ପାରଳାଖେମୁଣ୍ଡିରେ ବରିଷ୍ଠ ଓକିଲଙ୍କୁ ଏସିଡ୍ ମାଡ଼ ମାମଲାରେ ୨ ଗିରଫ, ଅର୍ଥ କାରବାରକୁ ନେଇ ଏଭଳି କାଣ୍ଡ ଭିଆଇଥିଲେ ଅଭିଯୁକ୍ତ

Published By : Prameya-News7 Bureau | February 02, 2025 IST

ଗଜପତି ୨ବହୁ ଚର୍ଚ୍ଚିତ ପାରଳାଖେମୁଣ୍ଡି ବରିଷ୍ଠ ଓକିଲ ପି.ରାମରାଓଙ୍କ ଉପରେ ଏସିଡ୍ ମାଡ଼ ଘଟଣାରେ ପୋଲିସକୁ ମିଳିଛି ବଡ଼ ସଫଳତା । ଆନ୍ଧ୍ର ପ୍ରଦେଶର ବିଜୟଓ୍ବାଡାରୁ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି ପାରଳାଖେମୁଣ୍ଡି ପୋଲିସ । ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ, ବହୁ ପୁରାତନ ଅର୍ଥ କାରବାରକୁ ନେଇ ଅଭିଯୁକ୍ତ ମାନେ ଏଭଳି କାଣ୍ଡ ଭିଆଇଥିବା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଗଜପତି ଏସ୍‌ପି । 

ପାରଳାଖେମୁଣ୍ଡି ଓକିଲ ପି. ରାମରାଓଙ୍କୁ ନିଜ ବାସଭବନ ଠାରେ ଗତ ନଭେମ୍ବର ୯ ତାରିଖ ଦିନ ଦୁଇ ଜଣ ଦୁର୍ବୃତ୍ତ ଏକ ମୋଟର ସାଇକେଲରେ ଆସି ପାର୍ସଲ ଦେବା ବାହାନାରେ ରାମା ରାଓଙ୍କ ମୁହଁରେ ଏସିଡ୍ ପକାଇ ଫେରାର ହୋଇଯାଇଥିଲେ । ପରେ ଘଟଣାର ତଦନ୍ତ ପାଇଁ ପାରଳାଖେମୁଣ୍ଡି ପୋଲିସ ତତ୍ପର ହୋଇ ଉଠିଥିଲା, ବିଭିନ୍ନ ସିସିଟିଭି ଫୁଟେଜ, ସାଇବର ସେଲର ସହାୟତା ଏବଂ ଘଟଣାରେ ବ୍ୟବହୃତ ପୋଲସର ବାଇକକୁ ଭିତ୍ତିକରି ପାଖାପାଖି ୩ ମାସ ଧରି ପୋଲିସର ଦୁଇଟି ଟିମ୍ ଗଠନ କରି ତଦନ୍ତ ଜାରି ରଖିଥିଲା । ଶନିବାର ଏହି ମାମଲାରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଏମାନଙ୍କ ମଧ୍ୟରୁ ସମ୍ପୂର୍ଣ୍ଣ ଘଟଣାର ମୂଳସୂତ୍ର ଧାରୀ ହେଉଛନ୍ତି ଜଣେ ଅବସରପ୍ରାପ୍ତ ଷ୍ଟେଟ ବ୍ୟାଙ୍କ ମ୍ୟାନେଜେର ଡି.ଭେଙ୍କେଟରାଓ ଓ ଅନ୍ୟ ଜଣେ ସୁପାରୀ ନେଇ ଘଟଣା ଘଟାଇଥିଲା । ଦୁଇ ଜଣଙ୍କ ମଧ୍ୟରୁ ଏସିଡ୍ ଫିଙ୍ଗିଥିବା ଯୁବକ ଡି. ସତୀଶ । ତେବେ ଏହି ଘଟଣାରେ ଆଉ ଜଣେ ଅଭିଯୁକ୍ତ ବର୍ତ୍ତମାନ ସୁଦ୍ଧା ଫେରାର ରହିଥିବା ସୂଚନା ଦେଇଛନ୍ତି ଏସ୍‌ପି । 

