ନୂଆଦିଲ୍ଲୀ,୨୧।୪: ୧୯୫୧ରୁ ୨୦୧୯ ମଧ୍ୟରେ ଦେଶରେ ୧୭ଟି ଲୋକସଭା ନିର୍ବାଚନ ହୋଇଛି । ଏହି ମତଦାନ ପ୍ରକ୍ରିୟାରେ ମୋଟ୍ ୪୮,୧୦୩ଜଣ ସ୍ୱାଧୀନ ପ୍ରାର୍ଥୀ ଛିଡ଼ା ହୋଇଛନ୍ତି । ହେଲେ ସେମାନଙ୍କ ମଧ୍ୟରୁ ମାତ୍ର ୨୩୪ଜଣ ଲୋକସଭାକୁ ବିଜୟୀ ହୋଇଛନ୍ତି । ଅନ୍ୟପକ୍ଷରେ ୪୭,୧୬୩ ଜଣ ନିଜର ଅମାନତ ହରାଇଛନ୍ତି । ଭାରତର ନିର୍ବାଚନ କମିଶନରଙ୍କ ପକ୍ଷରୁ ଏହି ତଥ୍ୟ ମିଳିଛି ।
ତଥ୍ୟ ଅନୁସାରେ, ଦେଶରେ ୧୯୫୧-୧୯୫୨ରେ ଅନୁଷ୍ଠିତ ପ୍ରଥମ ଲୋକସଭା ନିର୍ବାଚନରେ ୩୭ ଜଣ ସ୍ୱାଧୀନ ପ୍ରାର୍ଥୀ ନିର୍ବାଚିତ ହୋଇଥିଲେ । ସେହିଭଳି ୧୯୫୭ରେ ଅନୁଷ୍ଠିତ ଦ୍ୱିତୀୟ ନିର୍ବାଚନରେ ସର୍ବାଧିକ ୪୨ଜଣ ସ୍ୱାଧୀନ ପ୍ରାର୍ଥୀ ଲୋକସଭାକୁ ଯାଇଥିଲେ । ତେବେ ଶେଷଥର ପାଇଁ ୧୯୮୯ରେ ଦୁଇ ଅଙ୍କ ସଂଖ୍ୟା ବିଶିଷ୍ଟ ସ୍ୱାଧୀନ ପ୍ରାର୍ଥୀ ଲୋକସଭାକୁ ବିଜୟୀ ହୋଇଥିଲେ । ୧୯୯୧ ନିର୍ବାଚନରେ ଏହା ତଳତୁ ଖସିଆସିଥିଲା । ମାତ୍ର ଜଣେ ସ୍ୱାଧୀନ ପ୍ରାର୍ଥୀ ଲୋକସଭା ନିର୍ବାଚନରେ ବିଜୟୀ ହୋଇଥିଲେ । ସେବେଠାରୁ ଏଯାଏଁ ସମସ୍ତ ଲୋକସଭା ନିର୍ବାଚନରେ ଏକ ଅଙ୍କ ବିଶିଷ୍ଟ ପ୍ରାର୍ଥୀ ହିଁ ଲୋକସଭାକୁ ନିର୍ବାଚିତ ହୋଇଛନ୍ତି । ପ୍ରତିଟି ଲୋକସଭା ନିର୍ବାଚନରେ ଜାତୀୟ ଦଳ ୬୦ ପ୍ରତିଶତରୁ ଅଧିକ ଆସନ ହାସଲ କରିଛନ୍ତି । ଅନେକ ଥର ୯୦ ପ୍ରତିଶତ ପର୍ଯ୍ୟନ୍ତ ଆସନ ମଧ୍ୟ ହାସଲ ତଥ୍ୟରୁ ସାମ୍ନାକୁ ଆସିଛି ।
ଚଳିତ ନିର୍ବାଚନର ପ୍ରଥମ ଦୁଇଟି ପର୍ଯ୍ୟାୟରେ ୧୪୮୫ ଜଣ ସ୍ୱାଧୀନ ପ୍ରାର୍ଥୀ ମଇଦାନରେ ଅଛନ୍ତି । ସେମାନଙ୍କ ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ୮୮୯ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମ୍ରେ ସିଲ୍ ହୋଇଛି । ଆସନ୍ତା ୨୬ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟରେ ୫୬୯ ପ୍ରାର୍ଥୀଙ୍କ ଭାଗ୍ୟ ଭୋଟର ନିର୍ଦ୍ଧାରଣ କରିବେ । ଏହି ଦୁଇଟି ପର୍ଯ୍ୟାୟରେ ମୋଟ୍ ୨୮୨୩ ପ୍ରାର୍ଥୀ ଅଛନ୍ତି । ସେମାନଙ୍କ ମଧ୍ୟରୁ ୫୨ ପ୍ରତିଶତ ହେଉଛନ୍ତି ସ୍ୱାଧୀନ ପ୍ରାର୍ଥୀ ।
