ଭାରତୀୟ ଟିମ୍‌ର ଟି-୨୦ ପ୍ଲେୟର୍‌, ଗୋଟିଏ ମ୍ୟାଚ୍‌ ପାଇଁ କେତେ ନିଅନ୍ତି ଫି’ ?

Published By : Prameya-News7 Bureau | May 02, 2024 IST

ନୂଆଦିଲ୍ଲୀ ୦୨।୦୫: ଘୋଷଣା ହୋଇଛି ଟି-୨୦ ବିଶ୍ବକପ୍‌ ପାଇଁ ଭାରତୀୟ ଟିମ୍‌ । ଏଥିପାଇଁ ବିସିସିଆଇ ୩୦ ଏପ୍ରିଲ୍‌ରେ ଘୋଷଣା କରିଛି ୧୫ ସଦସ୍ୟ ବିଶିଷ୍ଟ ଟିମ୍‌ । ଦୀର୍ଘ ଦିନର ମିଟିଙ୍ଗ୍ ପରେ ବିସିସିଆଇ ଟିମ୍ ଇଣ୍ଡିଆର ସ୍କ୍ବାଡ୍‌ ଘୋଷଣା କରିଛି । ଟିମ୍‌ର କ୍ୟାପଟେନ୍‌ସିପ୍‌ ରୋହିତ ଶର୍ମାଙ୍କୁ ଦିଆଯାଇଥିବା ବେଳେ ଉପ-ଅଧିନାୟକ ଦାୟିତ୍ୱ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଦିଆଯାଇଛି । କିନ୍ତୁ ଜାଣନ୍ତି କି ଟି-୨୦ ବିଶ୍ୱକପରେ ଖେଳୁଥିବା ଖେଳାଳିମାନେ କେତେ ନେଇଥାନ୍ତି ଫି ? ଆସନ୍ତୁ ଜାଣିବା... 

ଭାରତୀୟ ଟି-୨୦ ସ୍କ୍ବାଡ୍‌ରେ ଥିବା ୧୫ ସଦସ୍ୟଙ୍କ କମାଣ ସମ୍ଭାଳିବେ ରୋହିତ ଶର୍ମା । ଏହାବ୍ୟତୀତ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଦିଆଯାଇଛି ଉପଅଧିନାୟକ ଦାୟିତ୍ବ । ସେହିପରି ଟିମ୍‌ରେ ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି ଏବଂ ସୂର୍ଯ୍ୟକୁମାର ଯାଦବଙ୍କୁ ମିଳିଛି ସ୍ଥାନ । ଏମାନଙ୍କ ବ୍ୟତୀତ ଶିବମ୍ ଦୁବେ, ଯଶସ୍ବୀ ଜୟସୱାଲ, ସଞ୍ଜୁ ସାମସନ ଏବଂ ଋଷଭ ପନ୍ତ ସ୍ଥାନ ପାଇଛନ୍ତି । ଟିମ୍‌ରେ ଚୟନକର୍ତ୍ତା ଅଲରାଉଣ୍ଡର ଅକ୍ଷର ପଟେଲ, ରବିନ୍ଦ୍ର ଜାଡେଜା, ସ୍ପିନର ୟୁଜଭେନ୍ଦ୍ର ଚହଲ, କୁଲଦୀପ ଯାଦବ, ଦ୍ରୁତ ବୋଲର ଜସପ୍ରୀତ ବୁମ୍ରା, ଅର୍ଶଦୀପ ସିଂ ଏବଂ ମହମ୍ମଦ ସିରାଜ ଟିମ୍‌ରେ ସାମିଲ୍‌ କରିଛନ୍ତି । 

