ଯଜ୍ଞ ବେଳେ ଫୁଟିଲା ଗୁଳି, ଜଣେ ବ୍ୟକ୍ତି ଗୁରୁତର

Published By : Prameya-News7 Bureau | April 18, 2024 IST

ବୌଦ୍ଧ ୧୮।୦୪ : ନାମ ଯଜ୍ଞ ବେଳେ ଫୁଟିଲା ଗୁଳି । ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ପିପଲ୍‌ପାଲି ଗାଁରେ ରାମନବମୀ ନାମଯଜ୍ଞ ଚାଲିଥିବା ବେଳେ ଫୁଟିଛି ଗୁଳି । ଦୁର୍ବତ୍ତଙ୍କ ଗୁଳିମାଡ଼ରେ ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି । ଗୁରୁତର ବ୍ୟକ୍ତିଙ୍କ ନାମ ବିଶ୍ୱାମିତ୍ର ଜାନୀ ବୋଲି ଜଣାପଡିଛି । ତାଙ୍କୁ ଗୁରୁତର ଅବସ୍ଥାରେ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ପହଞ୍ଚି କଣ୍ଟାମାଳ ପୋଲିସର ତଦନ୍ତ ଜାରି ରଖିଛି ।

ଖବର ଅନୁଯାୟୀ, ରାମନବମୀ ଉପଲକ୍ଷେ ପିପଲ ପାଲି ଗାଁରେ ନାମଯଜ୍ଞ ଅନୁଷ୍ଠିତ କରାଯାଇଥିଲା । ସେହି ସମୟରେ କିଛି ଦୁବୃର୍ତ୍ତ ଆସି ହଠାତ୍ ଗୁଳି ଚଳାଇବା ଆରମ୍ଭ  କରିଥିଲେ। ଯାହାକି ପିପଲପାଲି ଗାଁରେ ଜଣେ ବ୍ୟକ୍ତି ବିଶ୍ଵାମିତ୍ର ଜାନୀଙ୍କ ଦେହରେ ଗୁଳି ବାଜିଥିଲା। ବିଶ୍ଵାମିତ୍ରଙ୍କ ଛାତି ନିକଟରେ ଗୁଳି ବାଜିଥିବା ବେଳେ ତାଙ୍କୁ ପ୍ରଥମେ ଗ୍ରାମବାସୀ ଉଦ୍ଧାର କରି କଣ୍ଟାମାଳ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ।  ସେଠାରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ବୁର୍ଲା ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ତେବେ ଗୁଳି ଚଳାଇବା ପରେ ଘଟଣାସ୍ଥଳରୁ ଦୁର୍ବୃତ୍ତ ମାନେ ଫେରାର ହେଉଥିବା ସମୟରେ ଜଣେ ଯୁବକଙ୍କୁ କାବୁ କରି କଣ୍ଟାମାଳ ପୋଲିସର ଜିମା ଦେଇଛନ୍ତି।   ତେବେ କେଉଁ କାରଣରୁ ଏହି ଗୁଳିକାଣ୍ଡ ଘଟିଛି । ତାହା ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି । ଘଟଣାସ୍ଥଳରେ କଣ୍ଟାମାଳ ପୋଲିସ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.