୧୯୫୧ରୁ ୨୦୧୯ ପର୍ଯ୍ୟନ୍ତ ହୋଇଥିବା ନିର୍ବାଚନରେ ଜାତୀୟ ଦଳର ମୋଟ୍ ୨୩,୭୩୯ ପ୍ରାର୍ଥୀ ଲଢ଼ିଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ୭୧୮୫ଜଣ ବିଜୟୀ ହୋଇଛନ୍ତି । ଏହି ସମୟ ମଧ୍ୟରେ ଅମାନତ ହରାଇଥିବା ଜାତୀୟ ଦଳର ପ୍ରାର୍ଥୀଙ୍କ ସଂଖ୍ୟା ରହିଛି ୮୫୪୫ । ୧୯୫୧ରୁ ୧୯୯୬ ମଧ୍ୟରେ ପ୍ରତିଥର ନିର୍ବାଚନରେ ୪୦୦ରୁ ଅଧିକ ଜାତୀୟ ଦଳର ପ୍ରାର୍ଥୀ ଲୋକସଭାକୁ ନିର୍ବାଚିତ ହୋଇଛନ୍ତି । ୧୯୮୦ରେ ସର୍ବାଧିକ ୪୮୫ ଜଣ ଜାତୀୟ ଦଳ ପ୍ରାର୍ଥୀ ନିର୍ବାଚିତ ହୋଇଥିଲେ । ଅନ୍ୟପକ୍ଷରେ ୧୯୯୮ ପରେ କୌଣସି ଜାତୀୟ ଦଳ ପ୍ରାର୍ଥୀମାନେ ୪୦୦ ଆସନ ଛୁଇଁପାରି ନାହାନ୍ତି । ୨୦୧୯ରେ ୩୯୭ଜଣ ଜାତୀୟ ଦଳ ପ୍ରାର୍ଥୀ ଜିତିଥିଲେ । ନିର୍ବାଚନ କମିଶନଙ୍କ ତଥ୍ୟ ଅନୁସାରେ ୧୯୯୧ରେ ସର୍ବାଧିକ ୧୮୫୫ ଜଣ ଜାତୀୟ ଦଳର ପ୍ରାର୍ଥୀ ନିର୍ବାଚନ ଲଢ଼ିଥିଲା ବେଳେ ୧୯୯୬ରେ ସର୍ବାଧିକ ୧୦,୬୩୬ ଜଣ ସ୍ୱାଧୀନ ପ୍ରାର୍ଥୀ ଲଢ଼ିଥିଲେ । ଲୋକସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଜଣେ ସାଧାରଣ ବର୍ଗର ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ ବେଳେ ୨୫ ହଜାର ଟଙ୍କାର ଅମାନତ ଜମା କରିଥାନ୍ତି । ଅନୁସୂଚିତ ଜାତି ଓ ଜନଜାତି କ୍ଷେତ୍ରରେ ଏହା ୫୦ ପ୍ରତିଶତ କମ୍ ହୋଇଥାଏ । ମତଦାନରେ ଯେତିକି ବୈଧ ଭୋଟ ପଡିଥାଏ ତାର ଯଦି ଏକ-ଷଷ୍ଠାଂଶ ଅର୍ଥାତ ୬ଭାଗରୁ ୧ ଭାଗ ଭୋଟ ସମ୍ପୃକ୍ତ ପ୍ରାର୍ଥୀ ପାଇ ନଥାନ୍ତି ତେବେ ତାଙ୍କର ଅମାନତ ରାଶି ଜବତ କରାଯାଏ । ୨୦୧୯ ନିର୍ବାଚନରେ ମୋଟ ୬୯୨୩ ଜଣ ପ୍ରାର୍ଥୀ ସେମାନଙ୍କ ଅମାନତ ରାଶି ହରାଇଥିଲେ । ସେମାନଙ୍କ ମଧ୍ୟରୁ ୩୪୪୯ ଜଣ ଥିଲେ ସ୍ୱାଧୀନ ପ୍ରାର୍ଥୀ ।