E-KYC କରି ନ ଥିବାରୁ ରାସନ କାର୍ଡ଼ ପାଇବାରୁ ବଞ୍ଚିତ ହେବେ ୧୯ ଲକ୍ଷ ହିତାଧିକାରୀ

Published By : Prameya-News7 Bureau | August 22, 2025 IST

ଭୁବନେଶ୍ଵର: E-KYC   କରିନଥିବାରୁ ରାସନ କାର୍ଡ଼ ପାଇବାରୁ ବଞ୍ଚିତ ହେବେ ରାଜ୍ୟର ପ୍ରାୟ ୧୯ ଲକ୍ଷ ହିତାଧିକାରୀ । ଏହି ହିତାଧିକାରୀମାନେ କେବଳ ରାସନ କାର୍ଡ଼ରୁ ନୁହେଁ ବରଂ ବିଭିନ୍ନ ସରକାରୀ ଯୋଜନାରୁ ମଧ୍ୟ ବଞ୍ଚିତ ହେବେ ବୋଲି କହିଛନ୍ତି ଯୋଗାଣ ମନ୍ତ୍ରୀ। କାରଣ E-KYC ନହେଲେ କେବଳ ରାସନ ସାମଗ୍ରୀ ନୁହେଁ ବରଂ ସରକାର ଗରିବଙ୍କ ପାଇଁ କରିଥିବା ଅନେକ ଯୋଜନାରୁ ସେମାନେ ବାଦ୍ ପଡ଼ିବେ । 

ସରକାରୀ ତଥ୍ୟ ମୁତାବକ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୧ଲକ୍ଷ ୭୮ହଜାର ହିତାଧିକାରୀ ରାସନ କାର୍ଡ଼ ପାଇଁ E-KYC କରିନାହାନ୍ତି । ସେହିଭଳି ମୟୂରଭଞ୍ଜ, କଳାହାଣ୍ଡି, କେନ୍ଦୁଝରରୁ ମଧ୍ୟ ଲକ୍ଷାଧିକ ହିତାଧିକାରୀ E- KYC  କରିନଥିବା ଜଣାପଡ଼ିଛି । E-KYC କରିନଥିବା ହିତାଧିକାରୀଙ୍କ ଲାଗି ଜୁନ୍ ୩୦ରୁ ରାସନ ସାମଗ୍ରୀ ଯୋଗାଣ ବନ୍ଦ  କରିଦିଆଯାଇଛି । ଯେଉଁମାନେ ଆସନ୍ତା ସେପ୍ଟେମ୍ବର ୩୦ ଭିତରେ E-KYC କରିବେ ତାଙ୍କୁ ପୁଣି ରାସନ ଦିଆଯିବ ବୋଲି କହିଛନ୍ତି ଯୋଗାଣ ମନ୍ତ୍ରୀ ।ସେପଟେ ଏବେ ବି ଡିଲର ପଏଣ୍ଟରେ ଲୋକଙ୍କ   E-KYC ହୋଇପାରୁନଥିବା ଅଭିଯୋଗ ହେଉଛି । 

ରାସନ କାର୍ଡ଼ରୁ ବାଦ୍ ପଡ଼ିଛନ୍ତି ପ୍ରାୟ ୧୯ଲକ୍ଷ ହିତାଧିକାରୀ । ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ E-KYC କରିନଥିବା ହିତାଧିକାରୀଙ୍କ ଲାଗି ବନ୍ଦ ହୋଇଛି ରାସନ ସାମଗ୍ରୀ । E-KYC ନକଲେ କେବଳ ରାସନ ସାମଗ୍ରୀ ନୁହେଁ, ବରଂ ଗରିବଙ୍କ ପାଇଁ ସରକାର କରିଥିବା ବିଭିନ୍ନ ଯୋଜନାରୁ ମଧ୍ୟ ସେମାନେ ବାଦ୍ ପଡ଼ିବେ ବୋଲି କହିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର । ବିଶେଷ କରି ଗରିବ ଶ୍ରେଣୀଙ୍କୁ ମିଳୁଥିବା ଆବାସ ଯୋଜନା, ମାଗଣା ଚିକିତ୍ସା ପାଇଁ ଆୟୁଷ୍ମାନ ଯୋଜନା, ପିଲାଙ୍କ ପାଠ ପଢା ପାଇଁ ମିଳୁଥିବା ଛାତ୍ରବୃତ୍ତି, ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ଭଳି ସରକାରୀ ଯୋଜନାରୁ ସେମାନେ  ବାଦ ପଡିବେ । 

Also read: ଭାରତକୁ ପୁଣି ଫେରୁଛି କି ଟିକ୍‌ଟକ୍‌ ? ୟୁଜରଙ୍କ ଏହି ସୂଚନା ଇଣ୍ଟରନେଟ୍‌ରେ ଭାଇରାଲ

