ଆଇପିଏଲ ମହାସମର; ସଂଧ୍ୟାରେ ଲକ୍ଷ୍ନୌରେ ସୁପରଜାଏଣ୍ଟସ୍- ଚେନ୍ନାଇ ସୁପର କିଙ୍ଗ୍ସ ଲଢ଼େଇ

Published By : Prameya-News7 Bureau | April 19, 2024 IST

ଲକ୍ଷ୍ନୌ: ଚଳିତ ଆଇପିଏଲରେ ଶୁକ୍ରବାର ଖେଳାଯିବ ୩୪ତମ ଲିଗ୍‌  ମୁକାବିଲା । ସଂଧ୍ୟାରେ ଲକ୍ଷ୍ନୌ ସୁପରଜାଏଣ୍ଟ୍‌ସ  ଓ ଡିଫେଣ୍ଡିଂ ଚାମ୍ପିଅନ୍‌ ଚେନ୍ନାଇ ସୁପରକିଙ୍ଗ୍‌ସ ମଧ୍ୟରେ ଟକ୍କର । ଘରୋଇ ଗ୍ରାଉଣ୍ଡ୍‌ରେ ବିଜୟଧାରାକୁ ଫେରିବା ପାଇଁ  ସୁପରଜାଏଣ୍ଟ୍‌ସ ଲକ୍ଷ୍ୟ ରଖିଥିବାବେଳେ ସୁପରକିଙ୍ଗ୍‌ସ ପଏଣ୍ଟ  ତାଲିକାରେ ଆଉ ଗୋଟିଏ ସ୍ଥାନ ଉପରକୁ ଉଠିବାକୁ ପ୍ରୟାସ କରିବ ।

ଉଭୟ ଦଳ ପରସ୍ପରକୁ ୩ଥର ଭେଟିଛନ୍ତି ଓ ଥରେ ଲେଖାଏଁ ବିଜୟ ହାସଲ କରିଛନ୍ତି । ଗତ ସିଜନରେ ଲକ୍ଷ୍ନୌରେ   ଖେଳାଯାଇଥିବା ମ୍ୟାଚ୍‌ ବିନା ଫଳାଫଳରେ ଶେଷ ହୋଇଥିଲା ।  ବର୍ଷା ଯୋଗୁଁ ମ୍ୟାଚ ସମ୍ପୂର୍ଣ୍ଣ ହୋଇ ପାରିନଥିଲା । ଆସନ୍ତା କାଲି ବର୍ଷା ସମ୍ଭାବନା ନଥିବାରୁ ମ୍ୟାଚ୍‌ଟି ତୀବ୍ର ସଂଘର୍ଷପୂର୍ଣ୍ଣ ରହିବ । ସୁପରକିଙ୍ଗ୍‌ସ ଖେଳିଥିବା ୬ଟି ମ୍ୟାଚ୍‌ ମଧ୍ୟରେ ସମ୍ଭବତଃ ଶ୍ରେଷ୍ଠ  ଏକାଦଶ ଗଠନ କରିସାରିଛି । ମାତ୍ର ସୁପରଜାଏଣ୍ଟ୍‌ସ ଦଳ ସଂଘର୍ଷ କରୁଛି ।  ବ୍ୟାଟିଂ ବିଭାଗ ଅସନ୍ତୁଳିତ ରହିଥିବାବେଳେ ବୋଲିଂ ବିଭାଗରେ ଆହତଙ୍କ ସଂଖ୍ୟା ବୃଦ୍ଧି ପାଇଛି । 

ସୁପରକିଙ୍ଗ୍‌ସ ଚମତ୍କାର ପ୍ରଦର୍ଶନ କରୁଥିଲେ  ହେଁ ଶୁକ୍ରବାର ମ୍ୟାଚରେ ଡାରିଲ ମିଚେଲଙ୍କୁ ବାଦ ଦେଇ ମୋଇନ ଅଲିଙ୍କୁ  ଖେଳାଇପାରେ ଦଳ । ମିଚେଲ ସମ୍ପ୍ରତି ସଫଳ ହୋଇପାରି ନାହାନ୍ତି ।   ମୋଇନ୍ ପ୍ରଥମ ମ୍ୟାଚ୍‌ ଅପେକ୍ଷାରେ ରହିଛନ୍ତି । ଏକାନ୍ନାର ପିଚ୍‌ରେ  ମୋଇନଙ୍କ ସ୍ପିନ ବୋଲିଂ ପ୍ରଭାବ ପକାଇବ । ସୁପରଜାଏଣ୍ଟ୍‌ସ ମଧ୍ୟ  ବ୍ୟାଟିଂ ବିଭାଗରେ ପରିବର୍ତ୍ତନ କରିପାରେ । ଦୀପକ ହୁଡ଼ାଙ୍କ ସ୍ଥାନରେ   ଯୁବ ଅଲ୍‌ରାଉଣ୍ଡର ଆର୍ସିନ କୁଲକର୍ଣ୍ଣୀଙ୍କୁ ସୁଯୋଗ ମିଳିପାରେ ।  ଘାତକ ପେସ୍‌ ବୋଲିଂକୁ ନେଇ ଚର୍ଚ୍ଚାରେ ରହିଥିବା ମୟଙ୍କ ଯାଦବ ମଧ୍ୟ ଫିଟ୍‌ ହୋଇ ଅଭ୍ୟାସ ଆରମ୍ଭ କରିଛନ୍ତି । ତେଣୁ ଆଜି ପ୍ରତ୍ୟାବର୍ତ୍ତନ କରିବା ସମ୍ଭାବନା ରହିଛି । ତେବେ ତାଙ୍କୁ  ଇମ୍ପାକ୍ଟ ପ୍ଲେୟାର ଭାବେ ସୁଯୋଗ ମିଳିବା ଆଶା କରାଯାଉଛି ।   ଏକାନ୍ନା ଷ୍ଟାଡ଼ିୟମ୍‌ର ପିଚ୍‌ ସ୍ପିନରଙ୍କୁ ସହାୟତା କରୁଥିବା  ଶେଷ ୨ଟି ମ୍ୟାଚ୍‌ରେ ଦେଖିବାକୁ ମିଳିଛି । ପିଚ୍‌ ସାମାନ୍ୟ ମନ୍ଥର  ରହିବ । ଏଠାରେ ୧୭୦ ମଧ୍ୟ ବିଜୟ ପାଇଁ ଯଥେଷ୍ଟ ସାବ୍ୟସ୍ତ ହେବ । 

  • IPL
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.