ନୂଆଦିଲ୍ଲୀ ୧୮।୪: ଲୋକସଭା ନିର୍ବାଚନ ୨୦୨୪ର ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ୧୯ ଏପ୍ରିଲ ଶୁକ୍ରବାର ହେବାକୁ ଯାଉଛି। ତେବେ ତା ପୂର୍ବରୁ ସୁନା ଦର ହ୍ରାସ ହୋଇଛି। ଚଳିତ ମାସ ଆରମ୍ଭରୁ ସୁନା ଓ ରୂପା ଦର ଲଗାତାର ବଢିବାରେ ଲାଗିଛି। ହେଲେ ଗୁରୁବାର ପ୍ରଥମ ଥର ୧୦ ଗ୍ରାମ ସୁନା ମୂଲ୍ୟରେ ୬୭୦ ଟଙ୍କା ହ୍ରାସ ଦେଖାଯାଇଛି। ଫଳରେ ୧୦ ଗ୍ରାମ ୨୪ କ୍ୟାରେଟ୍ ସୁନା ଦର ୭୩,୩୩୦ ଟଙ୍କା ହୋଇଯାଇଛି।
ଏହି ସମୟରେ ୨୨ କ୍ୟାରେଟ୍ ସୁନା ମୂଲ୍ୟ ହ୍ରାସ ହୋଇ ୬୭ ହଜାର ୧୭୦ ଟଙ୍କାକୁ ଆସିଥିବା ବେଳେ ୧୦ ଗ୍ରାମ ପିଛା ଦର ୯୩୦ ଟଙ୍କା ଖସିଛି। ଏଥିରେ ରୂପା କଥା କହିବାକୁ ଗଲେ ଦର ସାମାନ୍ୟ ଉଚ୍ଚା ରହିଛି। ରୂପା କେଜି ପିଛା ଦର ୮୩ ହଜାର ୩୦୦ ଟଙ୍କା ହୋଇଯାଇଛି। ଏପ୍ରିଲ ମାସ ଆରମ୍ଭରୁ ସୁନା ଦର ବଢିବା ଆରମ୍ଭ ହୋଇଥିଲା। ତେବେ ଏପ୍ରିଲ ୬ ତାରିଖ ଦିନ ସୁନା ଦର ଐତିହାସିକ ରେକର୍ଡ ସ୍ତରକୁ ଛୁଇଁଥିଲା। ଏହି ସମୟରେ ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ ପିଛା ଦରରେ ସର୍ବାଧିକ ୧,୩୧୦ ଟଙ୍କା ବୃଦ୍ଧି ହୋଇଥିବା ବେଳେ ୨୨ କ୍ୟାରେଟ ସୁନା ଦରରେ ୧୨ଶହ ଟଙ୍କା ବୃଦ୍ଧି ଦେଖାଯାଇଥିଲା।
ବଜାରରେ ସୁନା ଦର ଉଛୁଳୁଥିବା ବେଳେ ରୂପା ଦର ବି ମଉଳି ନଥିଲା। ଏହି ସମୟରେ ରୂପା କେଜି ପିଛା ଦର ସର୍ବାଧିକ ୮୬ ହଜାର ଟଙ୍କାକୁ ପହଞ୍ଚିଥିଲା। ବିଶ୍ୱରେ ଯେବେବି ଯୁଦ୍ଧ ଅଥବା ମାନ୍ଦାବସ୍ଥା ଦେଖା ଦେଇଛି ବଜାରରେ ସୁନା ଓ ରୂପା ଦର ବଢିଛି। ୟୁକ୍ରେନ ଓ ଋଷିଆ ଯୁଦ୍ଧ ଥମୁନଥିବା ବେଳେ ଗାଜା ଉପରେ ଇସ୍ରାଏଲର ଆକ୍ରମଣ ଜାରି ରହିଛି। ଏଥିରେ ଏବେ ଇରାନର ଆକ୍ରମଣ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି। ଯଦି ଇରାନ ଓ ଇସ୍ରାଏଲ ମଧ୍ୟରେ ଯୁଦ୍ଧ ଜୋରଦାର ହେଲା ତେବେ ସୁନା ଓ ରୂପା ଦର ଆହୁରି ବଢିବ ବୋଲି ଆକଳନ କରାଯାଉଛି।