ଭୁବନେଶ୍ଵର: ଓଡ଼ିଶାରେ ନିର୍ବାଚନୀ ତାତି ଚରମରେ। ସବୁ ଦଳର ଚାଲିଛି ଜୋରଦାର ପ୍ରଚାର। ଆଉ ବିଜେପିର କେନ୍ଦ୍ରୀୟ ନେତାଙ୍କ ଫୋକସରେ ଓଡ଼ିଶା। ରାଜ୍ୟରେ ପ୍ରଚାରକୁ ଶାଣିତ କରିବା ପାଇଁ ମେ ୧୧ ତାରିଖରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ବରଗଡ଼ରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ। ଏ ନେଇ ରାଜ୍ୟ ବିଜେପି ପକ୍ଷରୁ ଗୁରୁବାର ସୂଚନା ଦିଆଯାଇଛି।
ମେ ୧୧ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପଶ୍ଚିମ ଓଡ଼ିଶାର ବରଗଡ଼ ସଂସଦୀୟ କ୍ଷେତ୍ରରେ ନିର୍ବାଚନ ପ୍ରଚାର କରିବେ। ବିଜେପିର ଆୟୋଜିତ ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେବେ ଏବଂ ଦଳୀୟ ପ୍ରାର୍ଥୀଙ୍କ ପ୍ରଚାର କରିବେ। ପଶ୍ଚିମ ଓଡ଼ିଶାକୁ ବିଜେପି ବିଶେଷ ଗୁରୁତ୍ଵ ଦେଉଛି। କାରଣ ଗତ ନିର୍ବାଚନରେ ଏଠାକାର ସମସ୍ତ ୫ ଲୋକସଭା ସିଟ୍ ଜିତିଥିଲା ବିଜେପି। ତେଣୁ ୨୦୧୯ର ସଫଳତାକୁ ଦୋହରାଇବା ପାଇଁ ଦଳ ଅଣ୍ଟା ଭିଡ଼ିଛି। ଏହା ପୂର୍ବରୁ ସୋନପୁର ଆସି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଓଡ଼ିଶାରେ ବିଜେପିର ନିର୍ବାଚନୀ ପ୍ରଚାର ବିଗୁଲ ବଜାଇ ସାରିଛନ୍ତି।
ଦାବିଦାର ଥିଲେ, ନିରାଶ ହେଲେ; ଦୁଇ ଅନୁଭବଙ୍କୁ ମିଳିଲାନି ଟିକେଟ୍, ଜଣେ ଲଢି ପାରନ୍ତି ସ୍ଵାଧୀନ
ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ମୋଦୀ ବରଗଡ଼ ପୂର୍ବରୁ ମେ ୬ ତାରିଖରେ ଓଡ଼ିଶା ଆସି ମାରାଥନ ପ୍ରଚାର କରିବେ। ଏହି ଦିନ ପ୍ରଥମେ ବ୍ରହ୍ମପୁର ଏବଂ ପରେ ନବରଙ୍ଗପୁରରେ ପ୍ରଚାର କରିବେ। ସକାଳ ୧୦ଟାରେ ବ୍ରହ୍ମପୁରରେ ଜନସେବାକୁ ସମ୍ବୋଧିତ କରିବେ। ଏହା ପରେ ଅପରାହ୍ଣରେ ନବରଙ୍ଗପୁରରେ ରାଲି କରିବାର କାର୍ଯ୍ୟକ୍ରମ ରହିଛି। ନିକଟରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ବ୍ରହ୍ମପୁର ଆସି ଦଳୀୟ ପ୍ରାର୍ଥୀଙ୍କ ପ୍ରଚାର କରିଥିଲେ। ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆହୁରି ଓଡ଼ିଶା ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି।