ନୂଆଦିଲ୍ଲୀ : ଦିଲ୍ଲୀର ଆଇଜିଆଇ ଏୟାରପୋର୍ଟରୁ ରାଞ୍ଚି ପାଇଁ ଉଡ଼ାଣ ଭରିଥିବା ଏୟାର ଇଣ୍ଡିଆ ଏକ୍ସପ୍ରେସ୍ର ବିମାନ କିଛି ଦୂର ପରେ ପୁଣି ଫେରିଥିଲା। ଏହି ବିମାନଟି ଦିଲ୍ଲୀ ଏୟାରପୋର୍ଟରେ ଅବତରଣ କରିଥିଲା। ଏଠାରେ ସଂପୂର୍ଣ୍ଣ ରୂପେ ଏହାର ଯାଞ୍ଚ କରାଯାଇ ଥିଲା , ଏହାପରେ ପୁଣି ଥରେ ବିମାନଟି ରାଞ୍ଚି ପାଇଁ ଉଡ଼ାଣ ଭରି ଥିଲା। ଏୟାର ଇଣ୍ଡିଆ ଏକ୍ସପ୍ରେସ୍ର କହିବାନୁସାରେ , ଟେକ୍ନିକାଲ ଖରାପର ସନ୍ଦେହ ଯୋଗୁଁ ଏହି ବିମାନ ଫେରିଥିଲା। କିନ୍ତୁ ପୂରା ଯାଞ୍ଚ ହେବା ପରେ ଅନୁମତି ନେଇ ବିମାନଟି ରାଞ୍ଚି ପାଇଁ ଉଡ଼ାଣ ଭରି ଥିଲା।
ସୂଚନା ଅନୁସାରେ , ଦିଲ୍ଲୀର ଆଇଜିଆଇ ଏୟାରପୋର୍ଟରୁ ବିମାନ ସଂଖ୍ୟା ଏଆଇ – ୯୬୯୫କୁ ଦିଲ୍ଲୀ ଏୟାରପୋର୍ଟର ଟର୍ମିନାଲ -୩ରୁ ସନ୍ଧ୍ୟା ୪.୨୫ ସମୟରେ ଉଡ଼ାଣ ଭରି ଥିଲା। ଏହି ବିମାନକୁ ସନ୍ଧ୍ୟା ୬.୨୦ ସମୟରେ ରାଞ୍ଚି ଏୟାରପୋର୍ଟରେ ପହଞ୍ଚିବାର ଥିଲା। କିନ୍ତୁ ଉଡ଼ାଣ ଭରିବାର କିଛି ସମୟ ପରେ ବିମାନର କ୍ରିଉଙ୍କୁ କିଛି ଟେକ୍ନିକାଲ ଖରାପର ସନ୍ଦେହ ହୋଇ ଥିଲା। ସେ ଏହାର ସୂଚନା ଏୟାର ଟ୍ରାଫିକ୍ କଣ୍ଟ୍ରୋଲ (ଏଟିସି)କୁ ଦେଇ ପୁଣି ଫେରିବାକୁ ଅନୁମତି ମାଗି ଥିଲେ।
ଏଟିସିରୁ ଅନୁମତି ମିଳିବା ପରେ ଏହି ବିମାନ ପୁଣି ଦିଲ୍ଲୀ ଏୟାରପୋର୍ଟ ଫେରି ଆସିଲା। ଏଠାରେ ବିମାନର ଗଭୀର ଯାଞ୍ଚ କରାଗଲା ଏବଂ ଏହାପରେ ତାକୁ ଉଡ଼ାଣର ଅନୁମତି ଦିଆଗଲା। ଦିଲ୍ଲୀ ଏୟାରପୋର୍ଟରୁ ଏୟାର ଇଣ୍ଡିଆ ଏକ୍ସପ୍ରେସ୍ର ଏହି ବିମାନ ସନ୍ଧ୍ୟା ୭.୪୨ ସମୟରେ ଉଡ଼ାଣ ଭରି ଥିଲା। ଅନ୍ୟପଟେ ରାଞ୍ଚି ଏୟାରପୋର୍ଟରେ ଏହି ବିମାନ ପାଖାପାଖି ରାତି ୯.୩୦ଟା ସମୟରେ ପହଞ୍ଚି ଥିଲା।
ଏୟାର ଇଣ୍ଡିଆ ଏକ୍ସପ୍ରେସ୍ ପକ୍ଷରୁ ଏହି ଘଟଣାକୁ ନେଇ ବୟାନ ଜାରି କରାଯାଇଛି। ତାଙ୍କର କହିବାନୁସାରେ, ବିମାନର କ୍ରିଉଙ୍କୁ ଟେକ୍ନିକାଲ ଖରାପର ସନ୍ଦେହ ହୋଇ ଥିଲା। ଏଥିପାଇଁ ସାବଧାନତା ଆପଣାଇ ବିମାନଟି ପୁଣି ଫେରି ଆସିଲା। କିନ୍ତୁ ଯାଞ୍ଚ ବେଳେ ଏଥିରେ କୌଣିସ ପ୍ରକାରର ତ୍ରୁଟି ମିଳି ନଥିଲା ଏବଂ ଏହା ଆଉ ଥରେ ରାଞ୍ଚି ପାଇଁ ଉଡ଼ାଣ ଭରି ଥିଲା। ଏହି ବିଳମ୍ୱ ପାଇଁ ଏୟାରଲାଇନ୍, ଯାତ୍ରୀଙ୍କ କ୍ଷମା ପ୍ରାର୍ଥନା କରିଛି।