ନୂଆଦିଲ୍ଲୀ: ପହଲଗାମ ଆତଙ୍କୀ ଆକ୍ରମଣ ପରେ ପାକିସ୍ତାନକୁ ସବୁ ମୋର୍ଚ୍ଚାରେ ପାନେ ଦେଉଛି ଭାରତ । ସିନ୍ଧୁ ଜଳ ସନ୍ଧି ସ୍ଥଗିତ ପରେ ପାକିସ୍ତାନରେ ହାହାକାର ସ୍ଥିତି ରହିଛି । ଏହାରି ଭିତରେ ଭାରତ ଆଉ ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛି । କେନ୍ଦ୍ର ସରକାର ଏକ ବଡ଼ ଯୋଜନା ଉପରେ କାମ ଆରମ୍ଭ କରିଛନ୍ତି । ଏହା ଅନୁସାରେ ଜମ୍ମୁ କାଶ୍ମୀରର ବଳକା ପାଣିକୁ ପଞ୍ଜାବ, ହରିୟାଣା ଓ ରାଜସ୍ଥାନ ଯାଏ ପହଞ୍ଚାଇବା ଲାଗି ୧୧୩ କିଲୋମିଟର ଦୀର୍ଘ ଏକ କେନାଳ କରାଯିବ । ଏହି କେନାଳ ଜରିଆରେ ପାକିସ୍ତାନକୁ ଯାଉଥିବା ପାଣିକୁ ରୋକାଯିବ । ଏହି ନୂଆ କେନାଳ ନିର୍ମାଣ ପରେ ଭାରତକୁ ସିଧା ଲାଭ ପହଞ୍ଚିବ । ଅନ୍ୟପଟେ, ପାକିସ୍ତାନ ବୁନ୍ଦାଏ-ବୁନ୍ଦାଏ ପାଣି ବିକଳ ହେବ ।
ଏନଡିଟିଭିର ଏକ ରିପୋର୍ଟ ଅନୁସାରେ, ଏହି ଯୋଜନା ଅଧିନରେ ସିନ୍ଧୁ ନଦୀ ପ୍ରଣାଳୀର ପଶ୍ଚିମରେ ଥିବା ନଦୀ (ସିନ୍ଧୁ, ଝେଲମ ଓ ଚେନାବ)ରେ ଭାରତକୁ ମିଳୁଥିବା ପାଣିକୁ ପୂରା ବ୍ୟବହାର କରାଯିବ । ଅନ୍ୟପଟେ ରବି, ବ୍ୟାସ ଓ ସତଲେଜ ନଦୀର ପାଣିକୁ ମଧ୍ୟ ପୂରା ଉପଯୋଗରେ ଅଣାଯିବ । ଏହି ପ୍ରକଳ୍ପ ପୂରା ହେବା ପରେ ପାକିସ୍ତାନ ଯାଉଥିବା ସମସ୍ତ ଅତିରିକ୍ତ ଜଳ ପ୍ରବାହକୁ ରୋକାଯାଇ ପାରିବ ।
ଉଲ୍ଲେଖଯୋଗ୍ୟ ଯେ ଗୃହମନ୍ତ୍ରୀ ଅମିତ୍ ଶାହ ଶନିବାର ଏହି ଯୋଜନାକୁ ନେଇ ସଂକେତ ଦେଇଥିଲେ । ସେ କହିଥିଲେ ଯେ ଆଗାମୀ ତିନି ବର୍ଷରେ ସିନ୍ଧୁ ଜଳକୁ ରାଜସ୍ଥାନର ଶ୍ରୀଗଙ୍ଗାନଗର ଯାଏ ପହଞ୍ଚାଯିବ । ଶାହ ସ୍ପଷ୍ଟ ଭାବେ କହିଥିଲେ ଯେ ଏହି ଯୋଜନା ପରେ ପାକିସ୍ତାନ ପାଣି ପାଇଁ ଡହଳ ବିକଳ ହେବ । ଭାରତର ଚାଷୀଙ୍କ ଜଳସେଚନ ଅସୁବିଧା ସଂପୂର୍ଣ୍ଣ ଦୂର ହୋଇଯିବ ।