ସୂର୍ଯ୍ୟଙ୍କ ପରେ ବୁମରା-କୋଏତଜିଙ୍କ ଶାଣିତ ବୋଲିଂ, ରୋମାଞ୍ଚକର ମୁକାବିଲାରେ ପଞ୍ଜାବକୁ ମାତ୍ ଦେଲା ମୁମ୍ବାଇ

Published By : Prameya-News7 Bureau | April 18, 2024 IST

Aajtak

ଚଣ୍ଡିଗଡ଼:  ସୂର୍ଯ୍ୟକୁମାର ଯାଦବଙ୍କ ଦମଦାର ଅର୍ଦ୍ଧଶତକ ପରେ ଯଶପ୍ରୀତ ବୁମରା ଓ କୋଏତଜିଙ୍କ ଶାଣିତ ବୋଲିଂ ବଳରେ ମୁଲ୍ଲାନପୁରରେ ଖେଳା ଯାଇଥିବା ରୋମାଞ୍ଚର ମୁକାବିଲାରେ ବାଜି ମାରି ନେଇଛି ମୁମ୍ବାଇ ଇଣ୍ଡିଆନ୍ସ। ସଂଘର୍ଷପୂର୍ଣ୍ଣ ମୁକାବିଲାରେ ଘରୋଇ ପଞ୍ଜାବ କିଙ୍ଗ୍ସକୁ ୯ ରନରେ ପରାସ୍ତ କରି ମୁମ୍ବାଇ ତୃତୀୟ ବିଜୟ ହାସଲ କରିଥିବା ବେଳେ ହ୍ୟାଟ୍ରିକ ପରାଜୟ ଭୋଗିଛି ପଞ୍ଜାବ। ଆଉ ଆଶୁତୋଷ ଶର୍ମାଙ୍କ ଲଢୁଆ ଅର୍ଦ୍ଧଶତକ ବୃଥା ହୋଇଛି। 

ମୁମ୍ବାଇ ଦ୍ଵାରା ଧାର୍ଯ୍ୟ ୧୯୩ ରନର ବିଜୟ ଲକ୍ଷ୍ୟକୁ ପିଛା କରିଥିବା ପଞ୍ଜାବ ୧୯.୧ ଓଭରରେ ୧୮୩ ରନ କରି ଅଲଆଉଟ୍ ହୋଇଛି। ଆଶୁତୋଷ ଶର୍ମା ୨୮ ବଲରୁ ବିସ୍ପୋରକ ୬୧ ରନ ଓ ଶଶାଙ୍କ ସିଂଙ୍କ ୪୧ ରନ ଦଳକୁ ପରାଜୟରୁ  ବଞ୍ଚାଇ ପାରି ନାହିଁ। ପ୍ରଥମେ ବ୍ୟାଟିଂ କରିଥିବା ମୁମ୍ବାଇ ସୂର୍ଯ୍ୟକୁମାର ଯାଦବଙ୍କ ୭୮ ରନ ସହ ରୋହିତ ଶର୍ମାଙ୍କ ୩୬ ଓ ତିଳକ ବର୍ମାଙ୍କ ଅପରାଜିତ ୩୪ ରନ ବଳରେ ୭ ଓ୍ଵିକେଟ୍ ହରାଇ ୧୯୨ ରନ କରିଥିଲା। ବୋଲିଂରେ ଯଶପ୍ରୀତ ବୁମରା ୨୧ ରନ ଦେଇ ୩ଟି ଏବଂ ଗେରାଲ୍ଡ କୋଏତଜି ୩୧ ରନ ଦେଇ ୩ଟି ଓ୍ଵିକେଟ୍ ନେଇ ମୁମ୍ବାଇ ବିଜୟରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି।  ମୁମ୍ବାଇ ଚଳିତ ସିଜିନରେ ସପ୍ତମ ମ୍ୟାଚ୍‌ରୁ ତୃତୀୟ ବିଜୟ ପଏଣ୍ଟ ଟେବୁଲର ସପ୍ତମ ସ୍ଥାନକୁ ଉଠିଥିବା ବେଳେ ପଞ୍ଜାବ ପଞ୍ଚମ ପରାଜୟ ସହ ନବମ ସ୍ଥାନରେ ରହିଛି। 

ପ୍ରଥମେ ବ୍ୟାଟିଂ କରିଥିବା ମୁମ୍ବାଇର ଆରମ୍ଭ ଆଶାନୁରୂପ ନ ଥିଲା। ଇଶାନ କିଶନ(୮) ଆଉଟ୍  ହୋଇଥିଲେ। ଏହା ପରେ ରୋହିତ ଶର୍ମା ଓ ସୂର୍ଯ୍ୟକୁମାର ଯାଦବ ଦ୍ରୁତ ବ୍ୟାଟିଂ କରି ବଡ଼ ସ୍କୋରର ମୂଳଦୁଆ ପକାଇଥିଲେ। ବିଶେଷ କରି ସୂର୍ଯ୍ୟ ବିସ୍ଫୋରକ ବ୍ୟାଟିଂ କରିଥିଲେ। ଉଭୟ ଦ୍ଵିତୀୟ ଓ୍ଵିକେଟ୍ ପାଇଁ ୮୧ ରନ ଯୋଡ଼ିଥିଲେ। ରୋହିତ ଶର୍ମା ୩୬ ରନ କରି ଆଉଟ୍ ହୋଇଥିଲେ। ସୂର୍ଯ୍ୟ ଓ ତିଳକ ବର୍ମା ବିସ୍ଫୋରକ ବ୍ୟାଟିଂ କରି ୪୯ ରନ ଯୋଡ଼ିଥିଲେ। ସୁର୍ଯ୍ୟକୁମାର ଚଳିତ ଆଇପିଏଲ୍‌ରେ ଦ୍ଵିତୀୟ ଅର୍ଦ୍ଧଶତକ ହାସଲ କରିବା ସହ ୫୩ ବଲରୁ ୭ ଚୌକା ଓ ୩ ଛକା ସହ ୭୮ ରନ କରିଥିଲେ। ତିଳକ ବର୍ମା ବିସ୍ଫୋରକ ବ୍ୟାଟିଂ କରିଥିବା ବେଳେ ଅନ୍ୟପଟେ ହାର୍ଦ୍ଦିକ ପାଣ୍ଡ୍ୟା(୧୦) ଓ ଟିମ୍ ଡେଭିଡ୍(୧୪) ପାଭିଲିୟନ ଫେରିଥିଲେ। ତିଳକ ୧୮ ବଲରୁ ୩୪ ରନର ଦ୍ରୁତ ଇନିଂସ ଖେଳିବାରୁ ମୁମ୍ବାଇ ୭ ଓ୍ଵିକେଟ୍ ୧୯୨ ରନ କରି ପାରିଥିଲା।

ବୋଲିଂରେ ହର୍ଷଲ ପଟେଲ୍ ୪ ଓଭରରେ ୩୧ ରନ ଦେଇ ୩ଟି ସଫଳତା ପାଇଥିବା ବେଳେ ସାମ କରନ ୪୧ ରନ ବ୍ୟୟ କରି ୨ଟି ଓ୍ଵିକେଟ୍ ନେଇଛନ୍ତି। 

 

  • IPL
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.