲି। ସେମାନଙ୍କ ମଧ୍ୟରୁ କେତେଜଣ ଗଙ୍ଗୋତ୍ରୀ ଯିବେ ବୋଲି ସୋସିଆଲ ମିଡିଆରେ ଅପଡେଟ୍ ପୋଷ୍ଟ କରିଥିଲେ। ମୁଁ ସେମାନଙ୍କ ସହ ଏବେ ସମ୍ପର୍କ କରି ପାରୁନି। ସେମାନେ ଅଗଷ୍ଟ ୫ ତାରିଖ ଦିନ ଉତ୍ତରକାଶୀରେ ଅଟକି ପରଦିନ ଗୌରୀକୁଣ୍ଡ ଯିବାର ଥିଲା। ଏହି ଯାତ୍ରା ପାଇଁ ସେମାନେ ହରିଦ୍ୱାରରୁ ଏକ ବସ୍ ମଧ୍ୟ ବୁକ୍ କରିଥିଲେ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.