ନୂଆଦିଲ୍ଲୀ: ବିହାରରେ ପ୍ରଥମ ପର୍ଯ୍ୟାୟ ମତଦାନ ନଭେମ୍ୱର ୬ ଗୁରୁବାର ହେବ । ୧୧୫ ବିଧାନସଭା କ୍ଷେତ୍ରର ୪୫୩୪୧ ମତଦାନ କେନ୍ଦ୍ରରେ ସକାଳ ୭ଟାରୁ ଆରମ୍ଭ ହୋଇ ସଂଧ୍ୟା ୬ଟା ଯାଏ ଭୋଟିଂ ହେବ । ଛଅ ବିଧାନସଭା କ୍ଷେତ୍ରର ୨୧୩୫ ମତଦାନ କେନ୍ଦ୍ରରେ ସକଳା ୭ଟାରୁ ସଂଧ୍ୟା ୫ଟା ଯାଏ ମତଦାନ ହେବ । ବୁଧବାର ସଂଧ୍ୟା ସୁଦ୍ଧା ନିର୍ବାଚନ କାମରେ ନିୟୋଜିକ କର୍ମୀ ଇଭିଏମ-ଭିଭିପାଟ୍ ଓ ଅନ୍ୟ ସାମଗ୍ରୀ ସହ ମତଦାନ କେନ୍ଦ୍ରରେ ପହଞ୍ଚିଛନ୍ତି । ଗୁରୁବାର ସକାଳ ୫ଟାରେ ବୁଥ ସ୍ତରୀୟ ଏଜେଣ୍ଟଙ୍କ ଉପସ୍ଥିତିରେ ମକ୍ ପୋଲ୍ କରାଯିବ । ଏହାର ଦୁଇ ଘଣ୍ଟା ପରେ ଅର୍ଥାତ୍ ୭ଟାରେ ମତଦାନ ଆରମ୍ଭ ହେବ ।

ପ୍ରଥମ ପର୍ଯ୍ୟାୟରେ ୧୮ଟି ଜିଲ୍ଲାର ୧୨୧ଟି ଆସନରେ ଭୋଟ୍ ଗ୍ରହଣ ହେବ । ମାଧେପୁରା, ସହରସା, ଦରଭଙ୍ଗା, ମୁଜାଫରପୁର, ଗୋପାଳଗଞ୍ଜ, ସିୱାନ, ସରନ, ବୈଶାଳୀ, ସମସ୍ତିପୁର, ବେଗୁସରାଇ, ଖଗାରିଆ, ମୁଙ୍ଗେର, ଲଖିସରାଇ, ଶେଖପୁରା, ନାଳନ୍ଦା, ପାଟନା, ଭୋଜପୁର ଏବଂ ବକ୍ସର । ଏହି ୧୨୧ଟି ଆସନ ପାଇଁ ମୋଟ ୧,୩୧୪ରେ ପ୍ରାର୍ଥୀ ମୈଦାନରେ ଅଛନ୍ତି । ଏଥିରେ ୧,୧୯୨ ପୁରୁଷ ଏବଂ ୧୨୨ ମହିଳା । ପ୍ରଥମ ପର୍ଯ୍ୟାୟରେ ୧୦୨ଟି ସାଧାରଣ ଏବଂ ୧୯ଟି ଅନୁସୂଚିତ ଜାତି ସଂରକ୍ଷିତ ଆସନ ପାଇଁ ଭୋଟ୍ ଗ୍ରହଣ ହେବ ।

ପ୍ରଥମ ପର୍ଯ୍ୟାୟରେ ମୋଟ ୩ କୋଟି ୭୫ ଲକ୍ଷ ୧୩ ହଜାର ୩୦୨ ଭୋଟର ସେମାନଙ୍କର ମତାଧିକାର ସାବ୍ୟସ୍ତ କରିବେ । ଏଥିରେ ୧ କୋଟି ୯୮ ଲକ୍ଷ ୩୫ ହଜାର ୩୨୫ ପୁରୁଷ, ୧ କୋଟି ୭୬ ଲକ୍ଷ ୭୭ ହଜାର ୨୧୯ ମହିଳା ଏବଂ ୭୫୮ ତୃତୀୟ ଲିଙ୍ଗ ଭୋଟର ଅଛନ୍ତି । ମତଦାନ କେନ୍ଦ୍ରରେ ଦିବ୍ୟାଙ୍ଗ ଏବଂ ବୟସ୍କ ଭୋଟରଙ୍କ ପାଇଁ ସ୍ୱତନ୍ତ୍ର ସୁବିଧା ସୁନିଶ୍ଚିତ କରାଯାଇଛି । ୩,୨୨,୦୭୭ ଦିବ୍ୟାଙ୍ଗ ଭୋଟର ଏବଂ ୫,୩୧,୪୨୩ ବରିଷ୍ଠ ନାଗରିକ ଭୋଟର ଗଣତନ୍ତ୍ରର ଏହି ମହାନ ପର୍ବରେ ଅଂଶଗ୍ରହଣ କରିବେ । ସେହିପରି ୭ ଲକ୍ଷ ୩୭ ହଜାର ୭୬୫ ଭୋଟର ପ୍ରଥମ ଥର ପାଇଁ ଭୋଟ ଦେବେ ।