ସରକାରୀ ତଥ୍ୟ ମୁତାବକ ରାଜ୍ୟରେ ପ୍ରାୟ ୧୯ଲକ୍ଷ ହିତାଧିକାରୀ E-KYC କରିନଥିବା ବେଳେ ସେଥି ମଧ୍ୟରୁ ଗଞ୍ଜାମ, ମୟୂରଭଞ୍ଜ, କଳାହାଣ୍ଡି, କେନ୍ଦୁଝରରୁ ଲକ୍ଷାଧିକ ଲୋକ କରିନାହାନ୍ତି E-KYC ।  ଆସନ୍ତୁ ନଜର ପକାଇବା E-KYC  କରିନଥିବା କେଉଁ ଜିଲ୍ଲାର କେତେ ହିତାଧିକାରୀ ତାଲିକାରେ   ଅଛନ୍ତି । ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୧ଲକ୍ଷ ୭୮ ହଜାର ହିତାଧିକାରୀ କରିନାହାନ୍ତି E-KYC । ସେହିଭଳି ମୟୂରଭଞ୍ଜ ଜିଲ୍ଲାର ୧ଲକ୍ଷ ୬ହଜାର, କଳାହାଣ୍ଡି ଜିଲ୍ଲାର ୧ଲକ୍ଷ ୩ହଜାର, କେନ୍ଦୁଝର ଜିଲ୍ଲାର ୧ଲକ୍ଷ ୧ହଜାର E-KYC କରିନଥିବା ଜଣାପଡ଼ିଛି । ତେବେ ଯେଉଁମାନେ E-KYC  କରି ନାହାନ୍ତି ସେମାନେ   ତୁରନ୍ତ E-KYC କରିବା ପାଇଁ ଅପିଲ କରିଛନ୍ତି ଯୋଗାଣ ମନ୍ତ୍ରୀ । ଜୁନ ୩୦ ତାରିଖରୁ ଏ ପ୍ରକ୍ରିୟା ଶେଷ ହୋଇଥିଲେ ମଧ୍ୟ ଆସନ୍ତା ସେପ୍ଟେମ୍ବର ୩୦ ତାରିଖ ଯାଏଁ  ଉପଯୁକ୍ତ ପ୍ରମାଣ ଦେଇ  E-KYC କରି ପାରିବେ ରାସନ କାର୍ଡ଼ରୁ ବଞ୍ଚିତ ହୋଇଥିବା ହିତାଧିକାରୀ । ନହେଲେ ଆଗାମୀ ଦିନରେ ଅନେକ ସରକାରୀ ସୁବିଧାରୁ ସେମାନେ   ବାଦ ପଡିବେ ବୋଲି କହିଛନ୍ତି ମନ୍ତ୍ରୀ ।   

ସେପଟେ ସରକାରୀ ଅବ୍ୟବସ୍ଥା ପାଇଁ E-KYC ହୋଇ ପାରୁନଥିବା କହି ଚିନ୍ତା ପ୍ରକଟ କରିଛନ୍ତି ଲୋକେ । ସରକାର ଏହି ସମୟ ସୀମାକୁ ଆହୁରି ବୃଦ୍ଧି କରାଇବାକୁ ସେମାନେ ଦାବି କରିଛନ୍ତି । କଣ୍ଟ୍ରୋଲ ଡିଲର ସଂଘ କହିଛି, ଏବେ ମଧ୍ୟ ବହୁ ଲୋକ ରାସନ କେନ୍ଦ୍ରରୁ E-KYC କରି ନପାରି ଫେରୁଛନ୍ତି । କେତେବେଳେ ନେଟଓ୍ବର୍କ ସମସ୍ୟା ତ କେତେବେଳେ ଫିଙ୍ଗର ପ୍ରିଣ୍ଟ ନେଉ ନାହିଁ । ତେଣୁ ସରକାର ଏହାର ବିକଳ୍ପ ବ୍ୟବସ୍ଥା କରିବାକୁ ଦାବି ହୋଇଛି । ଗତ ଜୁନ ୩୦ରୁ E-KYC କରିନଥିବା ହିତାଧିକାରୀଙ୍କ   ଚାଉଳ ବନ୍ଦ ହୋଇଛି । ଆଗକୁ ଏହି ହିତାଧିକାରୀଙ୍କ ସବୁ ସରକାରୀ ସୁବିଧା ବନ୍ଦ ହୋଇଯାଇପାରେ । ତେଣୁ ଅନେକ ଯୋଗ୍ୟ ହିତାଧିକାରୀ E-KYC 

କେଉଁ ଜିଲ୍ଲାରୁ କେତେ କରିନାହାନ୍ତି E-KYC

ଜିଲ୍ଲା                      ହିତାଧିକାରୀଙ୍କ ସଂଖ୍ୟା

ଗଞ୍ଜାମ                    ୧ ଲକ୍ଷ ୭୮ ହଜାର

ମୟୁରଭଞ୍ଜ                ୧ ଲକ୍ଷ ୬ହଜାର

କଳାହାଣ୍ଡି                 ୧ ଲକ୍ଷ ୩ହଜାର

କେନ୍ଦୁଝର                 ୧ ଲକ୍ଷ ୧ ହଜାର

କଟକ                        ୯୫ ହଜାର

ବାଲେଶ୍ୱର                   ୯୪ ହଜାର      

ବଲାଙ୍ଗିର                    ୯୨ ହଜାର

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.