୧ ବିଲିୟନ ଡଲାରରେ କମ୍ପାନି ବିକିବାକୁ ମନା କଲେ ମୀରା ମୁରାତି, ଆକ୍ରୋଶ ରଖି କର୍ମଚାରୀ ଛଡ଼ାଇ ନେବାକୁ ଉଦ୍ୟମ କଲେ ଜୁକରବର୍ଗ

Published By : Prameya-News7 Bureau | August 06, 2025 IST

ନୂଆଦିଲ୍ଲୀ: ଦୁନିଆର ସବୁଠାରୁ ବଡ଼ ସୋସିଆଲ୍ ମିଡିଆ କମ୍ପାନି ମେଟା ଲଗାତାର ନିଜ ପ୍ଲାଟ୍‌ଫର୍ମଗୁଡ଼ିକରେ ନୂତନତା ପ୍ରଦାନ କରିବା ପାଇଁ ଉଦ୍ୟମ କରୁଛି । ଏଥିପାଇଁ ପୁଞ୍ଜି ନିବେଶଠାରୁ ଆରମ୍ଭ କରି ବେଷ୍ଟ୍ ମାଇଣ୍ଡଗୁଡ଼ିକୁ ନିଜ ସହ ଯୋଡ଼ିବା ପାଇଁ ଉଦ୍ୟମ କରୁଛି । ଏହାରି ଭିତରେ ଏପରି ଏକ ଖବର ସାମନାକୁ ଆସିଛି, ଯାହା ସମସ୍ତେ ଜାଣିବା ଦରକାର । କର୍ପୋରେଟ୍ ଜଗତରେ ଏହାକୁ ନେଇ ବେଶ ଚର୍ଚ୍ଚା ଚାଲିଛି ।

ଫେସ୍‌ବୁକ୍ ମାଲିକ ମାର୍କ ଜୁକରବର୍ଗ ଓପନ୍ ଏଆଇର ପୂର୍ବତନ ଚିପ୍ ଟେକ୍ନୋଲୋଜି ଅଫିସର (ସିଟିଓ) ମୀରା ମୁରାତିଙ୍କ ଷ୍ଟାର୍ଟଅପ୍ ଥିଙ୍କିଙ୍ଗ୍ ମେସିନ ଲ୍ୟାବ୍‌କୁ କିଣିବା ପାଇଁ ଚାହିଁଥିଲେ । ଏଥିପାଇଁ ମୀରାଙ୍କୁ ୧ ବିଲିୟନ ଡଲାରର ଅଫର୍ ଦେଇଥିଲେ । କିନ୍ତୁ ଏହା ସତ୍ତ୍ୱେ ମୀରା ନିଜ କମ୍ପାନି ବିକ୍ରି କରିବାକୁ ମନା କରିଥିଲେ । ଏହା ପରେ ମେଟା ସିଇଓ ମାର୍କ ଜୁକରବର୍ଗ ଆକ୍ରୋଶମୂଳକ ପଦକ୍ଷେପ ନେବା ଆରମ୍ଭ କରିଛନ୍ତି । ୱାଲ୍ ଷ୍ଟ୍ରିଟ୍ ଜର୍ନାଲର ରିପୋର୍ଟ ଅନୁସାରେ ମୀରାଙ୍କ ପ୍ରତ୍ୟାଖାନ ପରେ ଜୁରକବର୍ଗ ଥିଙ୍କିଙ୍ଗ ମେସିନର ୫୦ କର୍ମଚାରୀଙ୍କ ମଧ୍ୟରୁ ଏକ ଡଜନ କର୍ମଚାରୀଙ୍କ ସହ ଆଲୋଚନା କରି ପ୍ରଲୋଭନ ଦେଇଥିଲେ । ଷ୍ଟାର୍ଟଅପ୍ କମ୍ପାନି ଛାଡ଼ି ତାଙ୍କ ସହ ଆସିବା ପାଇଁ ପ୍ରସ୍ତାବ ଦେଇଥିଲେ । ତେବେ ଏମାନଙ୍କ ଭିତରେ ତାଙ୍କର ମୁଖ୍ୟ ଟାର୍ଗେଟ୍ ଥିଲେ ମୀରାଙ୍କ ଷ୍ଟାର୍ଟଅପ୍ କମ୍ପାନିର ସହ ପ୍ରତିଷ୍ଠାତା ଆଣ୍ଡ୍ରୁ ଟୁଲୋଚ୍ ।

