ନୂଆଦିଲ୍ଲୀ: ଇନ୍ଦୋରର ରାଜା ରଘୁବଂଶୀଙ୍କ ମେଘାଳୟରେ ହୋଇଥିବା ହତ୍ୟା ମାମଲାରେ ପ୍ରତିଦିନ ନୂଆ ନୂଆ ଖୁଲାସା ହେଉଛି । ଅଭିଯୁକ୍ତମାନେ ହତ୍ୟା ପାଇଁ ଆସାମର ଗୌହାଟୀରୁ ହତିଆର କିଣିଥିଲେ ବୋଲି ମାମଲାର ତଦନ୍ତ କରୁଥିବା ମେଘାଳୟ ପୋଲିସ କହିଛନ୍ତି । ହତ୍ୟାରେ ବ୍ୟବହୃତ ହତିଆରକୁ ପୋଲିସ ଜବତ କରିଛି ।
ମେଘାଳୟରେ ରାଜା ରଘୁବଂଶୀ ଉପରେ ଉପରେ ବିଶାଳ ଚୌହାନ ସର୍ବପ୍ରଥମେ ଆକ୍ରମଣ କରିଥିବା ପୋଲିସ କହିଛି । ଏନଡିଟିଭି ରିପୋର୍ଟ ଅନୁସାରେ ବାରମ୍ୱାର ହତିଆରରେ ଆକ୍ରମଣ କରାଯାଇଥିଲା । ସେତେବେଳେ ରାଜା ରଘୁବଂଶୀ ନିଜକୁ ବଞ୍ଚାଇବା ପାଇଁ ଲଗାତାର ଉଦ୍ୟମ କରୁଥିଲେ ।
ସେପଟେ ରାଜା ରଘୁବଂଶୀଙ୍କ ବଡ଼ ଭାଇ ସୋମବାର ମାମଲାର ମୁଖ୍ୟ ଅଭିଯୁକ୍ତ ସୋନମ, ତାଙ୍କ ପୂରା ପରିବାରର ନାର୍କୋ ଟେଷ୍ଟ କରାଯିବା ଦରକାର ବୋଲି ଦାବି କରିଛନ୍ତି । ରାଜା ରଘୁବଂଶୀ (୨୯)ଙ୍କ ହତ୍ୟା ଷଡ଼ଯନ୍ତ୍ରରେ ସମ୍ପୃକ୍ତ ଥିବା ଅଭିଯୋଗରେ ତାଙ୍କ ପତ୍ନୀ ସୋନମ (୨୫) ଏବଂ ତାଙ୍କ ଅଭିଯୁକ୍ତ ପ୍ରେମିକ ରାଜ କୁଶୱାହ (୨୦) ସମେତ ପାଞ୍ଚ ଜଣଙ୍କୁ ଗିରଫ କରାଯାଇଛି ।
ମେଘାଳୟରେ ତାଙ୍କ ହନିମୁନ ସମୟରେ ରଘୁବଂଶୀ ମେ ୨୩ ତାରିଖରେ ନିଖୋଜ ହୋଇଯାଇଥିଲେ । ସେହି ଦିନ ତାଙ୍କୁ ହତ୍ୟା କରାଯାଇଥିବା ଅନୁମାନ କରାଯାଉଛି । ଜୁନ୍ ୨ରେ ରାଜାଙ୍କ ମୃତ ଦେହ ୱେଇସାଡୋଙ୍ଗ ଫଲ୍ସ ନିକଟରୁ ମିଳିଥିଲା । ଅନ୍ୟପଟେ କିନ୍ତୁ ସୋନମ ନିଖୋଜ ଥିଲେ । ସେ ଜୁନ୍ ୯ରେ ଘଟଣାସ୍ଥଳରୁ ପ୍ରାୟ ୧୨୦୦ କିଲୋମିଟର ଦୂର ଉତ୍ତର ପ୍ରଦେଶର ଗାଜିପୁରରେ ପୋଲିସ ଆଗରେ ଆତ୍ମସର୍ପଣ କରିଥିଲେ । ପରେ ସୋନମଙ୍କ ପ୍ରେମିକ ରାଜ କୁଶବାହଙ୍କୁ ଗିରଫ କରାଯାଇଥିଲା ।
ରାଜା ରଘୁବଂଶୀ ହତ୍ୟା ମାମଲାରେ ଗିରଫ ହୋଇଥିବା ଅନ୍ୟ ତିନି ଅଭିଯୁକ୍ତ - ବିଶାଲ ଚୌହାନ, ଆକାଶ ରାଜପୁତ ଏବଂ ଆନନ୍ଦ କୁର୍ମି - ପ୍ରଥମେ ସୁପାରୀ କିଲର ବୋଲି ସନ୍ଦେହ କରାଯାଉଥିଲା । କିନ୍ତୁ ପରେ ତଦନ୍ତରେ ସେମାନଙ୍କ ରାଜ କୁଶୱାହର ବନ୍ଧୁ ବୋଲି ମେଘାଳୟ ପୋଲିସ ଜାଣିବାକୁ ପାଇଥିଲା ।