ଯୁଦ୍ଧ ତେଜିବା ସହ ଆହୁରି ଚମକିବ ସୁନା, ୩ ମାସରେ ଦର ୧୫ ପ୍ରତିଶତ ମହଙ୍ଗା

Published By : Prameya-News7 Bureau | April 20, 2024 IST

ନୂଆଦିଲ୍ଲୀ ୨୦/୦୪: ଗତ ୩ ମାସରେ ୧୫%ରୁ ଅଧିକ ମହଙ୍ଗା ହୋଇଛି  ସୁନା । ୨୦୨୪ ଆରମ୍ଭରୁ ଏହା ସବୁଠାରୁ  ଉତ୍ତମ ପ୍ରଦର୍ଶନକାରୀ ଆସେଟ୍‌ କ୍ଲାସ  ଭାବେ ଉଭା ହୋଇଛି । ଗତ ୩ ମାସରେ  କ୍ଷୀପ୍ର ବେଗରେ ବଢ଼ିଛି ଦର । ଦିନକୁ  ଦିନ ନୂଆ ରେକର୍ଡ ଯୋଡ଼ିଚାଲିଛି ଏହି  ହଳଦିଆ ଧାତୁ । 

ସମ୍ପ୍ରତ୍ତି ଇରାନ ଏବଂ  ଇସ୍ରାଏଲ୍‌ ମଧ୍ୟରେ ଯୁଦ୍ଧ ତେଜୁଥିବାବେଳେ ସୁନାର ଚମକ ଆହୁରି ବଢ଼ିବ ବୋଲି ମତ  ଦେଇଛନ୍ତି ବଜାର ବିଶେଷଜ୍ଞ । ତେବେ  ଯୁଦ୍ଧ ପ୍ରଭାବରେ ଅଶୋଧିତ ତୈଳ ଦର ବି  ଉପରମୁହାଁ ହୋଇଚାଲିବ ବୋଲି ଆଶଙ୍କା  ପ୍ରକାଶ ପାଇଛି । ମଧ୍ୟପ୍ରାଚ୍ୟରେ ଅସ୍ଥିର ବାତାବରଣ  ମଧ୍ୟରେ ଅନ୍ତର୍ଜାତୀୟ ବଜାରରେ  ଅଶୋଧିତ ତୈଳ ଦର ଦ୍ରୁତ ବେଗରେ  ବଢ଼ିପାରେ । 

ଯଦି ଯୁଦ୍ଧ ସ୍ଥିତି ବିକୃତ  ହୁଏ ତେବେ ଏହାର ସିଧାସଳଖ  ପ୍ରଭାବ ଭାରତୀୟଙ୍କ ପକେଟ ଉପରେ  ପଡ଼ିବ । ଶୁକ୍ରବାର କାରବାର ଆରମ୍ଭରେ  ତୈଳ ଦରରେ ୩% ବୃଦ୍ଧି ଘଟିଥିଲା ।  ବ୍ୟାରେଲ ପିଛା ୱେଷ୍ଟ ଟେକ୍ସାସ  ଇଣ୍ଟର୍‌ମିଡିଏଟ୍‌(ଡବ୍ଲ୍ୟୁଟିଆଇ) ୩.୬୬%  ବଢ଼ି ୮୫.୭୬ ଡଲାର ହୋଇଥିବାବେଳେ  ବ୍ରେଣ୍ଟ କ୍ରୁଡ୍‌ ୩.୪୪% ବଢ଼ି ୯୦.୧୧  ଡଲାର ହୋଇଥିଲା । 

