ଏହି ୧୬ ଆସନ ପାଇଁ ଛିଣ୍ଡୁନି ବିଜେପି ଅଙ୍କ, ପ୍ରତିପକ୍ଷଙ୍କ ଗୋଟି ଚାଳନା ଉପରେ ନଜର ରଖିଛି ଦଳ

Published By : Prameya-News7 Bureau | April 17, 2024 IST

ଭୁବନେଶ୍ଵର: ବର୍ତ୍ତମାନ ସୁଦ୍ଧା ୧୩୧ ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣା କରିଥିବା ବିଜେପି ବାକି ୧୬ ସିଟ୍ ପାଇଁ କଷୁଛି ଅଙ୍କ । ପ୍ରତିପକ୍ଷଙ୍କ ଗୋଟି ଚାଳନାକୁ ନଜରରେ ରଖି ପ୍ରତି ଆସନ ଉପରେ ମାନସମନ୍ଥନ କରୁଛନ୍ତି ବିଜେପି ଷ୍ଟ୍ରାଟେଜି ମେକର।

ବାକି ୧୬ ଆସନ ପାଇଁ ଛିଣ୍ଡୁନି ବିଜେପି ଅଙ୍କ । କାହାକୁ ପ୍ରାର୍ଥୀ କଲେ ବିଜୟ ସମ୍ଭାବନା ଅଧିକ ରହିବ ତାକୁ ନେଇ ଚାଲିଛି ମାନସ ମନ୍ଥନ । ଏପର୍ଯ୍ୟନ୍ତ ୧୩୧ ବିଧାନସଭା ଆସନରେ ପ୍ରାର୍ଥୀ ଦେଇ ସାରିଛି ବିଜେପି । ୨୦ ତାରିଖ ସୁଦ୍ଧା ବାକି ୧୬ ସିଟରେ ପ୍ରାର୍ଥୀ ଘୋଷଣା ହେବ ବୋଲି ସ୍ପଷ୍ଟ କରିସାରିଛନ୍ତି ରାଜ୍ୟ ବିଜେପି ପ୍ରଭାରୀ  । ହେଲେ ପ୍ରାର୍ଥୀ ଘୋଷଣାକୁ ନେଇ  ବିଜେଡି –ବିଜେପି ଛକାପଞ୍ଝା ଭିତରେ ବେଗୁନିଆ –ବୋଲଗଡ଼, କଟକ ବାରବାଟୀ, ସାଲେପୁର, ବରୀ, ଭଣ୍ଡାରିପୋଖରୀ, ବାସୁଦେବପୁର, ଭୋଗରାଇ, ବସ୍ତା, ନୀଳଗିରି, ହିନ୍ଦୋଳ, ତେଲକୋଇ, ଘଷିପୁରା, ଚମ୍ପୁଆ, କେନ୍ଦ୍ରାପଡ଼ା, ଜୟପୁର ଆସନ ପାଇଁ ଅଟକିଛି ପଦ୍ମ ଅଙ୍କ । ଜୟପୁର ପାଇଁ ଆଜି ବିଜେଡି ରବି ନନ୍ଦଙ୍କ ପତ୍ନୀ ଇନ୍ଦିରା ନନ୍ଦଙ୍କୁ ଟିକେଟ୍ ଦେଇଛି ବିଜେଡି । ସେଠାରେ ଗଡ଼ ଜମାଇ ବସିଛନ୍ତି କଂଗ୍ରେସ ନେତା ତାରା ବାହିନୀପତି । ତେବେ ବିଜେପି ଜୟପୁରରୁ କାହାକୁ ପ୍ରାର୍ଥୀ କରିବ ତା ‘ଉପର ରହିଛି ନଜର । 

