ଏପ୍ରିଲରେ ରେକର୍ଡ କଲା ଜିଏସଟି ସଂଗ୍ରହ, ପ୍ରଥମ ଥର ଟପିଲା ୨ ଲକ୍ଷ କୋଟି ଟଙ୍କା

Published By : Prameya-News7 Bureau | May 01, 2024 IST

business today

ନୂଆଦିଲ୍ଲୀ: ଆର୍ଥିକ ମୋର୍ଚ୍ଚାରେ ଭାରତ ପାଇଁ ଆଉ ଭଲ ଖବର ସାମନାକୁ ଆସିଛି । ଜିଏସଟି ସଂଗ୍ରହ ୨୦୨୪ ଏପ୍ରିଲରେ ୨.୧୦ ଲକ୍ଷ କୋଟି ଟଙ୍କାର ରେକର୍ଡ ସ୍ତରରେ ପହଞ୍ଚିଛି । ଘରୋଇ ନେଣଦେଣ (ଡୋମେଷ୍ଟିକ୍ ଟ୍ରାଞ୍ଜେକ୍ସନ) ଏବଂ ଆମଦାନୀରେ ମଜଭୁତ ବୃଦ୍ଧି କାରଣରୁ ଗତ ବର୍ଷ ତୁଳନାରେ ଜିଏସଟି ସଂଗ୍ରହ ୧୨.୪ ପ୍ରତିଶତ ବଢିଛି । ଅର୍ଥ ମନ୍ତ୍ରଣାଳୟ ବୁଧବାର ଏହି ସୂଚନା ଦେଇଛି । 

ଅର୍ଥ ମନ୍ତ୍ରଣାଳୟ ଏକ ବୟାନରେ କହିଛି ଯେ ପ୍ରଥମ ଥର ଜିଏସଟି ସଂଗ୍ରହ ୨ ଲକ୍ଷ କୋଟି ଟଙ୍କାର ଐତିହାସିକ ମାଇଲଖୁଣ୍ଟ ପାର୍ କରିଛି । ଅର୍ଥ ମନ୍ତ୍ରଣାଳୟର ଡାଟା ଅନୁସାରେ ଘରୋଇ ନେଣଦେଣ ୧୩.୪ ପ୍ରତିଶତ ଏବଂ ଆମଦାନୀ ୮.୩ ପ୍ରତିଶତ ବଢିଛି ।

ରିଫଣ୍ଡ ପରେ ୨୦୨୪ ଏପ୍ରିଲର ପାଇଁ ନେଟ୍ ଜିଏସଟି ରେଭେନ୍ୟୁ ୧.୯୨ ଲକ୍ଷ କୋଟି ଟଙ୍କା ରହିଛି । ଯାହା ଗତ ବର୍ଷ ସମାନ ଅବଧି ତୁଳନାରେ ୧୭.୧ ପ୍ରତିଶତର ପ୍ରଭାବଶାଳୀ ବୃଦ୍ଧିକୁ ଦର୍ଶାଉଛି ।  ଏପ୍ରିଲରେ ସିଜିଏସଟି କଲେକ୍ସନ ୪୩,୮୪୬ କୋଟି ଟଙ୍କା ଥିଲା, ଏସଜିଏସଟି ୫୩,୫୩୮ କୋଟି ଟଙ୍କା ଏବଂ ଆଇଜିଏସଟି ୯୯,୬୨୩ କୋଟି ଟଙ୍କା ରହିଥିଲା । ସେହିପରି ସେସ୍ ୧୩,୨୬୦ କୋଟି ଟଙ୍କା ରହିଛି । ଜିଏସଟି ସଂଗ୍ରହ ଅର୍ଥନୀତିର ମୋଟାମୋଟି ସ୍ଥିତିକୁ ଦର୍ଶାଉଛି । ଏପ୍ରିଲ୍ ମାସରେ ଜିଏସଟି ସଂଗ୍ରହର ଡାଟା ମଜଭୁତ ଘରୋଇ ଅର୍ଥବ୍ୟବସ୍ଥାକୁ ଦର୍ଶାଉଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.