ଏବେ ପ୍ରଶ୍ନ ଆସୁଛି ଟି-୨୦  ଖେଳାଳୀଙ୍କୁ କେତେ ମିଳିଥାଏ ଫି’ ? ରିପୋର୍ଟ ଅନୁଯାୟୀ ବର୍ତ୍ତମାନ ଖେଳାଳିଙ୍କୁ ଏକ ଟେଷ୍ଟ ମ୍ୟାଚ୍‌ ଖେଳିବାକୁ ୧୫ ଲକ୍ଷ ଟଙ୍କା ଦିଆଯାଉଛି । ସେହିପରି ପ୍ଲେୟରମାନେ ଗୋଟିଏ ଓ୍ବାନ୍‌ଡେ ମ୍ୟାଚ୍‌ ଖେଳିବା ପାଇଁ ୬ ଲକ୍ଷ ଏବଂ ଟି-୨୦ ମ୍ୟାଚ୍ ଖେଳିବା ପାଇଁ ୩ ଲକ୍ଷ ଟଙ୍କା ନେଉଛନ୍ତି । ତେବେ କ୍ରିକେଟରଙ୍କୁ ମିଳୁଥିବା ରାଶି ସେମାନଙ୍କ ଗ୍ରେଡ୍‌ ହିସାବରେ ସ୍ଥିର ହୋଇଥାଏ । ବିସିସିଆଇ ବର୍ତ୍ତମାନ ଖେଳାଳୀଙ୍କୁ ଆନୁଆଲ୍‌ କଂଟ୍ରାକ୍‌ ଅଫର୍‌ କରୁଛି । ଇଣ୍ଡିଆନ୍ କ୍ରିକେଟ୍ ବୋର୍ଡ ଦୁନିଆର ସବୁଠାରୁ ଧନୀ କ୍ରିକେଟ୍‌ ବୋର୍ଡ । ବିସିସିଆଇ ନିଜ ଖେଳାଳୀଙ୍କୁ ୪ଟି ଗ୍ରେଡ୍ରେ ବିଭକ୍ତ କରିଥାଏ । ସେଗୁଡିକ ହେଲା  A +, A, B ଏବଂ C କଂଟ୍ରାକ୍‌ ଦେଇଥାଏ । 

ସବୁଠାରୁ ସର୍ବନିମ୍ନ ଗ୍ରେଡ୍ ହେଉଛି C । ଏହି ଗ୍ରେଡ୍‌ର ଖେଳାଳୀଙ୍କୁ ବାର୍ଷିକ ଶୁଳ୍କ ସବୁଠାରୁ କମ୍‌ ମିଳିଥାଏ । ଏହି ବର୍ଗରେ ଥିବା ଖେଳାଳୀ ବାର୍ଷିକ ନେଇଥାନ୍ତି ୧ କୋଟି ଟଙ୍କା । ଏହାବ୍ୟତୀତ A + ଗ୍ରେଡରେ ଖେଳାଳୀଙ୍କୁ ୭ କୋଟି ଦିଆଯାଇଥାଏ । ସେହିପରି A ଗ୍ରେଡ୍‌ରେ ଥିବା ଖେଳାଳୀଙ୍କୁ ମିଳିଥାଏ ୫ କୋଟି ଟଙ୍କା । ତେବେ ମ୍ୟାଚ୍ ବ୍ୟତୀତ ବିସିସିଆଇ ନିଜ ଖେଳାଳୀଙ୍କୁ ଅନ୍ୟାନ୍ୟ ଭତ୍ତା ମଧ୍ୟ ଦେଇଥାଏ । ଉଦାହରଣ ସ୍ୱରୂପ ଯେତେବେଳେ ଖେଳାଳିମାନେ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିବାକୁ ଯାଆନ୍ତି, ସେମାନେ ମ୍ୟାଚ୍ ଫି ବ୍ୟତୀତ ଭତ୍ତା ମଧ୍ୟ ପାଇଥା’ନ୍ତି ।  ଏହାବ୍ୟତୀତ ମ୍ୟାଚ୍ ସମୟରେ ଖେଳାଳିଙ୍କୁ ପ୍ରଦାନ କରାଯାଇଥିବା ସମସ୍ତ ସୁବିଧାର ଖର୍ଚ୍ଚ ବିସିସିଆଇ ନିଜେ ବହନ କରିଥାଏ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.