ଭୋଗରାଇ: ଭୋଗରାଇ ଥାନାରେ ଯୁବକଙ୍କୁ ନିର୍ଯାତନା ଘଟଣାରେ ବଡ଼ କାର୍ଯ୍ୟାନୁଷ୍ଠାନ। ଭୋଗରାଇ ଥାନା ଆଇଆଇସି ଶ୍ରୀବଲ୍ଲଭ ସାହୁ ନିଲମ୍ବିତ। ଜଣେ ଯୁବକଙ୍କୁ ବିନା କୌଣସି ଏଫଆଇଆରରେ ଥାନାରେ ଅମାନୁଷିକ ନିର୍ଯାତନା ଦେଇଥିଲେ ଆଇଆଇସି। ତାଙ୍କ ବିରୋଧରେ ଏତଲା ପରେ ଏହି କାର୍ଯ୍ୟାନୁଷ୍ଠାନ ହୋଇଛି। ଯୁବକଙ୍କୁ ହାତଗୋଡ଼ ବାନ୍ଧି ନିର୍ଯାତନା ଦିଆଯାଉଥିଲା। ଖବର ପାଇଁ ସାଂସଦ ପ୍ରତାପ ଷଡ଼ଙ୍ଗୀ ଥାନାରେ ପହଞ୍ଚିଥିଲେ।ଏ ନେଇ ବାଲେଶ୍ଵର ଏସପିଙ୍କୁ ସିଧାସଳଖ ଭିଡିଓ କଲ୍ କରି ଜଣାଇଥିଲେ। ତାଙ୍କ ହସ୍ତକ୍ଷେପ ପରେ ଏବଂ ଏସପିଙ୍କ ନିର୍ଦ୍ଦେଶକ୍ରମେ ଯୁବକ ଥାନାରୁ ଉଦ୍ଧାର ହୋଇଛନ୍ତି।ଏହା ସହିତ ଘଟଣାର ତୁରନ୍ତ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ଏସପି। ଆଉ ଥାନାକୁ ଆସି ତଦନ୍ତ କରିଥିଲେ ଅତିରିକ୍ତ ଏସପି।
ସୂଚନାଯୋଗ୍ୟ, ଜୟରାମପୁର ଗ୍ରାମର କାର୍ତ୍ତିକ ଚନ୍ଦ୍ର ଭୋଳଙ୍କୁ ଏକ ମଟରସାଇକେଲ ଅଦଳ ବଦଳକୁ କେନ୍ଦ୍ରକରି ତାଙ୍କ ବିରୋଧରେ ଭୋଗରାଇ ଥାନାରେ ବାରବାଟିଆ ଗ୍ରାମର ଜୟନ୍ତୀ ରଥ ଅଭିଯୋଗ କରିଥିଲେ। ଏହା ପରେ ପୋଲିସ କାର୍ତ୍ତିକଙ୍କୁ ଗତକାଲି ଉଠାଇ ଆଣି ଥାନାରେ ଅଟକ ରଖି ତଦନ୍ତ ଜାରି ରଖିଥିଲେ । ମାତ୍ର ଦୁଇ ଦିନ ଧରି ଯୁବକଙ୍କୁ ଗୋଡ଼ ହାତରେ ବେଡି ପକାଇ ଅମାନୁଷିକ ମାଡ଼ ମାରିଥିବା ତାଙ୍କ ପତ୍ନୀ ଅଭିଯୋଗ କରିଛନ୍ତି। ଘଟଣାରେ ଯୁବକଙ୍କ ସ୍ତ୍ରୀ ଭୋଗରାଇ ବିଜେପି ନେତା ଆଶିଷ ପାତ୍ରଙ୍କ ଠାରେ ଅଭିଯୋଗ କରିଥିଲେ ।
Also read: ମାରଣାସ୍ତ୍ର ଦେଖାଇ ଯୋଗ ଶିକ୍ଷୟିତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ, ଜୀବନରୁ ମାରିଦେବାକୁ ମିଳିଥିଲା ଧମକ
ଆଜି ବାଲେଶ୍ଵର ସାଂସଦ ପ୍ରତାପ ଷଡ଼ଙ୍ଗୀ ଭୋଗରାଇ ଗସ୍ତରେ ଥିବା ବେଳେ ଉକ୍ତ ଘଟଣା ସମ୍ପର୍କରେ ତାଙ୍କୁ ବିଜେପି ନେତା ଅବଗତି କରାଇବା ପରେ ସାଂସଦ ଭୋଗରାଇ ଥାନାକୁ ଆସି ପ୍ରଥମେ ଘଟଣାର ସତ୍ୟାସତ ଦେଖିଥିଲେ। ବାଲେଶ୍ୱର ଏସପିଙ୍କୁ ସିଧାସଳଖ ଭିଡିଓ କଲ୍ କରି ଯୁବକଙ୍କ ହାତ ଗୋଡ଼ ବନ୍ଧା ଥିବା ବେଡ଼ିରେ ଏସପିଙ୍କୁ ଦେଖାଇ ଘଟଣାର ହସ୍ତକ୍ଷେପ କରିଥିଲେ । ଥାନା କର୍ମଚାରୀ ଅଟକ ଯୁବକଙ୍କୁ ପ୍ରବଳ ମାଡ଼ ମାରିଥିବା ସାଂସଦ ପାଖରେ ଯୁବକ ଅଭିଯୋଗ କରିଥିଲେ ।
ଭୋଗରାଇ ଥାନାର ଅଧିକାରୀ ଶ୍ରୀ ବ୍ଲଲଭ ସାହୁ ଏସପିଙ୍କ ସହିତ ଯୋଗାଯୋଗ ପରେ ଅଟକ ଥିବା ଯୁବକଙ୍କୁ ମେଡ଼ିକାଲ ପାଇଁ ପଠାଇଥିଲେ। ହାତରେ ଓ ଗୋଡ଼ରେ ବେଡ଼ି ପକାଇବା ଘଟଣାକୁ ସାଂସଦ ନିନ୍ଦା କରି ଦୃଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି କରିଥିବା ବେଳେ ଥାନାରେ କର୍ମଚାରୀ ଅଭାବରୁ ଏଭଳି ବେଢ଼ି ପକା ଯାଇଛି ବୋଲି ଭୋଗରାଇ ଥାନା ଅଧିକାରୀ ଶ୍ରୀ ସାହୁ କହିଛନ୍ତି ।