ସେହିଭଳି କେନ୍ଦ୍ରାପଡ଼ାରେ ବି ବିଜେଡିର ଗୋଟି ଚାଳନା ଉପରେ ନଜର ରଖିଛି ପଦ୍ମ କ୍ୟାମ୍ପ । କଂଗ୍ରେସ ନେତା ଗଣେଶ୍ବର ବେହେରା ବିଜେଡିରେ ମିଶିବା ପରେ ବିଜେଡିର ପୂର୍ବତନ ବିଧାୟକ ତଥା ଟିକେଟ ଆଶାୟୀ କିଶୋର ତରାଇ ବିଜେପିରେ ଯୋଗ ଦେବା ନେଇ ଚର୍ଚ୍ଚା ହେଉଛି । ଯେହେତୁ କେନ୍ଦ୍ରାପଡାରେ ବିଜେଡି କାର୍ଡ ଖୋଲୁନି ସେଥିପାଇଁ ବିଜେପିର ମିଶାଣ ଗଣିତ ଆଗକୁ ବଢିପାରୁନି । ନୀଳଗିରି ବିଧାନସଭା ଆସନରେ ବି ସମାନ ସ୍ଥିତି ।  ଦଳର ବିଧାୟକ ସୁକାନ୍ତ ନାୟକ ବିଜେଡିରେ ମିଶିଛନ୍ତି । ଏଠାରୁ ଗତଥର ଲଢିଥିବା ସନ୍ତୋଷ ଖଟୁଆ କିମ୍ବା ସୁକାନ୍ତ ନାୟକଙ୍କୁ ପ୍ରାର୍ଥୀ କରିପାରେ ବିଜେଡି । ଯଦି ସୁକାନ୍ତଙ୍କୁ ବିଜେଡି ଟିକେଟ୍ ଦିଏ ତାହେଲେ ସନ୍ତୋଷଙ୍କୁ ଦଳରେ ମିଶାଇ ପ୍ରାର୍ଥୀ କରିପାରେ ବିଜେପି । 

ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ ଦଳରେ ମିଶିବା ପରେ ବିଜେପିର ବଦଳିଛି ଖୋର୍ଦ୍ଧା ରଣନୀତି । ପ୍ରଶାନ୍ତଙ୍କୁ ଖୋର୍ଦ୍ଧାରେ ପ୍ରାର୍ଥୀ କରିବାକୁ ଦଳ ଚିନ୍ତା କରୁଥିବାବେଳେ ଗତ ଥର ଲଢିଥିବା କାଳୁ ଖଣ୍ଡାୟତରାୟ ତାଙ୍କୁ ଦୃଢ ବିରୋଧ କରୁଛନ୍ତି । ସେଥିପାଇଁ ଖୋର୍ଦ୍ଧା  ଆଉ ବେଗୁନିଆ ବୋଲଗଡ ଅଙ୍କ ଛିଣ୍ଡିପାରୁନି । ତେଲକୋଇରେ ୨୦୧୯ରେ ଲଢିଥିଲେ ଧନୁର୍ଜୟ ସିଦ୍ଧୁ । ଏଥର ସେ ବିଜେପି ଛାଡି ବିଜେଡିର କେନ୍ଦୁଝର ଲୋକସଭା ପ୍ରାର୍ଥୀ ହୋଇଛନ୍ତି । 

ତାଙ୍କ ସିଟରେ ବିଜେଡି ବିଧାୟକ ପ୍ରେମାନନ୍ଦ ନାଏକ ଏବଂ ପୂର୍ବତନ ବିଧାୟକ ବେଦବ୍ୟାସ ନାଏକଙ୍କ ଉପରେ ନଜର ରଖିଛି ବିଜେପି । ଚମ୍ପୁଆରେ ସନାତନ ମହାକୁଡ ବିଜେପିରେ ମିଶିବେ ବୋଲି ଚର୍ଚ୍ଚା ହେଉଥିବାରୁ ଦଳ ୨୦୧୯ରେ ଲଢିଥିବା ମୁରଲୀ ମନହୋର ଶର୍ମାଙ୍କ ଟିକେଟ ଝୁଲାଇ ରଖିଛି । ଏଥି ସହ ବିଜେପିର ଘୋଷଣା ହୋଇଥିବା ୧୩୧ ସିଟରୁ ଦୁଇଟି ସିଟରେ ପ୍ରାର୍ଥୀ ବଦଳି ଥିବା ବେଳେ ଆଗକୁ ଆଉ ଦୁଇରୁ ତିନିଟି ସିଟରେ ପ୍ରାର୍ଥୀ ବଦଳିବା ନେଇ  ମଧ୍ୟ ଦଳ ତର୍ଜମା କରୁଛି । ତେବେ ୨୦ ତାରିଖ ସୁଦ୍ଧା ବିଜେପିର ଟିକେଟ କସରତ ସରିବ ବୋଲି ପୂର୍ବରୁ ସୂଚନା ଦେଇ ସାରିଛନ୍ତି ରାଜ୍ୟ ନିର୍ବାଚନ ପ୍ରଭାରୀ । 

 

 

 

  • Lok Sabha Election 2024
  • Elections 2024
  • Odisha assembly election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.