୨୦୦୫ ମସିହାରେ ଘଟଣାର ଷଡ଼ଯନ୍ତ୍ରକାରୀ ପାରଳାଖେମୁଣ୍ଡିର ଜଣେ ବସ୍ ମାଲିକଙ୍କୁ ୫୫ ଲକ୍ଷ ଟଙ୍କା ବାର୍ ଏବଂ ରେଷ୍ଟୁରାଣ୍ଟ କରିବା ପାଇଁ ବ୍ୟକ୍ତିଗତ ଋଣ ଦେଇଥିଲେ । ପରବର୍ତ୍ତୀ ସମୟରେ ସେ ଋଣ ସୁଝି ପାରିନଥିଲେ । ଏହି ଘଟଣା ସମ୍ପର୍କିତ ସମସ୍ତ ଦସ୍ତାବିଜ ଓ ସିକ୍ୟୁରିଟି ଆକାରରେ ଦେଇଥିବା ଚେକ୍ ପୀଡିତ ଓକିଲ ରାମରାଓଙ୍କ ପାଖରେ ଥିଲା ଯାହାକୁ ଅଭିଯୁକ୍ତ ଭେଙ୍କେଟ ରାଓ ବାରମ୍ବାର ମାଗି ବିଫଳ ହୋଇଥିଲେ । ଯାହାର ପ୍ରତିଶୋଧ ନେବା ପାଇଁ ଦୁଇ ଜଣ ସୁପାରୀ କିଲରଙ୍କୁ ବ୍ୟବହାର କରି ମୋଟର ସାଇକେଲ ଓ ଏସିଡ୍ ଦେଇ ବିଶାଖାପଟଣାରୁ ପଠାଇଥିଲେ । 

ପରବର୍ତ୍ତୀ ସମୟରେ ସେମାନେ ପାରଳାଖେମୁଣ୍ଡିରେ ପହଞ୍ଚି ନିକଟସ୍ଥ ଏକ ମଦ ଦୋକାନରେ ବିୟର ପିଇବା ପରେ ବିୟର କେନ୍‌ରେ ଏସିଡ୍ ରଖି ଓକିଲଙ୍କ ମୁହଁକୁ ମାଡ କରିଥିଲେ । ବର୍ତ୍ତମାନ ସୁଦ୍ଧା ଓକିଲ ପି ରାମରାଓ ବିଶାଖାପଟଣାର ଏଲ ଭି ପ୍ରସାଦ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି । ଏହି ଘଟଣାରେ ଅନ୍ୟ କେଉଁମାନେ ସଂଶ୍ଳିଷ୍ଟ ଅଛନ୍ତି ପୋଲିସ ଏବେ ତାର ତଦନ୍ତ ଜାରି ରଖିଛି ।  ଗିରଫ ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ।    

ଓକିଲଙ୍କୁ ଏସିଡ୍ ମାଡ ଘଟଣା ପରେ ଓକିଲ ମାନେ ନିରୁତ୍ସାହିତ ଥିଲେ । ଘଟଣାକୁ ପାଖାପାଖି ତିନି ମାସ ସମୟ ହୋଇଯାଇଥିବାରୁ ଅଭିଯୁକ୍ତ ମିଳିବ କି ନାହିଁ ସେହି ଆଶା ଆଶଙ୍କାରେ ରହିଥିଲେ । ଦୁଇ ଜଣ ଅଭିଯୁକ୍ତ ଗିରଫ ପରେ ଓକିଲଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି, ଏସ୍‌ପିଙ୍କୁ ସମ୍ବର୍ଦ୍ଧନା କରିବା ସହ ଧନ୍ୟବାଦ ଦେଇଛନ୍ତି ଓକିଲ ମାନେ । ଅନୁରୋଧ କରିଛନ୍ତି ଯେ, ଅଭିଯୁକ୍ତଙ୍କ ବିରୁଦ୍ଧରେ ଆଇନଗତ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ।     

You Can Read:

କଣ୍ଟାବାଞ୍ଜିରେ ଅନଲାଇନ୍ ବେଟିଂ ଗେମ୍‌ରେ ପୋଲିସର ଚଢ଼ାଉ, ମାଷ୍ଟର ମାଇଣ୍ଡ ସହ ୫ ଗିରଫ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.