ପଦ୍ମପୁର ୨୪।୭: ଗନ୍ଧମାର୍ଦ୍ଧନ ପାହାଡରେ ଫସିଥିବା ୧୭ ଜଣ ପର୍ଯ୍ୟଟକଙ୍କୁ ଉଦ୍ଧାର କରିଛି ପୋଲିସ । ବରଗଡ଼ ଜିଲ୍ଲା ପଇକମାଲ ଥାନା ଗନ୍ଧମାର୍ଦ୍ଧନ ପାହାଡରେ ଫସିଥିବା ପର୍ଯ୍ୟଟକଙ୍କ ନିକଟରେ ପହଞ୍ଚିଲା ପୋଲିସ ପ୍ରଶାସନ । ପଇକମାଲ ପୋଲିସ, ଦମକଳ ବାହିନୀ ଓ ବନ ବିଭାଗର ପ୍ରଚେଷ୍ଟାରେ ସମସ୍ତଙ୍କୁ ଉଦ୍ଧାର କରାଯାଇଛି । ପାହାଡ଼ ଉପରୁ ତଳକୁ ଆସିବା ପାଇଁ ୩ରୁ ୪ ଘଣ୍ଟା ସମୟ ଲାଗିବ । ପର୍ଯ୍ୟଟକ ମାନେ ରାତିସାରା ଅନିଦ୍ରା ରହିଥିବାରୁ ଧିରେ ଧିରେ ତଳକୁ ଅଣାଯିବ । ଏହା ସହିତ ଝିପିଝିପି ବର୍ଷା ମଧ୍ୟ ଲାଗି ରହିଛି, ତେଣୁ ପଥର ଓ ଘାସଭରା ରାସ୍ତାରେ ସେମାନଙ୍କୁ ତଳକୁ ଆଣିବା ପାଇଁ ଆହୁରି କିଛି ସମୟ ଲାଗିବ ।
ସୂଚନାଯୋଗ୍ୟ ଯେ, ବୁଧବାର ସନ୍ଧ୍ୟା ପ୍ରାୟ ୭ଟା ୩୦ ମିନିଟ୍ ସମୟରେ ୧୭ ଜଣ ପର୍ଯ୍ୟଟକ ଗନ୍ଧମାର୍ଦ୍ଧନ ପାହାଡରେ କେଉଁଠି ରହିଯାଇଥିବା ନେଇ ଭୁବନେଶ୍ୱର ପୋଲିସ କାର୍ଯ୍ୟାଳୟକୁ ଫୋନ୍ କରିଥିଲେ । ଭୁବନେଶ୍ବରରୁ ପଇକମାଲ ପୋଲିସ ପାଖକୁ ଖବର ଆସିଥିଲା । ପରେ ସେମାନେ ଉଦ୍ଧାର ପାଇଁ ତତ୍ପରତା ପ୍ରକାଶ କରିଥିଲେ । କିନ୍ତୁ ପ୍ରବଳ ବର୍ଷା ଲାଗି ରହିଥିବାରୁ ଏବଂ ହାତୀ ମାନଙ୍କ ଗତିବିଧି ଜଙ୍ଗଲରେ ରହିଥିବାରୁ ସେମାନଙ୍କୁ ଉଦ୍ଧାର କରିବା ସମ୍ଭବ ହୋଇପାରିନଥିଲା । ହେଲେ ଗୁରୁବାର ସକାଳ ୮ଟା ୧୫ ମିନିଟ୍ ସମୟରେ ପୋଲିସ ପହଞ୍ଚିଥିଲା । ସେମାନେ ବୁଧବାର ସକାଳ ୧୦ଟା ୩୦ମିନିଟ୍ ସମୟରେ ନୃସିଂହନାଥ ଠାରୁ ବାହାରି ଗନ୍ଧମାର୍ଦ୍ଧନ ପାହାଡ ଦେଇ ହରିଶଙ୍କର ଯାଉଥିଲେ । ହେଲେ ସେମାନେ ରାସ୍ତା ଭୁଲି ଯାଇଥିଲେ । ଫଳରେ ପାହାଡ଼ର ମଧ୍ୟ ଭାଗରେ ଫସିରହିଥିଲେ । ତେଣୁ ପୋଲିସ ସେମାନଙ୍କୁ ସେହି ସ୍ଥାନ ନଛାଡ଼ି ସେଠାରେ ରହିବାକୁ କହିଥିଲା । ବର୍ଷା କମିବା ପରେ ଯଥାଶୀଘ୍ର ପୋଲିସ ପହଞ୍ଚି ଉଦ୍ଧାର କରିଛି । କିନ୍ତୁ ସେମାନଙ୍କୁ ପାହାଡ ତଳକୁ ଆଣିବା ପାଇଁ ଆହୁରି କିଛି ସମୟ ଲାଗିବ ବୋଲି ସୂଚନା ମିଳିଛି ।
You Can Read:
BSF ଯବାନଙ୍କୁ ଟାର୍ଗେଟ୍ କରି ଖଞ୍ଜିଥିଲେ ଲ୍ୟାଣ୍ଡମାଇନ, ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