ରାଜ୍ୟରେ ଥଣ୍ଡାର ଥାର୍ଡଡିଗ୍ରୀ ସହ ଘନ କୁହୁଡ଼ି: ଅସ୍ତବ୍ୟସ୍ତ ଜନଜୀବନ, ଯାତାୟତ ମୁସ୍କିଲ୍

NEWS7
ଗାଧୋଇବାକୁ-ଯାଇ-ଦୁଇ-ନାବାଳି

ଭୁବନେଶ୍ୱର,୦୨/୦୧: ଏଥର ଓଡ଼ିଶାରେ ଶୀତ ପ୍ରବଳ ଥରାଇଲାଣି । ଶୀତ ଯେମିତିକୁ କୁହୁଡ଼ି ବି ସେମିତି ପିଛା ଛାଡ଼ୁନି । ପାଣିପାଗ ବିଭାଗର ବିସ୍ତାରିତ ଆକଳନ କହୁଛି, ଜାନୁଆରୀ ମାସରେ ବି ଜୋର ଶୀତ ସମ୍ଭାବନା ରହିଛି ଓଡ଼ିଶାରେ । ବର୍ତ୍ତମାନ ରାତି ତାପମାତ୍ରା ଦୁଇଦିନ ପାଇଁ ସାମୟିକ ଭାବେ କମିବ । ରାତି ତାପମାତ୍ରା ପୁଣି ୨ରୁ ୩ ଡିଗ୍ରୀ ବଢ଼ିପାରେ । ୨-୩ ଦିନ ଅପରିବର୍ତ୍ତିତ ରହିବା ପରେ ପୁଣି ରାତି ତାପମାତ୍ରା ଖସିବ । ଶୀତ ବଢ଼ିବ ।

ପାଣିପାଗର ବିସ୍ତାରିତ ଆକଳନ କହୁଛି, ଆଗାମୀ ସପ୍ତାହରେ (୮ରୁ ୧୪ ତାରିଖ ମଧ୍ୟରେ) ଆଭ୍ୟନ୍ତରୀଣ ଓଡ଼ିଶାରେ ଶୀତ ଲହରି ଫେରିପାରେ । ଜାନୁଆରୀରେ ଓଡ଼ିଶାରେ ସର୍ବନିମ୍ନ ତାପମାତ୍ରା ଯେତିକି ରହିବା କଥା, ତା’ଠାରୁ କମ୍ ରହିବା ସମ୍ଭାବନା ଅଛି ।ଓଡ଼ିଶାରେ ଚଳିତ ଶୀତ ଋତୁରେ ସର୍ବାଧିକ କୁହୁଡ଼ି ହୋଇଛି । ଡିସେମ୍ବରର ୩୧ ଦିନ ମଧ୍ୟରେ ୨୬ଦିନ ଓଡ଼ିଶାରେ କୁହୁଡ଼ି ହୋଇଛି । ଏହା ଦେଶରେ ସର୍ବାଧିକ ।

ଉତ୍ତର ଭାରତର ହିମାଚଳ, କାଶ୍ମୀର, ଉତ୍ତରାଖଣ୍ଡ, ଉତ୍ତରପ୍ରଦେଶ, ଦିଲ୍ଲୀ, ରାଜସ୍ଥାନରେ ବି ଏତେ ଦିନ ଧରି କୁହୁଡ଼ି ଲାଗି ରହିନି । କୁହୁଡ଼ିର ଘନ ଆସ୍ତରଣ ପାଇଁ ରାଜ୍ୟରେ ବାୟୁମଣ୍ଡଳରେ ପ୍ରଦୂଷଣ ଆସ୍ତରଣ ବଢ଼ୁଛି । ଧୂଳିକଣାର ପରସ୍ତ ଭାସି ବୁଲୁଛି ବାୟୁରେ । ସେହିପରି କୁହୁଡ଼ି ଯୋଗୁ ଖରା ପଡ଼ୁନଥିବାରୁ ଦିନ ତାପମାତ୍ରା ବି ବଢ଼ିପାରୁନି ।

ଗୁରୁବାର ସାଢ଼େ ୧୧ଟାବେଳେ ଭୁବନେଶ୍ୱର ତାପମାତ୍ରା ମାତ୍ର ୨୦ ଡିଗ୍ରୀ ସେଲସିୟସ୍ ଥିଲା । ଏହା ସ୍ୱାଭାବିକଠାରୁ ପ୍ରାୟ ୪ ଡିଗ୍ରୀ କମ୍ । ଏଥିଯୋଗୁ ଦିନବେଳା ବି ଭୀଷଣ ଶୀତ ଅନୁଭୂତ ହେଉଛି । ବାହାର ଅପେକ୍ଷା ଘରେ ବେଶି ଥଣ୍ଡା ଲାଗୁଛି । କାରଣ ଖରା ଟାଣ ହେଉନଥିବାରୁ ଘରର କାନ୍ଥ, ଚଟାଣ ସବୁବେଳେ କାଲୁଆ ରହୁଛି । ଏପରିକି ପାଣି ଟାଙ୍କିର ଟ୍ୟାପ ଖୋଲିଲେ ଅହରହ ଥଣ୍ଡା ପାଣି ବାହାରୁଛି ।