ରିପୋର୍ଟ ଅନୁସାରେ ସୁପର ଇଣ୍ଟେଲିଜେନ୍ସି ଲ୍ୟାବରେ ଯୋଡ଼ି ହେବା ପାଇଁ ଥିଙ୍କିଙ୍ଗ ମେସିନ୍ ଲ୍ୟାବକୁ ମେଟା ୧ ବିଲିୟନ ଡଲାରର ପ୍ରସ୍ତାବ ଦେଇଥିଲା । କିନ୍ତୁ ୟୁଏସ୍ ଷ୍ଟାର୍ଟଅପ୍ କମ୍ପାନି ଏଥିରେ ରାଜି ହୋଇନଥିଲା । ଏହା ପରେ କମ୍ପାନିର ଶୀର୍ଷ ଏଆଇ ଗବେଷକଙ୍କୁ ନେବା ପାଇଁ ମେଟା ପକ୍ଷରୁ କମ୍ପନସେସନ୍ ପ୍ୟାକେଜ ବାବଦକୁ ୨୦୦ ମିଲିୟନ ଡାଲରରୁ ୧ ବିଲିୟନ ଡଲାର ଯାଏ ପ୍ରସ୍ତାବ ଦିଆଯାଇଥିଲା । ତେବେ କମ୍ପାନିର ଜଣେ ବି କର୍ମଚାରୀ ଏହାକୁ ସ୍ୱୀକାର କରିନଥିଲେ । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଆଣ୍ଡ୍ରୁ ଟୁଲୋଚଙ୍କୁ କମ୍ପାନି ଛାଡ଼ିବା ପାଇଁ ମାର୍କ ଜୁକରବର୍ଗ ପ୍ରଲୋଭିତ କରିଥିଲେ । ଟୁଲୋଚଙ୍କୁ ଏକ ଦରମା ପ୍ୟାକେଜ୍ ଅଫର କରାଯାଇଥିଲା, ଯେଉଁଥିରେ ବୋନସ୍ ଏବଂ ମେଟାର ଷ୍ଟକ୍ ପ୍ରଦର୍ଶନ ଉପରେ ନିର୍ଭର କରି ଛଅ ବର୍ଷ ମଧ୍ୟରେ ୧.୫ ବିଲିୟନ ପହଞ୍ଚିପାରିବ । ତଥାପି ଟୁଲୋଚ ଏହି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଥିଲେ ।

ମେଟା ଓପନଏଆଇ ଏବଂ ଏହାର ପୂର୍ବତନ କର୍ମଚାରୀମାନଙ୍କ ଦ୍ୱାରା ପ୍ରତିଷ୍ଠିତ ଷ୍ଟାର୍ଟଅପ୍, ଯେପରିକି ମୁରାତିଙ୍କ ଥିଙ୍କିଙ୍ଗ ମେସିନ୍ ଏବଂ ଡାରିଓ ଆମୋଡେଇର ଆନ୍ଥ୍ରୋପିକରୁ କର୍ମଚାରୀମାନଙ୍କୁ ନିଯୁକ୍ତି ଦେବାକୁ ଚେଷ୍ଟା କରୁଛି । ମେଟା ୧୦୦ରୁ ଅଧିକ ଓପନଏଆଇ କର୍ମଚାରୀଙ୍କ ସହ ଯୋଗାଯୋଗ କରିଛି ଏବଂ ଅତି କମରେ ୧୦ ଜଣଙ୍କୁ ନିଯୁକ୍ତି ଦେଇଛି । ସେପଟେ ରିପୋର୍ଟ ଅନୁସାରେ ମେଟା ମୁଖପାତ୍ର ଆଣ୍ଡି ଷ୍ଟୋନ ଏହି ପ୍ରସ୍ତାବ ଖବରକୁ ହାସ୍ୟାସ୍ପଦ କହିଛନ୍ତି । ସେ କହିଛନ୍ତି ଯେ କ୍ଷତିପୂରଣ ପ୍ୟାକେଜ୍ ଷ୍ଟକ୍ ମୂଲ୍ୟ ପ୍ରଦର୍ଶନ ଉପରେ ନିର୍ଭର କରେ ଏବଂ ଥିଙ୍କିଂ ମେସିନ୍ କିଣିବାକୁ ମେଟା ଚେଷ୍ଟା କରୁନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.