ନୂଆଦିଲ୍ଲୀ: ସେମିକଣ୍ଡକ୍ଟର ନିର୍ମାଣ କ୍ଷେତ୍ରରେ ପ୍ରବେଶ କରିବାକୁ ଯୋଜନା କରୁଛି ଭାରତୀୟ ସଫ୍ଟଓୟାର କମ୍ପାନି ଜୋହୋ।ଏନେଇ କେନ୍ଦ୍ର ସରକାରଙ୍କଠାରୁ ପ୍ରୋତ୍ସହନ ପାଇଁ କମ୍ପାନି ଆଲୋଚନା ଜାରି ରଖିଥିବା ମଧ୍ୟ ଜଣାପଡ଼ିଛି।ରିପୋର୍ଟ ଅନୁଯାୟୀ, ଏଥିପାଇଁ ୭୦୦ ମିଲିୟନ ଡଲାର ନିବେଶ ପାଇଁ ଯୋଜନା କରୁଛି କମ୍ପାନି ।
ସୂଚନା ଅନୁଯାୟୀ, ଜୋହୋ କମ୍ପାଉଣ୍ଡ ସେମିକଣ୍ଟକ୍ଟର ନିର୍ମାଣ କରିବା ପାଇଁ ଯୋଜନା କରୁଛି। ଜେହୋର ଏହି ପ୍ରସ୍ତାବକୁ ଆଇଟି ମନ୍ତ୍ରଣାଳୟର ଏକ ସ୍ବତନ୍ତ୍ର ପ୍ୟାନେଲ ବିଚାର କରୁଛନ୍ତି । ଏହା ସହ ମନ୍ତ୍ରାଳୟ ଜୋହୋଠାରୁ ଅଧିକ ସ୍ପଷ୍ଟୀକରଣ ମଧ୍ୟ ମାଗିଛନ୍ତି। ବ୍ୟବସାୟ ପାଇଁ କେଉଁ ଗ୍ରାହକଙ୍କ ସହ କମ୍ପାନି ଡିଲ୍ କରିବାକୁ ଚାହୁଛି ସେନେଇ ମଧ୍ୟ ଅଧିକ ତଥ୍ୟ ମାଗିଛନ୍ତି।
ତେବେ ଏନେଇ ଜୋହୋ ତରଫରୁ କୌଣସି ପ୍ରତିକ୍ରିୟା ଦିଆଯାଇନଥିବାବେଳେ, ଆଇଟି ମନ୍ତ୍ରାଳୟ ମଧ୍ୟ ସୂଚନା ମିଳିନାହିଁ । ଏହା ପୂର୍ବରୁ ମାର୍ଚ୍ଚ ମାସରେ ଜୋହୋର ପ୍ରତିଷ୍ଠାତା ଏବଂ ସିଇଓ ଶ୍ରୀଧର ଭେମ୍ବୁ କହିଥିଲେ ଯେ, ତାମିଲନାଡୁରେ ଜୋହୋ ସେମିକଣ୍ଡକ୍ଟର ଡିଜାଇନ ପ୍ରୋଜେକ୍ଟ କରିବାକୁ ଚାହୁଛି।
ଉଲ୍ଲେଖଯୋଗ୍ୟ, ଭାରତ ସେମିକଣ୍ଡକ୍ଟର ନିର୍ମାଣ ଦିଗରେ ବେଶ୍ ଧ୍ୟାନ ଦେଉଛି। ଏଥିପାଇଁ ୧୦ ବିଲିୟନ ଡଲାରର ସ୍ବତନ୍ତ୍ର ପ୍ୟାକେଜ୍ ମଧ୍ୟ ଘୋଷଣା କରାଯାଇଛି। ଏହା ଦ୍ବାରା ଦେଶରେ ସେମିକଣ୍ଡକ୍ଟର ନିର୍ମାଣ କ୍ଷେତ୍ରକୁ ଆହୁରି ଗତିଶୀଳ କରାଯାଇପାରିବ।ଆଉ ଭାରତ ତାଇଓ୍ବାନ ଭଳି ଦେଶଙ୍କ ସହ ପ୍ରତିନ୍ଦ୍ବନ୍ଦିତା କରିପାରିବ।
ନିକଟରେ ଟାଟା ଗ୍ରୁପ୍ ଏବଂ ସିଜି ପାଓ୍ବାରକୁ ୧୫ ବିଲିୟନ ଡଲାର ମୂଲ୍ୟରେ ତିନି ସେମିକଣ୍ଡକ୍ଟର ପ୍ଲାଣ୍ଟ ନିର୍ମାଣ ପାଇଁ ଅନୁମତି ମିଳିଥିଲା। ଏହା ଦ୍ବାରା ପ୍ରତିରକ୍ଷା, ଅଟୋମୋବାଇଲ୍ସ ଏବଂ ଟେଲିକମ୍ୟୁନିକେସନ ପାଇଁ କାମ କରିବେ। ଆହୁରି ମଧ୍ୟ ୨୦୨୬ ସୁଦ୍ଧା ୬୩ ବିଲିୟନ ଡଲାର ମୂଲ୍ୟରେ ହେବାକୁ ଲକ୍ଷ୍ୟ ରହିଛି ଭାରତର ସେମିକଣ୍ଡକ୍ଟର ମାର୍କେଟ।
୧୯୯୬ରେ ପ୍ରତିଷ୍ଠା ହୋଇଥିଲା ଜୋହୋ। ଏହାର ମୁଖ୍ୟ କାର୍ଯ୍ୟାଳୟ ତାମିଲନାଡୁରେ ରହିଛି। ଏହା ସଫ୍ଟଓୟାର ଏବଂ ଏହା ସହ ଜଡ଼ିତ ସେବା ୧୫୦ ଦେଶକୁ ଯୋଗାଉଛି। ମାଇକ୍ରୋସଫ୍ଟ ଏବଂ ସେଲ୍ସଫୋର୍ସ ସହ ପ୍ରତିଦ୍ବନ୍ଦ୍ବି।