କୁଚିଣ୍ଡା୧୧/୧୧:ଥମୁନି ହାତୀ-ମଣିଷ ଲଢେଇ । ଉଭୟଙ୍କ ସଂଘର୍ଷରେ କେତେବେଳେ ହାତୀ ଟଳି ପଡୁଛି ପୁଣି କେତେବେଳେ ମଣିଷର ଜୀବନ ଯାଉଛି । ଏଥର ହାତୀ ଆକ୍ରମଣରେ ଯାଇଛି ୨ ଚାଷୀଙ୍କ ଜୀବନ । ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବାମରା ବନଖଣ୍ଡ ବଡରମା ରେଞ୍ଜ କୁତବ ଗାଁରୁ ଆସିଛି ଅଭାବନୀୟ ଖବର । ଉଷାକୋଠି ଅଭାୟରଣ୍ୟ ଭିତରେ ଥିବା କୁତବ ଗାଁର ଚାଷୀ ଗଙ୍ଗାରାମ ପଟେଲ ଓ ପ୍ରଦୀପ ଘଟୁଆଳ । ସବୁଦିନ ପରି ସୋମବାର ରାତିରେ ଧାନ ଫସଲ ଜଗିବାକୁ କ୍ଷେତକୁ ଯାଇଥିଲେ । ହଠାତ ତାଙ୍କ ଆଡକୁ ମାଡିଆସିଥିଲା ଗୋଟିଏ ଦନ୍ତା । ଉଭୟ ହାତୀ କବଳରୁ ରକ୍ଷା ପାଇବାକୁ ଦୌଡିଥିଲେ । କିନ୍ତୁ ହାତୀ ଉଭୟ ଗଙ୍ଗାରାମ ଓ ପ୍ରଦୀପଙ୍କୁ ଦଳି କଚାଡି ମାରି ଦେଇଥିଲା ।

ସକାଳୁ ଘରକୁ ଫେରିବା ବିଳମ୍ବ ହେବା ପରେ ପରିବାର ଲୋକେ ଚିନ୍ତାରେ ପଡିଯାଇଥିଲେ । ଘଟଣା କଣ ଜାଣିବାକୁ ଚାଷ ଜମି ପାଖକୁ ଆସିଥିଲେ । ସେଠି ପହଞ୍ଚି  ଯାହା ଦେଖିଲେ ହତବାକ୍ ହୋଇଗଲେ । କ୍ଷତାକ୍ତ ଅବସ୍ଥାରେ ଉଭୟଙ୍କ ମୃତଦେହ ପଡିଥିଲା । ଖବର ପାଇ ଘଟଣାସ୍ଥଳରେ ଜମନକିରା ଥାନାଧିକାରୀ, ବଡରମା ରେଞ୍ଜ ଅଫିସର ତଥା ଜମନକିରା ତହସିଲଦାର ପହଞ୍ଚି ଥିଲେ। ସେପଟେ ବିଭିନ୍ନ ଦାବି ନେଇ ମୃତଦେହ ଉଠାଇବାକୁ ମନା କରିଥିଲେ କୁତବ ଗାଁ ଲୋକ । କିଛି ସମୟ ପାଇଁ ସୃଷ୍ଟି ହୋଇଥିଲା ଉତ୍ତେଜନାମୂଳକ ପରିସ୍ଥିତି । ସମସ୍ୟା ସମାଧାନର ପ୍ରତିଶ୍ରୁତି ପରେ ପରିସ୍ଥିତି ଶାନ୍ତ ପଡିଥିଲା ।