ଯୁଦ୍ଧ ତେଜିବା  ସହ ଏହା ଖୁବ୍‌ଶୀଘ୍ର ୧୦୦ ଡଲାର  ଛୁଇଁବା ନେଇ ଆଶଙ୍କା ପ୍ରକାଶ କରିଛନ୍ତି  ବିଶେଷଜ୍ଞ । ଅଶୋଧିତ ତୈଳ ମହଙ୍ଗା ହେବା ସହ ପେଟ୍ରୋଲିୟମ ଉତ୍ପାଦ ଦର  ବଢ଼ିବ । ଅନ୍ୟପକ୍ଷରେ, ଅନିଶ୍ଚିତତା  ମଧ୍ୟରେ ଭାରତ ଏବଂ ଚୀନ୍‌ ସହିତ  ଅନ୍ୟାନ୍ୟ ବିକାଶମୁଖୀ ଦେଶଗୁଡ଼ିକର  କେନ୍ଦ୍ରୀୟ ବ୍ୟାଙ୍କ ଗତ କିଛି ମାସ ଧରି  ଲଗାତର ସୁନା ଠୁଳ କରିବାରେ ଲାଗିଛନ୍ତି ।  ଏହାଫଳରେ ସୁନା ଦରରେ ବୃଦ୍ଧି ଘଟୁଛି ।  ପୋର୍ଟଫୋଲିଓରେ ବିବିଧତା ଆଣିବା ସହ  ଦରବୃଦ୍ଧିରୁ ବଞ୍ଚିବା ପାଇଁ ସୁନା ଏକ ଭଲ  ବିକଳ୍ପ ହୋଇପାରେ । 

ଏହାକୁ ନିବେଶର  ସବୁଠୁ ସୁରକ୍ଷିତ ମାଧ୍ୟମ ଭାବେ ଗଣନା  କରାଯାଇଥାଏ । ସୁନାରେ ନିବେଶ  କରିଥିବା ଲୋକମାନେ ବର୍ତ୍ତମାନ ଟ୍ରେଣ୍ଡକୁ ନେଇ ଭାରି ଖୁସି । ଗତ ୩ ମାସରେ ଏହି  ଧାତୁ ୧୫%ରୁ ଅଧିକ ମହଙ୍ଗା ହୋଇଛି ।  ୧୦ ଗ୍ରାମ ପିଛା ୨୪ କ୍ୟାରେଟ୍‌  ସୁନା ଦର ୭୫,୦୦୦ ଟଙ୍କା  ନିକଟତର ହୋଇଥିବାବେଳେ ୨୨  କ୍ୟାରେଟ୍‌ ସୁନା ଦର ୬୮,୦୦୦ ଟଙ୍କା  ପାର୍‌ କରିଛି ।  ଚଳିତବର୍ଷ ସୁନା ସବୁଠାରୁ  ଉତ୍ତମ ପ୍ରଦର୍ଶନକାରୀ ଆସେଟ୍‌ କ୍ଲାସ  ପାଲଟିଛି । 

ବିଶ୍ଳେଷକଙ୍କ ଆଶା ଯେ,  ଏହାର ଦର ଆହୁରି ବଢ଼ିବ । ଦରଦାମ ବୃଦ୍ଧି ସ୍ତର ବଢ଼ିବା ସହ ପ୍ରମୁଖ କେନ୍ଦ୍ରୀୟ  ବ୍ୟାଙ୍କଗୁଡ଼ିକ ଦ୍ୱାରା ମୁଦ୍ରାନୀତି କୋହଳ  କରାଯିବା ଆଶା ଏବଂ ମଧ୍ୟ ପ୍ରାଚ୍ୟ ଓ  ୟୁକ୍ରେନରେ ଭୁ-ରାଜନୈତିକ ସମସ୍ୟା । ଏସବୁ କାରକଗୁଡ଼ିକ ଯୋଗୁ ସୁନା ଆଗକୁ ଆହୁରି ଚମକିବ ।  

ଡିଏସ୍‌ପି ମ୍ୟୁଚୁଆଲ ଫଣ୍ଡ୍‌ର  ଏକ ରିପୋର୍ଟରେ ଉଲ୍ଲେଖ କରାଯାଇଛି  ଯେ, ଆଗାମୀ କିଛି ତ୍ରୟମାସରେ ସୁନା,  ରୁପା ଏବଂ ଅନ୍ୟାନ୍ୟ ଧାତୁ ଦରରେ ବୃଦ୍ଧି  ଜାରି ରହିବ । ସୁନା ଏବେ ଭଲ ସ୍ଥିତିରେ  ଅଛି । ଯଦି ମୁଦ୍ରାସ୍ଫୀତି ସ୍ତର ଉଚ୍ଚ ରୁହେ  ତେବେ ଏହା ଆହୁରି ମହଙ୍ଗା ହେବ । ଭୁ-ରାଜନୈତିକ ସମସ୍ୟା ଦରକୁ କ୍ଷୀପ୍ର  ବେଗରେ ବଢ଼ାଇବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.