ନୂଆଦିଲ୍ଲୀ: ଜିରୋଧା ସହସଂସ୍ଥାପକ ନିଖିଲ କାମାଥ ତାଙ୍କ ପଡ୍କାଷ୍ଟରେ ଏଥର ୟୁଟ୍ୟୁବ ସିଇଓ ନୀଲ ମୋହନଙ୍କୁ ଅତିଥି ସିଟ୍ରେ ବସାଇଥିଲେ। ଉଭୟଙ୍କ ମଧ୍ୟରେ ଏକାଧିକ ପ୍ରସଙ୍ଗରେ ଆଲୋଚନା ହୋଇଥିଲେ ବି ଏକ ମଜାଦାର କଥା ସାମ୍ନାକୁ ଆସିଥିଲା। ନୀଲ ମୋହନଙ୍କୁ ଟ୍ୱିଟରରେ ଯୋଗ ନ ଦେବାକୁ ଗୁଗୁଲ ତାଙ୍କୁ ୧୦୦ ମିଲିଅନ ଡଲାରର ଷ୍ଟକ ଅଫର କରିଥିବା କଥା ସାମ୍ନାକୁ ଆସିଥିଲା।
ଟେକ୍ନୋକ୍ରଞ୍ଚ୍ର ରିପୋର୍ଟ ଅନୁସାରେ, ୨୦୧୧ ମସିହାରେ ଏହି ଘଟଣା ଘଟିଥିଲା। ସେତେବେଳେ ଟ୍ୱିଟର(ବର୍ତ୍ତମାନର) ଏହାର ଉତ୍ପାଦ ବିଭାଗ(ପ୍ରଡକ୍ଟ ଡିଭିଜନ)ର ନେତୃତ୍ୱ ନେବା ପାଇଁ ଜଣେ ଅଭିଜ୍ଞ ପ୍ରାର୍ଥୀଙ୍କୁ ଖୋଜୁଥିଲା। କମ୍ପାନୀ ସେତେବେଳେ ନୀଲ ମୋହନଙ୍କୁ ଚିଫ ପ୍ରଡକ୍ସନ ଅଫିସର ପଦବୀ ଅଫର କରିଥିଲା। ହେଲେ ଏକଥା ଗୁଗୁଲ ଜାଣିବା ପରେ ନୀଲଙ୍କୁ ରୋକିବାକୁ ଅନେକ ଚେଷ୍ଟା କରିଥିଲା। ଏଥିପାଇଁ କମ୍ପାନୀ ତାଙ୍କୁ ୧୦୦ ମିଲିଅନର ଡଲାରର ଷ୍ଟକ୍ ଅଫର୍ ମଧ୍ୟ କରିଥିଲା ବୋଲି ଖବର ପ୍ରକାଶ ପାଇଥିଲା। କାରଣ ମୋହନଙ୍କ ପୂର୍ବତନ ସୁପରଭାଇଜର ଡେଭିଡ୍ ରୋଜେନବ୍ଲାଟ୍ ଟ୍ୱିଟର ବୋର୍ଡରେ ନିଯୁକ୍ତି ପାଇସାରିଥିଲେ। ଏବଂ ସେ ନୀଲଙ୍କୁ କମ୍ପାନୀର ମୁଖ୍ୟ ଉତ୍ପାଦ ଅଧିକାରୀ ଭାବରେ ଆଣିବାକୁ ବେଶ୍ ଆଗ୍ରହୀ ଥିଲେ।
ଆଲୋଚନା ବେଳେ ନିଖିଲ କାମାଥ ବଡ଼ ଚତୁରତାର ସହ ଏହି ପ୍ରସଙ୍ଗରେ ନୀଲଙ୍କୁ ପ୍ରଶ୍ନ କରିଥିଲେ। ସେ କହିଥିଲେ ଯେ "ମୋର ମନେ ପଡ଼ୁଛି ଯେ ମୁଁ ଥରେ ପଢିଥିଲି ଯେ ଗୁଗୁଲ୍ ଆପଣଙ୍କୁ ନ ହରାଇବା ପାଇଁ $୧୦୦ ମିଲିୟନ ଅଫର୍ କରିଥିଲା। ଆଜିର କଥା ଛାଡ଼ନ୍ତୁ, କିନ୍ତୁ ୧୫ ବର୍ଷ ପୂର୍ବେ, ଏହା ବହୁତ ଟଙ୍କା ଥିଲା।" ନିଖିଲଙ୍କର ଏହି ଦାବିକୁ ମୋହନ ଅସ୍ୱୀକାର କରି ନଥିଲେ। ସେତେବେଳେ ଗୁଗଲ ଅଫର କରିଥିବା ଶେୟାର ମୂଲ୍ୟ ଭାରତୀୟ ମୁଦ୍ରାରେ ୮୮୫ କୋଟି ପାଖାପାଖି ହେବ। ନୀଲ ସିଧାସଳଖ ଏ ବିଷୟରେ କହି ନଥିଲେ ବି ତାଙ୍କର ଅସ୍ୱୀକାର ନ କରିବା ବର୍ତ୍ତମାନ ବ୍ୟବସାୟ ଜଗତରେ ଚର୍ଚ୍ଚାର କାରଣ ପାଲଟିଛି।